ସାକଡିଂ ଗୁମ୍ଫାରେ ଆରମ୍ଭ ହେଲା ବିଶମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ: କଳସ ଯାତ୍ରାରେ ସାମିଲ ହେଲେ ସହସ୍ରାଧିକ ମହିଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ ଅନ୍ତର୍ଗତ ସାକଡିଂ ଗୁମ୍ଫାରେ ବିଶମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ ଭବ୍ୟ କଳସ ଯାତ୍ରା ସହ ଆରମ୍ଭ ହୋଇଛି। ଦୁଇ ଦିନ ଧରି ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ଅନୁଷ୍ଠିତ କଳସ ଶୋଭାଯାତ୍ରାରେ ଆଖପାଖ ଅଞ୍ଚଳ ସମେତ ଜିଲ୍ଲା ଓ ପଡ଼ୋଶୀ ଜିଲ୍ଲାର ହଜାର ହଜାର ମହିଳା ଓ ଆବାଳ ବୃଦ୍ଧବନିତା ସାମିଲ ହୋଇଥିଲେ। ପୂର୍ବ କାଳରୁ ଲୋକଙ୍କ ବିଶ୍ୱାସ ରହିଛି ଯେ, ପ୍ରଭୁ ବିଶମୁଣ୍ଡ ବୁଢ଼ାରଜାଙ୍କ ପାଖରେ ଯାହା ମାନସିକ କରାଯାଏ, ତାହା ପୂରଣ ହୋଇଥାଏ। ତେଣୁ ପ୍ରତିବର୍ଷ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ଭକ୍ତଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳିଥାଏ। ପାହାଡ଼ପଦର ବୁଢ଼ାରଜା ପୂଜା କମିଟି ଆନୁକୂଲ୍ୟରେ ଚଳିତ ବର୍ଷର ପୂଜା ଶୁକ୍ରବାର ଆରମ୍ଭ ହୋଇ ଶନିବାର ପୂର୍ଣ୍ଣାହୁତି ହେବ। ପୂଜା ପାଇଁ ଗାଁ ତଥା ଆଖପାଖ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ବୁଢ଼ାରଜା ପୂଜା କମିଟି ସଭାପତି ଜଗଦୀଶ ବେନିଆଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କଳସ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.