ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା ଅଭିଯାନ: ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’

ମେ’ ୨୮ ବିଶ୍ୱ ୠତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବେ ହେଲା ପାଳିତ

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମାସିକ ଋତୁସ୍ରାବ ବା ପିରିୟଡ୍‌ସ ଜଣେ କିଶୋରୀ ଓ ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ ଓ ସଙ୍କୋଚ ରହିଛି। ଏପରିକି ଅନେକ କ୍ଷେତ୍ରରେ ସେମାନେ ନିଜ ଘରେ ବିଭିନ୍ନ ବାସନ୍ଦର ଶିକାର ହେବା ସହ ସମାଜ ଓ କାର୍ଯ୍ୟକ୍ଷେତ୍ରରେ ନାନା ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ତେଣୁ, ଏ ବିଷୟରେ ଡିଜିଟାଲ ମିଡିଆ ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କରାଯାଉଛି ବିଶେଷ ଅଭିଯାନ – ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’।

ପ୍ରତିବର୍ଷ ମେ’ ୨୮ ତାରିଖକୁ ‘ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ’ ଭାବେ ପାଳନ କରାଯାଉଛି। ଏହାର ଥିମ୍ ରହିଛି ‘ଟୁଗେଦର ଫର ଏ ପିରିୟଡ୍ ଫ୍ରେଣ୍ଡଲି ୱାର୍ଲ୍ଡ’। ଏହି ଅବସରରେ ଆଇଏଫଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଏବଂ ‘ଓଡ଼ିଶାଲାଇଭ୍’ ପକ୍ଷରୁ ଲଗାତର ତୃତୀୟ ବର୍ଷ ପାଇଁ ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’ ଶୀର୍ଷକରେ ଏକ ମିଳିତ କ୍ୟାମ୍ପେନ କରାଯାଉଛି। ମେ’ ୨୦ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୯ ତାରିଖ ଯାଏଁ ଚାଲିବ।

ଅଭିଯାନ ଅଧୀନରେ ଋତୁସ୍ରାବ ଭଳି ଏକ ସମ୍ବେଦନଶୀଳ ବିଷୟରେ ବିଭିନ୍ନ ଡାକ୍ତରଙ୍କ ସାକ୍ଷାତକାରକୁ ଆଧାରକରି ଭିଡିଓ ସିରିଜ ସୋସିଆଲ ମିଡିଆ ମାଧ୍ୟମରେ ପ୍ରସାରଣ କରାଯାଉଛି। ଏହାସହିତ ୠତୁସ୍ରାବକୁ ନେଇ ପ୍ରମୁଖ ସାମାଜିକ କର୍ମୀ, ସେଲିବ୍ରିଟି ତଥା ଯୁବପିଢ଼ିର ଅନୁଭୂତି ଓ ଅଭିମତକୁ ଗୁରୁତ୍ୱ ଦିଆଯାଉଛି। ବିଶେଷକରି, ପ୍ରଥମ ୠତୁସ୍ରାବରୁ (ମେନାର୍କି) ଶେଷ ୠତୁସ୍ରାବ (ମେନୋପଜ୍) ପର୍ଯ୍ୟନ୍ତ ଜଣେ ମହିଳାଙ୍କ ଜୀବନର ବିଭିନ୍ନ ଅବସ୍ଥା ସମ୍ପର୍କରେ ଏହି ଅଭିଯାନରେ ସଚେତନତାର ବାର୍ତ୍ତା ଦିଆଯାଉଛି।

ଅଭିଯାନରେ ପ୍ରସାରିତ ବିଭିନ୍ନ ବିଷୟ ମଧ୍ୟରେ ରହିଛି ଋତୁସ୍ରାବ କ’ଣ ଓ କାହିଁକି, ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା, ଋତୁସ୍ରାବଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ତା’ର ଉପଚାର ସହିତ ବିଭିନ୍ନ ଅନ୍ଧବିଶ୍ୱାସର ମୁକାବିଲା। ସେହିପରି ସାନିଟାରି ପ୍ୟାଡଠାରୁ ଆରମ୍ଭକରି ପରିବେଶ ଉପଯୋଗୀ ପିରିୟଡ୍ କପ୍ ଏବଂ ଟାମ୍ପୁନ୍ ଭଳି ଆଧୁନିକ ପିରିୟଡ୍ ପ୍ରଡକ୍ଟ ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯାଉଛି। “ୠତୁସ୍ରାବ ପରିଚ୍ଛନ୍ନତା ଉପରେ ଆଜି ପୃଥିବୀର ବିଭିନ୍ନ ଦେଶ ଗୁରୁତ୍ୱ ଦେଉଛନ୍ତି। ଏହାକୁ ଅଗ୍ରାଧିକାର ଦେଇ ସ୍ୱତନ୍ତ୍ର ପଲିସି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ୠତୁସ୍ରାବ ଜଣେ ମହିଳାଙ୍କ ସ୍ୱପ୍ନ ଏବଂ ଅଗ୍ରଗତି କ୍ଷେତ୍ରରେ ଯେପରି ବାଧକ ନହୁଏ ସେ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ସମୟ ଆସିଛି। ତେଣୁ, ଏଭଳି ଏକ ଜନସ୍ୱାସ୍ଥ୍ୟ ବିଷୟକୁ ନେଇ ଡିଜିଟାଲ ମିଡିଆ ମାଧ୍ୟମରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି,” କହିଛନ୍ତି କ୍ୟାମ୍ପେନର ନିର୍ଦ୍ଦେଶକ ତଥା ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କର ସିଇଓ ସିଦ୍ଧାର୍ଥ ରଥ।

ଆଇଏଫଆଇ ଫାଉଣ୍ଡେସନ ବିଶ୍ୱ ୠତୁସ୍ରାବ ପରିଚ୍ଛନ୍ନତା ଦିବସକୁ ପରିଚାଳନା କରୁଥିବା ଅନ୍ତର୍ଜାତୀୟ ସଙ୍ଗଠନର ଅଫିସିଆଲ ପାର୍ଟନର ଭାବେ ଯୋଡ଼ି ହୋଇଛି। ବରିଷ୍ଠ ସାମ୍ବାଦିକ ତଥା କମ୍ୟୁନିକେସନ ସ୍ପେଶାଲିଷ୍ଟ ନୀଳାମ୍ବର ରଥ ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’ ଅଭିଯାନର ଅଧ୍ୟକ୍ଷ ଅଛନ୍ତି।କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱର ଏବଂ ପାରାଦୀପ ଫସଫେଟ୍ସ ଲିମିଟେଡ୍ ଚଳିତ ବର୍ଷ ଏହି କ୍ୟାମ୍ପେନର ଆସୋସିଏଟ୍ ପାର୍ଟନର ରହିଛନ୍ତି। ଗତ କିଛି ଦଶନ୍ଧି ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି। କିନ୍ତୁ ଚିନ୍ତାର ବିଷୟ ଯେ, ଆଜି ବି ପୃଥିବୀର ପ୍ରାୟ ୫୦ କୋଟିରୁ ଅଧିକ କିଶୋରୀ ଓ ମହିଳାଙ୍କ ପାଖରେ ଋତୁସ୍ରାବ ସ୍ୱାସ୍ଥ୍ୟ ବାବଦରେ ଆବଶ୍ୟକ ସୂଚନା, ବିଭିନ୍ନ ପିରିୟଡସ୍ ପ୍ରଡକ୍ଟ ଏବଂ ଋତୁସ୍ରାବ ପରିଚ୍ଛନ୍ନତା ପରିଚାଳନା ପାଇଁ ଆବଶ୍ୟକ ସୁବିଧା ନାହିଁ। ବିଶେଷକରି, ଆର୍ଥିକ ସମସ୍ୟା, ପୁରୁଣାକାଳିଆ ସାମାଜିକ ପ୍ରଥାର ପ୍ରଭାବ ସହ ଋତୁସ୍ରାବ ଶିକ୍ଷା ଓ ସଚେତନତାର ଅଭାବ ଏହାର ପ୍ରମୁଖ କାରଣ। ଏ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏହି ମିଳିତ ଡିଜିଟାଲ କ୍ୟାମ୍ପେନ କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.