ଆକର୍ଷିତ କରୁଛି ପ୍ରକୃତି ପ୍ରେମୀଙ୍କୁ, ଉପଭୋଗ କରୁଛନ୍ତି ସହରବାସୀ
ରାୟଗଡ,୨/୮ : ୧୯୯୨ ମସିହାରୁ ରାୟଗଡା ଜିଲ୍ଳା ନିଜର ସ୍ୱତନ୍ତ୍ର ଜିଲ୍ଳାର ମାନ୍ୟତା ପାଇଛି । ପ୍ରାୟ ୭୦୩୩ ବର୍ଗ କିଲୋମଟିର ବିଶିଷ୍ଠ ଏହି ଜିଲ୍ଳାର ପଡୋଶୀ ଭାବେ ଓଡିଶାର ଗଜପତି, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ,ବିଜୟନଗରମ ଆଦି ଜିଲ୍ଳା ଅବସ୍ଥିତ । ଏଠାରେ କୁଇ, କନ୍ଧ, ସଉରା ଆଦିଙ୍କ ଜନବସତି ଦେଖିବାକୁ ମିଳେ । ଜିଲ୍ଳାର ବିଷମକଟକ, ମୁନିଗୁଡା, କଲ୍ୟାଣସିଂହପୁର ବ୍ଳକକୁ ଲାଗି ବିସ୍ତୀର୍ଣ୍ଣ ଭାବେ କଳାହାଣ୍ଡି ଜିଲ୍ଳାର ଲାଂଜିଗଡ ପର୍ଯ୍ୟନ୍ତ ବ୍ୟାପ୍ତ ସବୁଜବନାନୀର ନିୟମଗିରି ପାହାଡରେ ବସତି ସ୍ଥାପନ କରି ଆସୁଥିବା ଡଙ୍ଗରିଆ କନ୍ଧଙ୍କ ଆର୍ଥିକସ୍ଥିତି ଓ ଜୀବନଚର୍ଯ୍ୟା ବୈଚିର୍ତ୍ୟପୂର୍ଣ୍ଣ ।
ନିୟମଗିରି ପାହାଡ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇ ସାରିଥିବା ବେଳେ ଡଙ୍ଗରିଆ କନ୍ଧଙ୍କ ଦ୍ୱାରା ନିିର୍ମିତ ହାତବୁଣା “କପଡା ଗୁନ୍ଦା” ସାଲ କାରୁକାର୍ଯ୍ୟ ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଫଳରେ ଡଙ୍ଗରିଆ କନ୍ଧଙ୍କ ଚାଲିଚଳଣ ଆଦିର ପର୍ଯ୍ୟବେକ୍ଷଣ ସହିତ ରାୟଗଡା ସଦର ମହକୁମାରରେ ଥିବା ମା ମଝିଘରିଆଣୀ ମନ୍ଦିର,ପାଇକପଡାର ପାତାଳେଶ୍ୱର, ଚାଟିକୋଣାର ପ୍ରାକୃତିକ ପରିବେଶମୟ ଶିବ ମନ୍ଦିର, କଲ୍ୟାଣସିଂହପୁରର ଦେବଗିରୀ ଶୈବ ପୀଠ, ଗୁଡାରୀର ମୀନାଝୋଲା, ପଦ୍ମପୁରର ମଲ୍ଳିକେଶ୍ୱର ଶୈବ ପୀଠ, ବିଷମକଟକର ମାର୍କମା ମନ୍ଦିର, କୁମୁଡାବାଲି ଭଳି ଜିଲ୍ଳାର ଅନ୍ୟାନ୍ୟ ସ୍ଥାନରେ ଥିବା ମନଲୋଭା ପ୍ରାକୃତିକ ସୈାନ୍ଦର୍ଯ୍ୟର ଅପୂର୍ବି ଶୋଭା ଜିଲ୍ଳାର ପର୍ଯ୍ୟଟକଙ୍କ ଠାରୁ ଆରମ୍ଭ କରି ଦେଶ ଓ ବିଦେଶର ପର୍ଯ୍ୟଟକଙ୍କୁ ଚିତ ଆର୍କଷଣ କରିଥାଏ । ଯାହାକୁ ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତଥା ସରକାରଙ୍କୁ ଜିଲ୍ଳାର ୩୫ଟି ସ୍ଥାନକୁ ଚିହ୍ନଟ କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ପ୍ରସ୍ତାବ ପଠାଯାଇଛି ।
ରାୟଗଡା ସହରରେ ଥିବା ଅଦରକାରୀ ପ୍ରାକୃତିକ ସୈାନ୍ଦର୍ଯ୍ୟେ ଭରା ଲଣ୍ଡା ପାହାଡର ସୈାନ୍ଦର୍ଯ୍ୟକରଣ କରିବା ପାଇଁ ପ୍ରଥମେ ଜିଲ୍ଳା ପ୍ରଶାସନ ତରଫରୁ ତାହାର ନାମ ପ୍ରେମ ପାହାଡରେ ପରିବର୍ତନ କରାଯାଇ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀର ରୂପରେଖ ପ୍ରଦାନ ପାଇଁ ସ୍ଥିର କରାଯାଇଥିଲା । ଏଥି ନିମନ୍ତେ ଜିଲ୍ଳା ପ୍ରଶାସନର ତତ୍କାଳୀନ ଜିଲ୍ଳାପାଳ ଶ୍ରୀମତି ଗୁହା ପୁନମ ତାପସ କୁମାର ପର୍ଯ୍ୟଟନ ବିଭାଗକୁ ଏହାର ସୈାନ୍ଦର୍ଯ୍ୟକରଣ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ପରବର୍ତୀ ସମୟରେ ଏଥିପାଇଁ ୪କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଗତ ୨୦୧୭ ମାର୍ଚ୍ଚ ୩ତାରିଖରେ ୧କୋଟି ଟଙ୍କା ଓ ୨୦୧୮ ମସିହା ଜାନୁୟାରୀ ୧୨ତାରିଖରେ ୨କୋଟି ୧୮ଲକ୍ଷ ଟଙ୍କା ଅନୁଦାନ ମଂଜୁରୀ କରାଯାଇଥିଲା । ଏହି ପ୍ରେମ ପାହାଡର ସୈାନ୍ଦର୍ଯ୍ୟକରଣ ନିମନ୍ତେ ଯୋଜନା ଏବଂ ବ୍ୟୟ ଅଟକଳ ରାୟଗଡ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ଅବସରପ୍ରାପ୍ତ ପ୍ରକଳ୍ପ ପ୍ରଶାସକ ମୂରଲୀଧର ସ୍ୱାଇଁଙ୍କ ଉଦ୍ୟମରେ ହୋଇପାରିଥିଲା । ତାଙ୍କ ଉଦ୍ୟମରେ ରାୟଗଡ, ପାଇକପଡା, ଦେବଗିରି ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ନିମେନ୍ତ ପାନ୍ଥ ନିବାସଗୁଡିକର ନିର୍ମାଣ କରାଯାଇ ପାରିଥିଲା ।
ବର୍ତମାନ ପ୍ରେମ ପାହାଡର ସୈାନ୍ଦର୍ଯ୍ୟକରଣ ତଥା ଭିତିଭୂମି ନିମନ୍ତେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଭାରପ୍ରାପ୍ତ ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମାଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଏହାର କାର୍ଯ୍ୟ ଓଟିଡିସି (ଓଡିଶା ପର୍ଯ୍ୟଟନ ଉନ୍ନୟନ ସଂସ୍ଥା) ଦ୍ୱାରା କରାଯାଉଛି । ପ୍ରେମ ପାହାଡର ଚର୍ତୁପାଶ୍ୱର୍ରେ ୯୦୦ମିଟର ବୃତାକାରରେ ସହରବାସୀଙ୍କ ପାଇଁ ପାଦଚଲା ପଥ ନିର୍ମାଣ କରାଯାଇଥିବା ବେଳେ ତଳରୁ ବସି ପାହାଡର ସୈାନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ୨୯ଗୋଟି ସିଟିଂ ଚେୟାର ବ୍ୟବସ୍ଥା କରାଯାଇଛି । ସେହିପରି ପାହାଡର ଚାରିପଟ ପାଚେରୀ ନିର୍ମାଣ କରାଯାଇଥିବା ବେଳେ ୩ଟି ମୁଖ୍ୟଦ୍ୱାର ନିର୍ମାଣ କରାଯାଇଛି । ପାଦଚଲା ପଥ କଡରେ ସିମେଂଟ କୁଣ୍ଡରେ ବିଭିନ୍ନ କିସମର ଫୁଲଗଛଗୁଡିକ ଲଗାଯିବା ପାଇଁ ଯୋଜନା ରହିଥିବା ବେଳେ ପାହାଡ ଉପରେ ୨ଟି ଡେକୋରେଟିଭ୍ ଭ୍ୟିୁ ପଏଂଟ, ଲୋକେ ବସି ଚା’ପିଇବା ପାଇଁ ଟି-ହାଉସ ଓ ୨ଟି ମସରୁମ ହାଉସ (ଛତୁ ଆକାରର ଘର) ଆଦି ନିର୍ମାଣ କରାଯାଇଛି । ସେହିପରି ଆଗାମୀ ଦିନରେ ଏହାର ଚର୍ତୁପାଶ୍ୱର୍ରେ ଆଲୋକ’ର ବ୍ୟବସ୍ଥା କରାଯିବା ବୋଲି ଜଣାପଡିଛି । ପ୍ରେମ ପାହାଡର ପାଦଚଲା ରାସ୍ତା ନିର୍ମାଣ ହୋଇ ସାରିଥିବା ଯୋଗୁଁ ଏଠାକୁ ପ୍ରତ୍ୟେହ ପ୍ରାତଃ ଓ ସାନ୍ଧ୍ୟ ସମୟରେ ବରିଷ୍ଠ ନାଗରିକଙ୍କ ଠାରୁ ମହିଳା,ଯୁବକମାନେ ସମସ୍ତେ ଭ୍ରମଣରେ ଆସିଥାନ୍ତି ।
ଏହାର ଚର୍ତୁପାଶ୍ୱର୍ରେ ପାଚେରୀ ରହଥିବା ଯୋଗୁଁ ମହିଳା, ଯୁବତୀ ଭ୍ରମଣକାରୀମାନେ ନିଜକୁ ସୁରକ୍ଷିତ ମଣି ଅଧିକ ସଂଖ୍ୟାରେ ଏଠାକୁ ଆସିଥାନ୍ତି । ସରୁକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଏଠାରେ ପୋଲିସ କର୍ମଚାରୀ ନିୟୋଜିତ କରାଯାଇଛି । ପାହାଡର ଗୋଟିଏ ଭାଗରେ ମହାକାଳେଶ୍ୱରଙ୍କ ଏକ ବିରାଟ ମୂର୍ତିର ଅବସ୍ଥାପିତ ଯୋଗୁଁ ଏଠାରେ ଶିବଭକ୍ତମାନେ ନିଜ ପରିବାରଙ୍କ ସହ ପ୍ରତିଦିନ ଆସି ପୂଜାର୍ଚ୍ଚନା କରିବା ସହ ପ୍ରେମ ପାହାଡର ପ୍ରାକୃତିକ ସୈାନ୍ଦର୍ଯ୍ୟକୁ ଭରପୂର ଉପଭୋଗ କରୁଥିବା ବେଳେ ଅନ୍ୟ ଭାଗରେ ଛୋଟ ବଡ ଶ୍ରୀ ଗଣେଷ,ଶିବ ମନ୍ଦିର ନିର୍ମାଣ ମଧ୍ୟ କରାଯାଇଛି । ଅଦରକାରୀ ହୋଇ ପଡିରହିଥିବା ପାହାଡକୁ ସୈାନ୍ଦର୍ଯ୍ୟକରଣ ଜରିଆରେ ଲୋକଙ୍କ କାର୍ଯ୍ୟରେ ଆସି ପାରୁଥିବାରୁ ପ୍ରଶାସନର ଏପରି ପଦକ୍ଷେପକୁ ସହରବାସୀ ସାଧୁବାଦ ଜଣାଇଛନ୍ତି । ଏହି ପ୍ରେମ ପାହାଡକୁ ସବୁଜବନାନୀରେ ପରିପୂର୍ଣ୍ଣ କରିବା ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ସହରର ବହୁ ସ୍ୱେଚ୍ଛାସେବୀ ସଂଘ ପକ୍ଷରୁ ଅନେକ ସମୟରେ ବୃକ୍ଷରୋପଣ କରାଯାଇଥିବାରୁ ବର୍ତମାନ ପାହାଡର ଏକ ତୃତୀୟାଂଶରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଥିବ ପରିଲିକ୍ଷିତ ହେଉଛି । ତେବେ ପ୍ରାକୃତିକ ସୈାନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହୋଇଥିବା ପ୍ରେମ ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳି ପାରି ନ ଥିବା ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଲିମା ପ୍ରକାଶ କରିଛନ୍ତି । ରାୟଗଡା ଜିଲ୍ଳାରେ ପର୍ଯ୍ୟଟନ ପାଇଁ ଅନେକ ସମ୍ଭାବନା ରହିଛି । ଜିଲ୍ଳାରେ ପର୍ଯ୍ୟଟନ ସ୍ଥଳୀ ଦୃଷ୍ଟିରୁ ଦେଖିବାକୁ ଗଲେ ଏହି ଜିଲ୍ଳାରେ ବହୁତ ଗୁଡିଏ ଦର୍ଶନୀୟ ସ୍ଥାନ ମଧ୍ୟରେ ଶୈବ, ଶାକ୍ତ, ବୈାଦ୍ଧ, ଜୈନ ଧର୍ମାବଲମ୍ବୀଙ୍କ ମିଳନ କ୍ଷେତ୍ର ଓ ତନ୍ତ୍ରପୀଠଗୁଡିକ ରହିଛି । ଜିଲ୍ଳାର ବିଭିନ୍ନ ଅଂଚଳରେ ଶକ୍ତିି ପୂଜାର ପ୍ରଚଳନ ରହିଥିବା ଜଣାପଡିଥିବା ବେଳେ ଉଦ୍ଧାର ହୋଇଥିବା ଶହ ଶହ ବର୍ଷର ଶିଳାଲିପି ଓ ତାମ୍ର ଫଳ ଭଗ୍ନାଂଶ ଏହାର ମୂକ ଉଦାହରଣ । ସେହିପରି ଚନ୍ଦ୍ରପୁର, ହନୁମନ୍ତପୁର, ମୁକୁନ୍ଦପୁରର ହାତୀଖମ୍ବା, ପଦ୍ମପୁର, ପାଇକପଡା ଇତ୍ୟାଦି ସ୍ଥାନମାନଙ୍କରେ ବହୁ ପୁରାତନ ମୂର୍ତି ପଡି ରହିଥିବା ଦେଖିବାକୁ ମିଳିଥାଏ ।
ରାୟଗଡା ଜିଲ୍ଳାରେ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାଜ୍ୟ ତଥା ଦେଶ ବାହାର ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ତଥା ପର୍ଯ୍ୟଟନର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ଆରମ୍ଭ କରି ଜିଲ୍ଳା ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଜିଲ୍ଳାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡିକ ପରିଦର୍ଶନ କରିଥାନ୍ତି । ଗମନାଗମନ ଦୃଷ୍ଟିରୁ ରାୟଗଡ ଜିଲ୍ଳା ମଧ୍ୟ ଦେଇ ଯାଇଥିବା ପୂର୍ବତଟ ରେଲବାଇ ଦ୍ୱାରା ଦେଶର ବଡ ବଡ ସହରଗୁଡିକ ସହିତ ସଂଯୋଗ ସ୍ଥାପନା ହୋଇ ପାରୁଛି । ସେହିପରି ଜିଲ୍ଳା ମଧ୍ୟ ଦେଇ ୩୨୬ନମ୍ବର ଜାତୀୟ ରାଜପଥ ଓ ରାଂଚି – ବିଜୟୱାଡା କରିଡର ରାସ୍ତାର ସଂଯୋଗ ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଏହା ସିଧାସଳଖ ସଡକପଥରେ ସଂଯୋଗ କରିଥାଏ ।