ଚାଲିଛି ତୁଳାପଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ମଇ ୨୫ ରୁ ଜୁନ ୨ ଯାଏଁ ଚାଲିବ କାର୍ଯ୍ୟକ୍ରମ, ଶୁଭେଚ୍ଛା ଜଣାଇଲେ ନର୍ଲା ବିଧାୟିକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା(ଉପରପଡା) ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ୨୫/୫ ରବିବାର ଅପରାହ୍ନ ୩ ଘଣ୍ଟା ସମୟରୁ ଆରମ୍ଭ ହୋଇଛି। ରବିବାର ଅପରାହ୍ନ ୩ ଘଣ୍ଟା ସମୟରେ ସ୍ଥାନୀୟ ବଣାମୁଡା ସାଗରରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ୫୦୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ମହିଳା ପୁରୁଷ ଅଂଶ ଗ୍ରହଣ କରିଥିଲେ। କଳସ ଆଣି ନବ ନିର୍ମିତ ଜଗନ୍ନାଥ ମନ୍ଦିର ପାଶ୍ୱର୍ସ୍ଥ ଯଜ୍ଞ ମଣ୍ଡପରେ ସ୍ଥାପନା କରିବା ପରେ କାୟାଶୁଦ୍ଧି, ଅଙ୍କୁରାରୋପଣ, ମଣ୍ଡଳ କର୍ମ ଓ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ସେହିଭଳି ଯଜ୍ଞର ଦ୍ୱିତୀୟ ଦିବସରେ ବରୁଣ ପୂଜା, ମାତୃପୂଜା, ଦେବତା ଗର୍ଭାଧାନ ଓ ସଂଧ୍ୟାରେ ସଂଧ୍ୟା ଆଳତୀ ଅନୁଷ୍ଠିତ ହୋଇଥିଲା।  ମଙ୍ଗଳବାର ତୃତୀୟ ଦିବସରେ କର୍ତ୍ତା ମାର୍ଜନା, ମଣ୍ଡଳ ପୂଜା, ମାତୃ ମଣ୍ଡଳ, ଦିଗପାଳ ମଣ୍ଡଳ ପ୍ରଭୃତି କର୍ମ ଅନୁଷ୍ଠିତ ହୋଇଥିଲା। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ୨୫/୫ ରୁ ୨/୬ ଯାଏଁ ଚାଲିବ ବୋଲି କମିଟି ସୂତ୍ରରୁ ଜଣାପଡିଛି। ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିଚାଳନା କମିଟିର ସଭାପତି ଭାବରେ ଅରୁଣ କୁମାର ନାୟକ ଓ ସମ୍ପାଦକ ଭାବରେ ଗଙ୍ଗାଧର ନାୟକ ରହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ପଞ୍ଚ କୁଣ୍ଡୀୟ ଯଜ୍ଞର କର୍ତ୍ତା ଭାବରେ ପ୍ରତିମା ନାୟକ ଓ ଗଙ୍ଗାଧର ନାୟକ, କେତକୀ ନାୟକ ଓ ମନମୋହନ ନାୟକ, ସୁଜାତା ନାୟକ ଓ ଅରୁଣ କୁମାର ନାୟକ ଏବଂ କଳ୍ପନା ପଧାନ ଓ ନେପାଳ ପଧାନ ଏଭଳି ଚାରିଯୋଡି କର୍ତ୍ତା ଦମ୍ପତି ଯଜ୍ଞ କୁଣ୍ଡରେ ଘୃତାହୂତି ପ୍ରଦାନ କରୁଛନ୍ତି। ସେହିଭଳି ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ ପରିଚାଳନାର ମୁଖ୍ୟ ଆଚାର୍ଯ୍ୟ ଭାବରେ ପଣ୍ଡିତ ଦେବପ୍ରସାଦ ଷଢଙ୍ଗୀ ପୂଜନ କାର୍ଯ୍ୟ କରିଚାଳନା କରୁଥିବା ବେଳେ ପୁସ୍ତକାଚାର୍ଯ୍ୟ ଭାବରେ ରଥପ୍ରସାଦ ପାଢୀ, ସହ ପୁସ୍ତକାଚାର୍ଯ୍ୟ ଭାବରେ ଲମ୍ବୋଦର ପାଢୀ, ବ୍ରହ୍ମା ପୂଜକ ଭାବରେ ଘନଶ୍ୟାମ ତ୍ରିପାଠୀ ରହି ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି। ଆଶୁତୋଷ ପାଢୀ, ତ୍ରୀଲୋଚନ ତ୍ରୀପାଠୀ, ସୁନୀଲ ପାଢୀ, ନୀରଜ ତ୍ରୀପାଠୀ, ଉମା ପାଢୀ, ଦେବ ଖାଡଙ୍ଗା, ବିଷ୍ଣୁ ପାଢୀ ପ୍ରମୁଖ ପୂଜନ କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡିଛି। ବିଜୟ ଖାଡଙ୍ଗା, କେଶବ ପାଢୀ ଓ ପ୍ରସାଦ ପାଢୀ ପାଚକ ଦାଇତ୍ୱ ନିର୍ବାହନ କରୁଥିବା ଜଣାପଡିଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ଆସନ୍ତା ୨୯/୫ ରୁ ୨/୬ ଯାଏଁ ୩୨ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ। ଏଥିପାଇଁ ୧୯ ଗୋଟି ସଂକୀର୍ତ୍ତନ ମଣ୍ଡଳୀଙ୍କୁ ନିମନ୍ତ୍ରୀତ କରାଯାଇଛି। ୯ ଗୋଟି ଦଳ ୧୬ ପ୍ରହର ଲେଖାଏଁ ସଂକୀର୍ତ୍ତନ ପରିବେଷଣ କରିବେ। ଏଥିରେ କର୍ତ୍ତା ଭାବରେ ମମତା ପଧାନ ଓ କ୍ଷୀରସିନ୍ଧୁ ପଧାନ ଏବଂ ବିଜୟ ସାହୁ ଦମ୍ପତି ଦାଇତ୍ୱ ନିର୍ବାହନ କରିବେ ବୋଲି ଜଣାପଡିଛି। ପ୍ରତ୍ୟହ ରାତ୍ର ୮ ଘଣ୍ଟା ସମୟରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରବଚନ, ସୀତାଚୋରୀ ଓ ଲବକୁଶ ଜନ୍ମ ପ୍ରଭୃତି ଅନୁଷ୍ଠିତ ହେଉଥିବା ବେଳେ ଓଡିଶାରେ ସୁନାମ ଅର୍ଜନ କରିଥିବା କଣ୍ଠ ଶିଳ୍ପୀ ବିଜେ୍ଞଶୀ ବାରିକ, ପ୍ରିତିନନ୍ଦା ମିଶ୍ର ଓ ମିନୁ ପଧାନଙ୍କ ଦ୍ୱାରା ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ରହିଥିବା କମିଟି ସୂତ୍ରରୁ ଜଣାପଡିଛି। ଏଇଠି ନାମଯଜ୍ଞ, ଅନ୍ନଯଜ୍ଞ, ଜ୍ଞାନଯଜ୍ଞ ଅନବରତ ଚାଲିଛି। ପରିଚାଳନା କମିଟି ସଦସ୍ୟଙ୍କ ସମେତ ଗ୍ରାମର ଜନ ସାଧାରଣ ଓ ଯୁବବର୍ଗ ସମସ୍ତ ବିଭାଗ ଦାୟୀତ୍ୱରେ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି। ମେଘୁଆ ପାଗ ଓ ଝିପି ଝିପି ବର୍ଷା ସତ୍ୱେ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳୁଛି। ନାମଯଜ୍ଞ ମଣ୍ଡପ ପାର୍ଶ୍ୱରେ ଚାଲୁଥିବା ମୀନା ବଜାର କାର୍ଯ୍ୟକ୍ରମକୁ ଆହୁରି ରଙ୍ଗୀନ କରିଦେଇଛି। ଏଇଠି ଛୋଟ ଶିଶୁ ଓ ମହିଳାଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳୁଛି। ଆସନ୍ତା ଜୁନ ୨ ରେ ନାମଯଜ୍ଞ ସମାପନ, ପୂର୍ଣ୍ଣାହୂତି ଓ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଥିବା କମିଟି ସୂତ୍ରରୁ ଜଣାପଡିଛି। ତୁଳାପଡ଼ା ଅଞ୍ଚଳ ବାସୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ କରିଥିବାରୁ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ତଥା ତୁଳାପଡ଼ା ସମିତି ସଦସ୍ୟ ଦୁର୍ଗାପ୍ରସାଦ ମହାନ୍ତି ପରିଚାଳନା କମିଟି ଓ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.