ଭାରତୀୟ ସେନାର ଗୌରବ ଗାଥାକୁ ସମ୍ମାନ ଜଣାଇ “ପରାକ୍ରମ” ରାଲି ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଅପରେସନ ସିନ୍ଦୂରରେ ଭାରତୀୟ ସେନାର ଗୌରବ ଗାଥାକୁ ସମ୍ମାନ ଜଣାଇ ଆଜି “ପରାକ୍ରମ” ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଓ ପୌର ପରିଷଦର ମିଳିତ ଦ୍ୱାରା ଆୟୋଜିତ ଏହି ବାଇକ ରାଲି ଭାରତୀୟ ସେନାଙ୍କ ଅଭୂତ ପୂର୍ବ ତ୍ୟାଗ, ସାହସ ଓ ଦୁଃସାହସିକତା ପ୍ରତି ସମ୍ମାନ ଓ ସ୍ମୃତି ସ୍ୱରୂପ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଭାରତର ସୁରକ୍ଷା ପାଇଁ ସେନାର ଅଗାଢ ପରିଶ୍ରମକୁ ସମ୍ମାନ ଦେବା ଓ ନାଗରିକଙ୍କ ମଧ୍ୟରେ ଦେଶପ୍ରେମ ଓ ସୁରକ୍ଷା ଜ୍ଞାନ ବୃଦ୍ଧି କରିବା। ରାଲି କୁ ଜିଲ୍ଲାପାଳ ଅନ୍ୟା ଦାସ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ। ସେ ଅପରେସନ ସିନ୍ଦୂରରେ ଭାରତୀୟ ସେନାଙ୍କ ପରାକ୍ରମ ପ୍ରଶଂସା କରି ସେମାନଙ୍କ ପ୍ରତି ଅଭିନନ୍ଦନ ଜଣାଇଥିଲେ ଓ ସାଧାରଣ ଜନତାଙ୍କୁ ସେନାଙ୍କ ମନୋବଳ ବୃଦ୍ଧି ପାଇଁ ସଚେତନ ଓ ଉତ୍ସାହିତ କରିଥିଲେ। ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଦେଶର ସୁରକ୍ଷା ଓ ପ୍ରଗତି ପାଇଁ ନାଗରିକଙ୍କ ଏକତା ବଢ଼ାଇବା ଉପରେ ଗୁରୁତ୍ୱରୋପ କରିଥିଲେ। ଏହି ତ୍ରିରଙ୍ଗା ପରାକ୍ରମ ଶୋଭାଯାତ୍ରା ସୋନପୁର ରୋୟାଲ ପଡିଆରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, କଚେରୀ ଛକ, ବିଜୁ ପଟ୍ଟନାୟକ ଛକ, ନଳିନୀ ଛକ ମାର୍ଗରେ ଗତି କରି ନୂତନ ଟାଉନ ହଲ ପରିସରରେ ସମାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ସମେତ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ଉପଜିଲ୍ଲାପାଳ, ପୌରପରିଷଦ ଅଧ୍ୟକ୍ଷା, ସ୍ଥାନୀୟ ଜନ ପ୍ରତିନିଧି, ସମସ୍ତ ସରକାରୀ ପଦାଧିକାରୀ ଓ କର୍ମଚାରୀ, ପୋଲିସ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ସଂଘ କର୍ମକର୍ତ୍ତା, ଏନସିସି, ଏନଏସଏସ, ରେଡକ୍ରସ, ପୌର ପରିଷଦ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱୟଂ ସହାୟକ କର୍ମକର୍ତ୍ତା ଓ ଜିଲ୍ଲାର ସମସ୍ତ ବର୍ଗରୁ ବହୁ ସଂଖ୍ୟାରେ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠିତ ଶୋଭାଯାତ୍ରା ଏସପି, ଏଡିଏମ, ସବ କଲେକ୍ଟର ବୀରମହାରାଜପୁର, ନିର୍ବାହୀ ଅଧିକାରୀ ପୌରପରିଷଦ ସୋନପୁର ୠଷି ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବାବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ମନୋରଞ୍ଜନ ତ୍ରିପାଠୀ, ଅବିନାଶ ହୋତା ପ୍ରମୁଖ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.