ଓଡିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ବାଗଗୁଡା ଗାଁରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନେ ଅନେକ ସମୟରେ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ତେଣୁ ବାଧ୍ୟ ହୋଇ ଆଜି ବାଗଗୁଡା ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇ ରାସ୍ତାରୋକ କରିଛନ୍ତି। କଲ୍ୟାଣସିଂହପୁର – କଳାହାଣ୍ଡି ରାସ୍ତାର ଗୁଣ୍ଡୁରୀଗୁଡ଼ା ଛକରେ ଗ୍ରାମର ସମସ୍ତ ମହିଳା ପୁରୁଷ ହାଣ୍ଡି ଗରାରେ ନଦୀ ପାଣି ରଖି ରାସ୍ତା ଅବରୋଧ କରିଛନ୍ତି। ଆନ୍ଦୋଳନ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ି ମୋଟର ଅଟକି ରହିଛି। ପ୍ରଶାସନ ପକ୍ଷରୁ ଜିପିଓ ସ୍ୱତମ ପ୍ରଧାନ ଆସି ଲୋକଙ୍କ ସହ ଆଲୋଚନା କରୁଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିଲା।





