ନାହିଁ ପାନୀୟ ଜଳ ଓ ଲାଇଟ ବ୍ୟବସ୍ଥା
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଣିଷର ଶେଷ ଯାତ୍ରା ହେଉଛି ଶ୍ମଶାନ ଘାଟକୁ । ଅନ୍ତତଃ ଶେଷ ଯାତ୍ରାରେ ଟିକେ ଶାନ୍ତିରେ ଆତ୍ମା ସ୍ୱର୍ଗ ପ୍ରାପ୍ତି ହେଉ ବୋଲି ସମସ୍ତଙ୍କ ଇଚ୍ଛା । ଆଗରୁ ଲୋକେ ଶବ ନେଇ ନଦୀ ପଠା, ବିଲ ହୁଡା ପ୍ରଭୃତିରେ ଦାହ ସଂସ୍କାର କରୁଥିଲେ।ହେଲେ ଗତ ୧୦ ବର୍ଷ ହୋଇଗଲା ସମସ୍ତ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ ଗୁଡିରେ ଗ୍ରାମ ପଞ୍ଚାୟତ ଗୁଡିକ ତରଫରୁ ଶବଦାହ ମଞ୍ଚ ବା ସ୍ମଶାନ ଘାଟ ଗୁଡିକ ନିର୍ମିତ ହୋଇଛି । ହେଲେ ଅନେକ ସ୍ଥାନରେ ଶ୍ମଶାନ ଘାଟ ଗୁଡିକ ଅପନ୍ତରିଆ ହୋଇ ପଡିଥିବା ଦେଖିବାକୁ ମିଳୁଛି । ନର୍ଲା ବ୍ଳକ ଅଧନସ୍ଥ ସର୍ଗିଗୁଡା ଗ୍ରାମ ଦେଇ ବୋହି ଯାଇଥିବା ସାନ୍ଦ୍ରଲ ନଦୀ ତଥା ସାନ୍ଦ୍ରଲ ବ୍ରିଜ ତଳ ଭାଗରେ ରହିଛି ସ୍ମଶାନ ଘାଟ ବା ପ୍ରେମାଟୋରିୟମ। ଏହାର ଚତୁଃ ପାର୍ଶ୍ବ ଖାଲ ଖମାରରେ ଭରି ରହିଥିବା ବେଳେ ଶ୍ମଶାନ ସ୍ଥଳ ପର୍ଯ୍ୟନ୍ତ ଶବ ନେଇଯିବା ପାଇଁ ରାସ୍ତାଟେ ନାହିଁ। ଝାଡ ଜଙ୍ଗଲରେ ଚତୁଃପାର୍ଶ୍ବ ପରି ବେଷ୍ଟିତ ହୋଇ ରହିଛି । ଆଉ ବିଶେଷ ସମସ୍ୟା ହେଉଛି ଯଦି କୌଣସୀ ବ୍ୟକ୍ତି ବା ମହିଳା ସଂଧା ୫ ରୁ ୮ ଟା ମଧରେ ମରିଗଲା ତେବେ କଥା ସରିଲା। କାରଣ ଶବ ଶ୍ମଶାନ ଘାଟକୁ ନେଇ ଦାହ ସଂସ୍କାର କରିବା ବେଳକୁ ରାତି ୧୦। ଆଉ ଶ୍ମଶାନ ଘାଟରେ ଲାଇଟର ବ୍ୟବସ୍ଥା ନଥିବାରୁ ଲୋକେ ମୋବାଇଲ ଲାଇଟ ଆଲୁଅ ହେଉ ଅଥବା ବାଇକ ଷ୍ଟାର୍ଟରେ ରଖି ବାଇକର ହେଡ ଲାଇଟ ଜଳେଇ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଦାହ ସଂସ୍କାର କରୁଥିବା ଦେଖିବାକୁ ମିଳୁଛି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ।ଏହି ସମସ୍ୟା କେବଳ ସର୍ଗିଗୁଡା ବୋଲି ନୁହଁ ନର୍ଲା ବ୍ଳକ ଅଧିନସ୍ଥ ଅନେକ ଗୁଡିଏ ଗ୍ରାମ ପଞ୍ଚାୟତ ର ଗ୍ରାମ ଗୁଡିକରେ ରହିଥିବା ଶ୍ମଶାନ ଘାଟ ପ୍ଲାଟଫର୍ମ ଗୁଡିକର ଅବସ୍ଥା ସମାନ। ସହର ଗୁଡିକରେ ରହିଥିବା ଶ୍ମଶାନ ଘାଟ ଗୁଡିକରେ ଶବ ନେଇ ଯାଉଥିବା ଲୋକଙ୍କ ପାଇଁ ବିଶ୍ରାମ ନିମନ୍ତେ ବସିବା ପାଇଁ ବେଞ୍ଚର ବ୍ୟବସ୍ଥା, ଆଲୁଅର ସ୍ର ବ୍ୟବସ୍ଥା ଓ ପାନୀୟ ଜଳ ପାଇଁ ବୋରିଂ ସବୁ ସରକାରଙ୍କ ତରଫରୁ ବ୍ୟବସ୍ଥା ରହିଛି । ହେଲେ ଗ୍ରାମାଞ୍ଚଳ ଗୁଡିକରେ ରହିଥିବା ପ୍ରେମାଟୋରିୟମରେ ଦିନ ବେଳା ଶବ ସତ୍କାର ତ ଯାହିଁ ତାହି ଭାବରେ ଚଳି ଯାଉଛି। ହେଲେ ରାତିରେ ଶବ ସଂସ୍କାର ପାଇଁ ଏସବୁ କିଛି ବ୍ୟବସ୍ଥା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ଏଣୁ ସର୍ଗିଗୁଡା ସାନ୍ଦ୍ରଲ ନଦୀ କୂଳରେ ଅଗ୍ନିଶମ ବିଭାଗ ଅଫିସ ସମ୍ମୁଖରେ ରହିଥିବା ଶ୍ମଶାନ ଘାଟରେ ଆଲୋକ, ଶବ ସତ୍କାର ପାଇଁ ଯାଇଥିବା ଲୋକଙ୍କ ନିମନ୍ତେ ବସିବା ପାଇଁ ବେଞ୍ଚ ଓ ପାନୀୟ ଜଳର ସୁ ବ୍ୟବସ୍ଥା ଗ୍ରାମ ପଞ୍ଚାୟତ କିମ୍ବା ବ୍ଳକ ପ୍ରଶାସନଙ୍କ ତରଫରୁ ହେବା ବିଧେୟ ବୋଲି ସାଧାରଣରେ ଦାବୀ ହେଉଛି ।





