ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜ କ୍ୟାମ୍ପସରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏନଏନଏସ କାର୍ଯ୍ୟକ୍ରମ ଅଧିକାରୀ ତଥା କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ମେହେର, ଅଧ୍ୟାପକ ସୁଶାନ୍ତ ସାହୁ, ରମେଶ ଘଡେଇ, କୌଶଲ୍ୟା ଗଡବା, ପିଇଟି କ୍ଷିତିଶ ଚନ୍ଦ୍ର ବଗର୍ତ୍ତି ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ଦେଶ ଅଖଣ୍ଡ ପାଇଁ ଏକତାର ଆବଶ୍ୟକତାକୁ ଅନୁଭବ କରି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସେହି ସମୟରେ ଗଡଜାତ ଅଞ୍ଚଳର ରାଜା ମାନଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ପାଇଁ ପ୍ରୟାସ କରିଥିଲେ। ଏଣୁ ତାଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ସାରା ଦେଶ ପାଳନ କରୁଛି ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଇତ୍ୟବସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।





