ବାତ୍ୟା ଅର୍ଣ୍ଣବ ନର୍ଲା ପାଇଁ ବରଦାନ!

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପାଇଁ ବରଦାନ ସାଜିଲା ବାତ୍ୟା “ଅର୍ଣ୍ଣବ”। ଗତ ୨୬ ରୁ ବାତ୍ୟା “ଅର୍ଣ୍ଣବ” ଆରମ୍ଭ ହୋଇ ୨୮ ସକାଳୁ ସ୍ଥଳଭାଗ ଛୁଇଁ ଆନ୍ଧ୍ର ଓ ଓଡିଶାର କିଛି ସ୍ଥାନରେ ତାଣ୍ଡବ ରଚିଛି। ପ୍ରଭାବିତ ହୋଇଥିବା ଓଡିଶାର ୮ ଗୋଟି ଜିଲ୍ଲା ମଧ୍ୟରେ କଳାହାଣ୍ଡି ମଧ୍ୟ ରହିଥିଲା। କଳାହାଣ୍ଡିର ୬ ଗୋଟି ବ୍ଲକକୁ ଵିଶେଷ ପ୍ରଭାବ ପଡିପାରେ ବୋଲି ଆକଳନ କରି ସମସ୍ତ ଅଧିକାରୀଙ୍କୁ ଏଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। କଳାହାଣ୍ଡି ଜିଲ୍ଲା ପ୍ରଶାସନ ମଧ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ରହିଥିଲା। ରାୟଗଡା, ଗଞ୍ଜାମ, ମାଲକାନଗିରି, ଗଜପତି, କୋରାପୁଟ ଜିଲ୍ଲା ପ୍ରଭାବିତ ହେବା ଭଳି କଳାହାଣ୍ଡି ଜିଲ୍ଲାରେ ବାତ୍ୟାର ପ୍ରଭାବ ସେତେଟା ପଡି ନଥିଲା। ଜିଲ୍ଲାର ଜୁନାଗଡ, ଥୁଆମୂଳ ରାମପୁର ଓ ଧର୍ମଗଡ଼ ବ୍ଲକ ର କେତେକ ସ୍ଥାନ ଅଳ୍ପ ପ୍ରଭାବିତ ହୋଇଛି। କିନ୍ତୁ ନର୍ଲାରେ ବାତ୍ୟାର ପ୍ରଭାବ ପଡ଼ିନାହିଁ। ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ମନରେ ଖୁସିର ସଂଚାର ଆଣିଛି। ଜମିସବୁ ଫାଟି ଆଁ କରିବାକୁ ଯାଉଥିବା ସମୟରେ ଏହି ବର୍ଷା ସଂଜୀବନୀ ସଦୃଶ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଫସଲ ପାଚିବାକୁ ଯାଉଥିବା ସମୟରେ ବର୍ଷାର ଲୁଚକାଳୀ ଖେଳ ଚାଷୀଙ୍କୁ ନୟାନ୍ତ କରି ପକାଇଥିଲା। ନିଜ ଜମିର ଆଖ ପାଖରେ ରହିଥିବା ପୁଷ୍କରିଣୀ, କୂଅ, ନାଳ ପ୍ରଭୃତି ସ୍ଥାନରୁ ମୋଟର ପମ୍ପ ଯୋଗେ ପାଣି ଉଠାଇ ଫସଲ ବଞ୍ଚାଇବାର ଆପ୍ରାଣ ଉଦ୍ୟମ କରୁଥିଲେ ଚାଷୀ। ଠିକ୍ ସମୟରେ ଆସିଲା ବାତ୍ୟା “ଅର୍ଣ୍ଣବ”। ୨୭ ଅପରାହ୍ନ ରୁ ବର୍ଷା ଆରମ୍ଭ ହୋଇଥିଲା। ଭୀଷଣ ବର୍ଷା କିମ୍ବା ଖୁବ ଜୋର୍ ପବନ ବହି ନ ଥିଲା ଏଇଠି। ଫଳରେ ଧାନ ଗଛ ସବୁ ଠିଆ ହୋଇ ରହିଛି। ମଧ୍ୟମ ଧରଣର ବର୍ଷା ଯୋଗୁଁ ଶୁଖିଲା ଧାନ ବିଲରେ ପାଣି ଟିକେ ହେଲା। ଏବେ ଆଉ ଚାଷୀଙ୍କୁ ଡିଜେଲ ପମ୍ପ ଯୋଗେ ପାଣି ମଡ଼ାଇବାକୁ ପଡ଼ିବନି। ଧାନ ପାଚିଯିବ। ବାତ୍ୟା “ଅର୍ଣ୍ଣବ” ନର୍ଲା ଚାଷୀଙ୍କ ପାଇଁ ବରଦାନ ସାଜିଲା। ଅବଶ୍ୟ ଧଳା ସୁନା କୁହାଯାଉଥିବା କପା ବଲ କେତେକାଂଶ ରେ ପଚି ଯିବାର ସମ୍ଭାବନା ଯୋଗୁଁ କପା ଫସଲ ଅଳ୍ପ ପ୍ରଭାବିତ ହୋଇପାରେ। ଠିକ ସେମିତି ହରଡ(କାନ୍ଦୁଲ) ଗଛ ଗୁଡିକ ଏଯାଏଁ ଫୁଲ ଧରିନି। ଯୋର ପବନ ନଥିବା ଯୋଗୁଁ ଗଛ ମଧ୍ୟ ପଡିନି। ଏଣୁ ବାତ୍ୟାରେ ଡାଲି ଜାତୀୟ ହରଡ ଚାଷ ପ୍ରଭାବିତ ହୋଇନଥିବା ଜଣା ପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.