ହାତୀ ଚଲାପଥରେ ନାହିଁ ଫଳକ, ବିପଦରେ ଯାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଏକ ବଣପାହାଡ଼ ଘେରା ଅଞ୍ଚଳ ହୋଇଥିବାରୁ ଏଠାରେ ବର୍ଷସାରା ବଣୁଆ ହାତୀଙ୍କ ଚଳପ୍ରଚଳ ଲାଗି ରହିଥାଏ। ଅନେକ ସମୟରେ ହାତୀ-ମଣିଷ ମୁହାଁମୁହିଁରେ ଜୀବନହାନି ମଧ୍ୟ ଘଟିଛି। ଲାଞ୍ଜିଗଡ଼ରୁ ବେନଗାଁକୁ ସଂଯୋଗ କରୁଥିବା ରାସ୍ତା ବଣପାହାଡ଼ ଦେଇ ଯାଇଥିବାରୁ ଏଠାରେ ହାତୀ ସହ ମୁହାଁମୁହିଁ ହେବାର ଆଶଙ୍କା ରହିଛି। ତେବେ ଉକ୍ତ ରାସ୍ତାର କୌଣସି ସ୍ଥାନରେ ହାତୀ ଚଲାପଥ ସମ୍ପର୍କିତ ସୂଚନା ଫଳକ ଲାଗିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଯାତାୟାତ କରୁଥିବା ଲୋକେ ଆଗୁଆ ସତର୍କ ହେବାର ସୁଯୋଗ ପାଉନାହାନ୍ତି। ରାସ୍ତା ପାର୍ଶ୍ୱରେ ଅନାବନା ଗଛଲତା ମାଡ଼ି ଯାଇଥିବାରୁ ଦୃଶ୍ୟମାନତା ହ୍ରାସ ପାଉଛି। ସ୍ଥାନୀୟ ଲୋକେ ଏକଜୁଟ ହୋଇ ରାସ୍ତା ପାର୍ଶ୍ୱ ସଫା ଓ ମରାମତି କରୁଥିବା ବେଳେ ଏହାକୁ ବନ ବିଭାଗ ବିରୋଧ କରୁଥିବା ଅଭିଯୋଗ ହୋଇଛି। ଭବିଷ୍ୟତରେ ହାତୀ ଯୋଗୁଁ ଦୁର୍ଘଟଣା ଘଟିଲେ ବନ ବିଭାଗ ଦାୟୀ ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଲାଞ୍ଜିଗଡ଼-ବେନଗାଁ ରାସ୍ତାରେ ସତର୍କତା ଫଳକ ସ୍ଥାପନ ଓ ରାସ୍ତା ପାର୍ଶ୍ୱ ସଫା ପାଇଁ ଦାବି ହୋଇଛି। ଏ ନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.