ନଗର ସଂକୀର୍ତ୍ତନ ଓ ଦଧି ହାଣ୍ଡି ଭାଙ୍ଗିବା ସହ ଉଦଯାପିତ ହେଲା ଷୋହଳ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ବଜାରପଡ଼ା ସାପ୍ତାହିକ ହାଟ ପ୍ରାଙ୍ଗଣରେ ଅନୁଷ୍ଠିତ ଷୋହଳ ପ୍ରହର ନାମଯଜ୍ଞ ଗୁରୁବାର ନଗର ସଂକୀର୍ତ୍ତନ ଓ ଦଧି ହାଣ୍ଡି ଭାଙ୍ଗିବା ସହିତ ଉଦଯାପିତ ହୋଇଯାଇଛି। ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ଅବସରରେ ଲାଞ୍ଜିଗଡ଼ ବଜାରପଡ଼ା ସାପ୍ତାହିକ ହାଟ ପ୍ରାଙ୍ଗଣରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା I ୧୩ ତାରିଖ ସୋମବାର ସନ୍ଧ୍ୟାରେ ଏଥିପାଇଁ ବଂଶଧାରା ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା I ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଚନ୍ଦ୍ରମଣି ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କଳସ ଶୋଭାଯାତ୍ରା ହଜାର ହଜାର ମହିଳା ଭକ୍ତ ସାମିଲ ହୋଇଥିଲେ। ଶୁଭକଳସ ସ୍ଥାପନ ସହ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୧୪ ତାରିଖ ମଙ୍ଗଳବାର ଦିନ ସକାଳ ୭ ଘଣ୍ଟା ୨୫ ମିନିଟ ସମୟରେ ନାମଯଜ୍ଞର ମହାମନ୍ତ୍ର କାର୍ଯ୍ୟାରମ୍ଭ କରାଯାଇଥିଲା । ଏଥିରେ କର୍ତ୍ତା ଭାବେ ପିତାମ୍ବର ଡମବିଶି ଓ ତାଙ୍କ ଧର୍ମପତ୍ନୀ ଦେବକୀ ଓ ରାଘବ ଗହୀର ଓ ଲୁଚନା ପୋଡ଼ ସହକର୍ତ୍ତା ଭାବେ ଦାୟିତ୍ବ ତୁଲାଉଥିବାବେଳେ ପୂଜକ ଭାବେ ମୁରଲୀଧର ତ୍ରିପାଠୀ ,ଚକ୍ରଧର ତ୍ରିପାଠୀ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ମଧୁସୂଦନ କର, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, କରୁଣାକର ତ୍ରିପାଠୀ, ରବୀନ୍ଦ୍ର ଦାସ, ଟଙ୍କଧର ଦାସ ପ୍ରମୁଖ ଦାୟିତ୍ବ ତୁଲାଉଛନ୍ତି I ଦୀନବନ୍ଧୁ ବାରିକ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ଏହି ଷୋହଳ ପ୍ରହର ନାମଯଜ୍ଞରେ ଲାଞ୍ଜିଗଡ ସମେତ ବିଭିନ୍ନ ଅଞ୍ଚଳର ୯ ଗୋଟି ସଂକୀର୍ତ୍ତନ ଦଳ ସାମିଲ ହେଇଥିଲେ। ୧୬ ତାରିଖ ସକାଳ ୭ ଘଣ୍ଟା ୨୫ ମିନିଟ ସମୟରେ ନାମ ସମାପ୍ତ ହୋଇଥିଲା ଏବଂ ଦଧି ହାଣ୍ଡି ଭାଙ୍ଗିବା ପରେ ସଂକୀର୍ତ୍ତନ ଦଳ ସହିତ ହଜାର ହଜାର ଶ୍ରଦ୍ଧାଳୁ ନଗର ସଂକୀର୍ତ୍ତନ କରି ଲାଞ୍ଜିଗଡ ସହର ପରିକ୍ରମା କରିଥିଲେ। ଷୋହଳ ପ୍ରହର ନାମଯଜ୍ଞ ପରିସରରେ ୨ ଦିନ ଧରି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଓ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଲାଞ୍ଜିଗଡ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.