ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ସହର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳିକାଣ୍ଡ କରି ରେଲି ସାହିର ଯୁବକ ନିଖିଲ ହାଡ଼ିପାକୁ ଅପହରଣ କରି ହତ୍ୟା କରିଛନ୍ତି I ନିଖିଲର ମୃତଦେହ ତୁମ୍ବିଗୁଡା ନିକଟସ୍ଥ ନାଗାବଳୀ ନଦୀ ନିକଟରେ ଠାବ ହୋଇଛି I ସ୍ଥାନୀୟ ଲୋକ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ I
ଘଟଣାରେ ଆଜି ସକାଳୁ ସକାଳୁ ପୁଲିସର ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରୁ ପୁଲିସକୁ ଏକ ବ୍ୟବହୃତ ଖୋକା ମିଳିଛି I ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି I

ସୂଚନା କି ଯେ ଗତକାଲି ପାଖାପାଖି ରାତି ୧୦ଟା ସମୟରେ କିଛି ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ଫଳରେ ନିଖିଲକୁ ପିଛା କରିଥିଲେ । ଏହି ସମୟରେ ଯୁବକ ଜଣଙ୍କ ଭୟରେ ଦୌଡି ପଳେଇବା ତାଙ୍କ ଉପରକୁ ଫାଇରିଂ ହୋଇଥିଲା । ଏପରିକି ଯୁବକ ଜଣଙ୍କ ପ୍ରାଣ ଭୟରେ ଜଣଙ୍କ ଘରକୁ ପସିଯିବା ସମୟରେ ଦୁର୍ବୁତ୍ତ ମାନେ ତାକୁ ଅପହରଣ କରି ଚାଲିଯାଇ ନିଖିଲକୁ ହତ୍ୟା ପରେ ତୁମ୍ବିଗୁଡା ନିକଟରେ ଫିଙ୍ଗି ଚାଲିଯାଇଥିଲେ I ଘଟଣାକୁ ଗୁରୁତର ଭାବେ ନେଇ ଏସଡ଼ିପିଓ ଏବଂ ଆରକ୍ଷୀ ଅଧିକାରୀ ଚାରି ଜଣିଆ ଟିମ୍ ତିଆର କରି ଅଧିକ ତଦନ୍ତ କରୁଛନ୍ତି |





