ଯେଉଁଠି ଧର୍ମ ମରିଯାଏ, ସେଠାରେ ଗୋବିନ୍ଦ ହିଁ ଏକମାତ୍ର ସାହାରା

ହସ୍ତିନାର ସେହି ମଣିମୁକ୍ତା-ଖଚିତ ବିଶାଳ ରାଜସଭା ଆଜି କୌଣସି ଜୀବନ୍ତ ଶ୍ମଶାନର ନୀରବତାଠାରୁ ମଧ୍ୟ ଅଧିକ ଭୟଙ୍କର ମନେ ହେଉଥିଲା। ବାହାରେ ଇନ୍ଦ୍ରପ୍ରସ୍ଥର ସମ୍ରାଟ ଯୁଧିଷ୍ଠିରଙ୍କ ଦ୍ୟୁତକ୍ରୀଡ଼ାର ଅବସାନ ଘଟିଥିଲା ସତ, କିନ୍ତୁ ସଭାଗୃହର ଅଭ୍ୟନ୍ତରରେ ଧର୍ମ, ନ୍ୟାୟ ଏବଂ ମାନବିକତାର ଚିତାଗ୍ନି ହୁତହୁତ ହୋଇ ଜଳିବା ଆରମ୍ଭ କରିଥିଲା। ମାୟାବୀ ଶକୁନିର ଛଳନାପୂର୍ଣ୍ଣ ପଶାଖେଳର କୁହୁକରେ ଧର୍ମରାଜ ଯୁଧିଷ୍ଠିରଙ୍କର ସମସ୍ତ ବିବେକ ଓ ପୁଣ୍ୟ ଯେପରି ଆହୁତି ପଡ଼ିଯାଇଥିଲା। ନିଜର ବିପୁଳ ସମ୍ପତ୍ତି, ରତ୍ନଭଣ୍ଡାର, ବିସ୍ତୀର୍ଣ୍ଣ ରାଜ୍ୟ ଏବଂ ପ୍ରାଣପ୍ରିୟ ଚାରି ଭ୍ରାତାଙ୍କୁ ହାରିବା ପରେ ସେ ନିଜକୁ ମଧ୍ୟ ହାରି ଏକ ନିଃସ୍ୱ ଦାସରେ ପରିଣତ ହୋଇସାରିଥିଲେ। ଠିକ୍ ସେହି ଚରମ ସଙ୍କଟର ମୁହୂର୍ତ୍ତରେ ଶକୁନି ତାଙ୍କର ସୁପ୍ତ ଜୁଆଡ଼ି ପ୍ରବୃତ୍ତିକୁ ଉସୁକାଇ କହିଥିଲା— ହେ ରାଜନ୍! ଆପଣଙ୍କ ପାଖରେ ଏବେ ବି ଗୋଟିଏ ଅମୂଲ୍ୟ ରତ୍ନ ଅବଶିଷ୍ଟ ଅଛି, ସେ ହେଉଛନ୍ତି ପାଞ୍ଚାଳୀ ଦ୍ରୌପଦୀ। ତାଙ୍କୁ ବାଜି ଲଗାଇ ଆପଣ ନିଜର ସବୁକିଛି ପୁନର୍ବାର ଫେରିପାଇ ପାରିବେ। ମୋହାଚ୍ଛନ୍ନ ଏବଂ ବିବେକଶୂନ୍ୟ ଯୁଧିଷ୍ଠିର ନିଜର ସହଧର୍ମିଣୀଙ୍କୁ ବାଜି ଲଗାଇଦେଲେ ଏବଂ ଅବଶେଷରେ ତାଙ୍କୁ ମଧ୍ୟ ହାରିଗଲେ। ଏହି ଯୁଗାନ୍ତକାରୀ ଘଟଣା ପରେ ସଭାରେ ଆସୀନ ଥିବା ପିତାମହ ଏବଂ ବୃଦ୍ଧ ଆଚାର୍ଯ୍ୟମାନଙ୍କ ଶରୀରରୁ ଅସହାୟତାର ଶୀତଳ ଝାଳ ବୋହି ଆସୁଥିଲା। କିନ୍ତୁ ସେହି ଅମାବାସ୍ୟାର ଅନ୍ଧକାର ଭିତରେ ଦୁର୍ଯ୍ୟୋଧନ, ଦୁଃଶାସନ ଓ କର୍ଣ୍ଣଙ୍କର ପୈଶାଚିକ ଅଟ୍ଟହାସ୍ୟ ସଭାଗୃହର ଛାତକୁ ବିଦୀର୍ଣ୍ଣ କରୁଥିଲା। ଦୁର୍ଯ୍ୟୋଧନ ତୁରନ୍ତ ମନ୍ତ୍ରୀ ବିଦୁରଙ୍କୁ ଆଦେଶ ଦେଲା ସେହି ଦାସୀ ଦ୍ରୌପଦୀଙ୍କୁ ସଭା ମଧ୍ୟକୁ ଘୋଷାଡ଼ି ଆଣିବାକୁ। ମହାମତି ବିଦୁରଙ୍କ କଣ୍ଠରୁ ବାହାରି ଆସିଥିଲା ତୀବ୍ର ପ୍ରତିବାଦର ସ୍ୱର। ସେ ଚେତାବନୀ ଦେଇ କହିଥିଲେ ଯେ ଦୁର୍ଯ୍ୟୋଧନ ନିଜ ହାତରେ ନିଜ ଗଳାରେ କାଳପାଶ ଲମ୍ବାଉଛି। ନିଜକୁ ହାରିସାରିଥିବା ଏକ ଦାସ ଯୁଧିଷ୍ଠିରଙ୍କର ଦ୍ରୌପଦୀଙ୍କ ଉପରେ କୌଣସି ଅଧିକାର ନାହିଁ। ବିଦୁର ସେଠାରୁ ଯିବାକୁ ରୋକଠୋକ ମନା କରିଦେଲେ।

ଏହାପରେ ଦର୍ପୀ ଦୁର୍ଯ୍ୟୋଧନ ନିଜର ଦୂତ ‘ପ୍ରାତିକାମୀ’କୁ ଅନ୍ତଃପୁରକୁ ପଠାଇଲା। ସେହି ସମୟରେ ଅଯୋନିଜା ପାଞ୍ଚାଳୀ ଦ୍ରୌପଦୀ ‘ରଜସ୍ୱଳା’ ଥିଲେ ଏବଂ ଶରୀରରେ କେବଳ ଗୋଟିଏ ମାତ୍ର ବସ୍ତ୍ର ପରିଧାନ କରିଥିଲେ। ପ୍ରାତିକାମୀଠାରୁ ନିଷ୍ଠୁର ସମ୍ବାଦ ଶୁଣିବା ପରେ ମଧ୍ୟ ସେହି ଅଗ୍ନିକନ୍ୟା ନିଜର ବିବେକ କିମ୍ବା ଧୈର୍ଯ୍ୟ ହରାଇ ନଥିଲେ। ସେ ସାଧାରଣ ନାରୀ ପରି ବିଳାପ ନକରି ସଭାକୁ ନଯାଇ ପ୍ରାତିକାମୀ ହାତରେ ଏକ ଶାଣିତ ବୈଧାନିକ ପ୍ରଶ୍ନ ପଠାଇଲେ। ସେ କହିଲେ— ଯାଅ, ସେହି ଦ୍ୟୁତମତ୍ତ ଯୁଧିଷ୍ଠିରଙ୍କୁ ପଚାର, ସେ ପ୍ରଥମେ ନିଜକୁ ହାରିଥିଲେ ନା ମୋତେ? ପ୍ରାତିକାମୀ ଆସି ସଭାରେ ଏହି ପ୍ରଶ୍ନ ଉତ୍ଥାପନ କଲା। ଯୁଧିଷ୍ଠିର ଲଜ୍ଜାରେ ମୁଣ୍ଡ ତଳକୁ କରି ନୀରବ ରହିଲେ, ଯାହା ଥିଲା ତାଙ୍କର କ୍ଲୀବତ୍ୱର ଚୂଡ଼ାନ୍ତ ପ୍ରଦର୍ଶନ। ଉତ୍ତର ନପାଇ କ୍ରୋଧାନ୍ଧ ଦୁର୍ଯ୍ୟୋଧନ ଆଦେଶ ଦେଲା ଦୁଃଶାସନକୁ। ପଶୁବଳର ବର୍ବର ପ୍ରଦର୍ଶନ କରି ଦୁଃଶାସନ ଅନ୍ତଃପୁରରେ ପ୍ରବେଶ କଲା ଏବଂ ମହାରାଜ ପାଣ୍ଡୁଙ୍କର କୁଳବଧୂ, ପାଞ୍ଚାଳରାଜଙ୍କର ଗର୍ବ ଦ୍ରୌପଦୀଙ୍କର ମୁକ୍ତ କେଶପାଶକୁ ମୁଠାଇ ଧରିଲା। ଏକ ପାଶବିକ ଶକ୍ତି ଆଗରେ ନାରୀର ଶାରୀରିକ ବଳ ହାର ମାନିଲା। ଦୁଃଶାସନ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଆଣି ସେହି ଭରା ରାଜସଭାରେ ଛିଡ଼ା କରାଇଲା।

ସଭାକୁ ଆସିବା ପରେ ଦ୍ରୌପଦୀ କେବଳ କାନ୍ଦି ନଥିଲେ, ବରଂ ତାଙ୍କର ଆରକ୍ତ ନେତ୍ରରୁ ନିର୍ଗତ ଅଗ୍ନିସ୍ଫୁଲିଙ୍ଗ ସେଠାରେ ଉପସ୍ଥିତ ଥିବା ସମସ୍ତ ମହାନୁଭବଙ୍କ ବିବେକକୁ ବିଦ୍ଧ କରିଥିଲା। ତାଙ୍କର ସ୍ୱର ଥିଲା ଯୁଗଯୁଗର ଲାଞ୍ଛିତା ନାରୀର ଏକ ଜ୍ୱଳନ୍ତ ବିଦ୍ରୋହ। ସେ ସିଧାସଳଖ ଶାସ୍ତ୍ରଜ୍ଞାନର ହିମାଳୟ ସଦୃଶ ପିତାମହ ଭୀଷ୍ମଙ୍କୁ ପ୍ରଶ୍ନ କଲେ — ହେ କୁରୁବୃଦ୍ଧ ପିତାମହ! ଆପଣ ଧର୍ମର ସବୁଠାରୁ ବଡ଼ ଜ୍ଞାତା। ଆପଣଙ୍କ ସାମ୍ନାରେ କୁରୁବଂଶର ବଧୂକୁ ଉଲଗ୍ନ କରିବାକୁ ଚେଷ୍ଟା କରାଯାଉଛି, ଏହା କି ପ୍ରକାର ଧର୍ମ? ଯୁଧିଷ୍ଠିର ନିଜେ ଦାସ ହେବା ପରେ ମୋତେ ବାଜି ଲଗାଇବାର ଅଧିକାର କିପରି ପାଇଲେ? 

କିନ୍ତୁ ଭୀଷ୍ମଙ୍କ କଣ୍ଠରୁ ବାହାରି ଆସିଥିଲା ଏକ ଅତ୍ୟନ୍ତ ଅସହାୟ ଏବଂ ନିରୁତ୍ସାହିତ ଉତ୍ତର। ସେ କହିଲେ ଯେ ଧର୍ମର ତତ୍ତ୍ୱ ଅତ୍ୟନ୍ତ ସୂକ୍ଷ୍ମ, ଜଣେ ଦାସର କୌଣସି ସମ୍ପତ୍ତି ନଥାଏ ସତ, କିନ୍ତୁ ପତ୍ନୀ ଉପରେ ସ୍ୱାମୀର ଅଧିକାର ସର୍ବଦା ରହିଥାଏ; ତେଣୁ ସେ ଏହି ପ୍ରଶ୍ନର ନ୍ୟାୟୋଚିତ ଉତ୍ତର ଦେବାକୁ ଅସମର୍ଥ।

ଭୀଷ୍ମଙ୍କର ଏପରି କ୍ଲୀବ ଉତ୍ତର ଶୁଣି ଯାଜ୍ଞସେନୀଙ୍କ କ୍ରୋଧାଗ୍ନି ଆହୁରି ପ୍ରଜ୍ଜ୍ୱଳିତ ହୋଇଉଠିଲା। ସେ ନିଜର ଦୃଷ୍ଟି ନିକ୍ଷେପ କଲେ ଗୁରୁ ଦ୍ରୋଣାଚାର୍ଯ୍ୟ ଓ କୃପାଚାର୍ଯ୍ୟଙ୍କ ଉପରେ। ହେ ଆଚାର୍ଯ୍ୟ ଦ୍ରୋଣ! ଆପଣ ଶସ୍ତ୍ର ଏବଂ ଶାସ୍ତ୍ର ଉଭୟର ଜ୍ଞାତା। ଜଣେ ରଜସ୍ୱଳା କୁଳବଧୂକୁ ସଭା ମଧ୍ୟରେ କେଶ ଟାଣି ଆଣିବା କଣ ଆପଣଙ୍କ ଶାସ୍ତ୍ରର ନିୟମ? ଆପଣ ନିଜର ଶିଷ୍ୟମାନଙ୍କୁ କଣ ଏହି ଶିକ୍ଷା ଦେଇଛନ୍ତି?

ତା’ପରେ ସେ କୁଳଗୁରୁ କୃପାଚାର୍ଯ୍ୟଙ୍କୁ କଟାକ୍ଷ କରି କହିଲେ— ହେ କୃପାଚାର୍ଯ୍ୟ! ଆପଣଙ୍କ ସାମ୍ନାରେ ବଂଶର ମର୍ଯ୍ୟାଦା ଆଜି ରାଜଦାଣ୍ଡରେ ଲୁଣ୍ଠିତ ହେଉଛି। ଆପଣଙ୍କ ଜ୍ଞାନ କଣ ଆଜି କୌରବଙ୍କ କ୍ଷମତା ଏବଂ ରାଜାନ୍ନ ପାଖରେ ବନ୍ଧା ପଡ଼ିଯାଇଛି? ଯେଉଁ ସଭାରେ ବୃଦ୍ଧ କିମ୍ବା ଜ୍ଞାନୀ ବ୍ୟକ୍ତି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି ନାହିଁ, ସେଠାରେ ଧର୍ମ ଏକ ନିର୍ଜୀବ ଶବ ପାଲଟିଯାଏ। ଦ୍ରୌପଦୀଙ୍କର ଏହି ନିର୍ମମ ପ୍ରଶ୍ନବାଣରେ ଦ୍ରୋଣ, କୃପାଚାର୍ଯ୍ୟ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ ମହାରଥୀ ମୁଣ୍ଡ ପୋତି ଦେଇଥିଲେ।

ଦ୍ରୌପଦୀ ନିଜର ପାଞ୍ଚ ସ୍ୱାମୀଙ୍କୁ ମଧ୍ୟ କ୍ଷମା କରିନଥିଲେ। ସେ ଯୁଧିଷ୍ଠିରଙ୍କ ଆଡ଼କୁ ଅତ୍ୟନ୍ତ ଘୃଣା ତଥା କ୍ଷୋଭରେ ଚାହିଁଥିଲେ ଏବଂ ଭୀମ ତଥା ଅର୍ଜୁନଙ୍କୁ କହିଥିଲେ ଯେ ସେମାନଙ୍କର ଅସୀମ ଶୌର୍ଯ୍ୟ ଏବଂ ବୀର୍ଯ୍ୟ ଆଜି ଅନୁଜ-ଧର୍ମର ଶୃଙ୍ଖଳରେ ବାନ୍ଧି ହୋଇ ନପୁଂସକ ପାଲଟି ଯାଇଛି। ଯେଉଁ ସ୍ୱାମୀ ନିଜ ପତ୍ନୀର ସମ୍ମାନ ରକ୍ଷା କରିପାରେ ନାହିଁ, ତାର ଅସ୍ତ୍ରଶସ୍ତ୍ର ଧାରଣ କରିବା ଏକ ବିଡ଼ମ୍ବନା ଛଡ଼ା ଆଉ କିଛି ନୁହେଁ। ସମଗ୍ର ସଭାର ସେହି ନିର୍ବାକ ଶ୍ମଶାନରେ କେବଳ ଗୋଟିଏ ସ୍ୱର ବିଦ୍ରୋହର ବହ୍ନି ହୋଇ ଜଳି ଉଠିଲା। ସେ ଥିଲେ ଧୃତରାଷ୍ଟ୍ରଙ୍କର ପୁତ୍ର ବିକର୍ଣ୍ଣ। ସେ ଛିଡ଼ା ହୋଇ ସଭାରେ ଗର୍ଜି ଉଠିଲେ ଏବଂ କହିଲେ ଯେ ଦ୍ରୌପଦୀଙ୍କ ପ୍ରଶ୍ନ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ। ଏହି ଖେଳ ଛଳନାରେ ଖେଳାଯାଇଛି ଏବଂ ଯୁଧିଷ୍ଠିର ବେଆଇନ ଭାବେ ତାଙ୍କୁ ବାଜି ଲଗାଇଛନ୍ତି, ତେଣୁ ଦ୍ରୌପଦୀ ହାରି ନାହାନ୍ତି ଏବଂ ସେ କଦାପି ଦାସୀ ନୁହଁନ୍ତି। 

କିନ୍ତୁ ବିକର୍ଣ୍ଣଙ୍କର ଏହି ବିଦ୍ରୋହ ଶୁଣି ଅହଂକାରୀ କର୍ଣ୍ଣ ପ୍ରଚଣ୍ଡ କ୍ରୋଧିତ ହୋଇ ଉଠିଥିଲେ। ସେ ବିକର୍ଣ୍ଣଙ୍କୁ ଅପମାନିତ କରି ବସାଇଦେଲେ ଏବଂ ଦ୍ରୌପଦୀଙ୍କ ପ୍ରତି ଏକ ଅତ୍ୟନ୍ତ କଟୁ, ନୀଚ ତଥା ପୈଶାଚିକ ମନ୍ତବ୍ୟ ଦେଲେ।  କର୍ଣ୍ଣ କହିଲେ— ଯେଉଁ ନାରୀର ପାଞ୍ଚ ଜଣ ସ୍ୱାମୀ ଥାଆନ୍ତି, ସେ କୌଣସି କୁଳବଧୂ ନୁହେଁ, ସେ ହେଉଛି ଜଣେ ‘ବନ୍ଧକୀ’ ବା ବେଶ୍ୟା। ତାକୁ ସଭାକୁ ବସ୍ତ୍ର ପିନ୍ଧାଇ ଆଣ ବା ଉଲଗ୍ନ କରି ଆଣ, ସେଥିରେ ଧର୍ମର କୌଣସି କ୍ଷତି ନାହିଁ। କର୍ଣ୍ଣଙ୍କର କ୍ରୁରତା ଏତିକିରେ ଶାନ୍ତ ପଡ଼ିନଥିଲା। ସେ ଦୁଃଶାସନକୁ ଆଦେଶ ଦେଲେ ଯେ ଏହି ପାଣ୍ଡବମାନଙ୍କର ଏବଂ ଦ୍ରୌପଦୀଙ୍କର ବସ୍ତ୍ର କାଢ଼ି ନିଅ।

ଏହା ଶୁଣିବା ମାତ୍ରେ ଅସହାୟ ତଥା ଆନୁଷ୍ଠାନିକ ଧର୍ମର ଶୃଙ୍ଖଳରେ ଆବଦ୍ଧ ପାଣ୍ଡବମାନେ ନିଜେ ନିଜର ଉତ୍ତରୀୟ ଖୋଲି ସଭା ମଝିରେ ଫିଙ୍ଗି ଦେଲେ। ଏହାପରେ ଦୁଃଶାସନ ଆଗେଇ ଆସି ଦ୍ରୌପଦୀଙ୍କର ପିନ୍ଧିଥିବା ଏକମାତ୍ର ବସ୍ତ୍ରର ପଣତକୁ ଟାଣିବାକୁ ଲାଗିଲା। ଏହି ଚରମ ଅସହାୟତାର ମୁହୂର୍ତ୍ତରେ ଦ୍ରୌପଦୀଙ୍କ ଅନ୍ତରାତ୍ମା ଉପଲବ୍ଧି କଲା ଯେ- ସଂସାରର ସବୁ ଆଶ୍ରୟ କେବଳ ମରୀଚିକା। ସ୍ୱାମୀ, ଗୁରୁଜନ, ରାଷ୍ଟ୍ର, ଧର୍ମଶାସ୍ତ୍ର— ସବୁ ଆଜି ଶକ୍ତିହୀନ ତଥା ଠକ। ଯେତେବେଳେ ମଣିଷର ଅହଂକାରର ଅବସାନ ଘଟେ, ସେତେବେଳେ ହିଁ ଜନ୍ମ ନିଏ ଏକ ପରମ ସମର୍ପଣ। ସେ ଶେଷରେ ନିଜ ବସ୍ତ୍ରରୁ ଦୁଇ ହାତ ଛାଡ଼ିଦେଲେ ଏବଂ ଉର୍ଦ୍ଧ୍ୱକୁ ଉତ୍ତୋଳନ କରି ଆଖି ବନ୍ଦ କରିଦେଲେ। ତାଙ୍କର ଆର୍ତ୍ତ ଚିତ୍କାର କୁରୁସଭାର ସୀମା ଅତିକ୍ରମ କରି ମହାକାଶରେ ପ୍ରତିଧ୍ୱନିତ ହେଲା — ହେ ଦ୍ୱାରକାବାସୀ! ହେ ଗୋବିନ୍ଦ! ହେ କୃଷ୍ଣ! ଯେଉଁ ସଂସାରରେ ନ୍ୟାୟ ନାହିଁ, ସେଠାରେ ତୁମେ ହିଁ ମୋର ଏକମାତ୍ର ଆଲୋକ। ମୋତେ ରକ୍ଷା କର ସଖା!

ଆଉ ତା’ପରେ ଘଟିଲା ସେହି ମହାକାବ୍ୟିକ ଅଲୌକିକତା। ଭଗବାନ ଶ୍ରୀକୃଷ୍ଣ କୌଣସି ରଥରେ ବସି ଆସିନଥିଲେ, ସେ ଆସିଥିଲେ ଏକ ଅଦୃଶ୍ୟ ଚେତନା ହୋଇ, ଧର୍ମ ନିଜେ ବସ୍ତ୍ର ରୂପରେ ଦ୍ରୌପଦୀଙ୍କୁ ଆବୃତ କଲା। ଦୁଃଶାସନ ଯେତେ ବସ୍ତ୍ର ଟାଣୁଥାଏ, ଦ୍ରୌପଦୀଙ୍କ ଶରୀରକୁ ଆବୃତ କରି ରଖିଥିବା ବସ୍ତ୍ର ସେତେ ବଢ଼ିବାରେ ଲାଗିଥାଏ। ନାଲି, ନୀଳ, ପୀତ, ଶ୍ୱେତ ରଙ୍ଗର ବସ୍ତ୍ରର ଏକ ମହାସମୁଦ୍ର ଯେମିତି କୁରୁସଭାରେ ସୃଷ୍ଟି ହେଲା। ଦୁଃଶାସନ ଶାଢ଼ୀ ଟାଣି ଟାଣି କ୍ଳାନ୍ତ ହୋଇ ରକ୍ତବାନ୍ତି କରି ତଳେ କଚାଡ଼ି ହୋଇ ପଡ଼ିଲା। ସଭାଗୃହରେ ଅହଂକାର ଚୂର୍ଣ୍ଣିଭୂତ ହୋଇ ଏକ ବିଶାଳ ବସ୍ତ୍ରର ପାହାଡ଼ ସୃଷ୍ଟି ହୋଇଗଲା, ଆଉ ତା’ ଉପରେ ଏକ ବିଜୟିନୀ ତପସ୍ୱିନୀ ପରି ଦଣ୍ଡାୟମାନ ଥିଲେ ଯାଜ୍ଞସେନୀ; ତାଙ୍କର ସମ୍ମାନ ରହିଲା ଅକ୍ଷୁର୍ଣ୍ଣ। ନାରୀର ଏହି ଚରମ ଅବମାନନା ଏବଂ ଅଲୌକିକ ସୁରକ୍ଷା ଦେଖି ଭୀମସେନଙ୍କର ସ୍ଥାଣୁତ୍ୱ ଆଉ ରହିଲା ନାହିଁ। ସେ ଭରା ସଭାରେ ଗର୍ଜି ଉଠି ଏକ ଭୟଙ୍କର ପ୍ରତିଜ୍ଞା କଲେ ଯେ, ଯଦି ଆଗାମୀ ଯୁଦ୍ଧରେ ମୁଁ ଏହି ପାପୀ ଦୁଃଶାସନର ଛାତି ଚିରି ତାର ଉଷ୍ଣ ରକ୍ତ ପାନ ନକରେ, ତେବେ ମୋତେ ମୋର ପିତୃଲୋକ ପ୍ରାପ୍ତ ନହେଉ। କିନ୍ତୁ ଏତେ ସବୁ ପରେ ମଧ୍ୟ ଦୁର୍ଯ୍ୟୋଧନର ଦର୍ପ ଶାନ୍ତ ପଡ଼ିନଥିଲା। ସେ ଭୀମଙ୍କୁ ଆହୁରି ଉସୁକାଇବା ପାଇଁ ନିଜର ବାମ ଜଙ୍ଘକୁ ଖୋଲି ସଭା ମଧ୍ୟରେ ଦ୍ରୌପଦୀଙ୍କୁ ତା’ ଉପରେ ବସିବା ପାଇଁ ଏକ ଅଶ୍ଳୀଳ ଇଙ୍ଗିତ କଲା। ଏହା ଥିଲା ତା’ ନିଜ ମୃତ୍ୟୁର ଆମନ୍ତ୍ରଣ। ଏହା ଦେଖି ଭୀମ ନିଜର ଦ୍ୱିତୀୟ ପ୍ରତିଜ୍ଞା କଲେ ଯେ, ଯୁଦ୍ଧରେ ମୁଁ ତୋର ଏହି ଅହଂକାରୀ ଜଙ୍ଘକୁ ଗଦା ମାଡ଼ରେ ଭାଙ୍ଗି ଚୂର୍ଣ୍ଣ କରିଦେବି।

ଠିକ୍ ସେହି ସମୟରେ ହସ୍ତିନାପୁରର ପ୍ରକୃତି ମଧ୍ୟ ଏହି ପାପକୁ ସହି ନପାରି ବିଦ୍ରୋହ କରିଉଠିଲା। ଅଗ୍ନିହୋତ୍ର ଶାଳାରେ ଶିଆଳମାନେ ଭୋକିବାକୁ ଲାଗିଲେ ଏବଂ ଅଶୁଭ ପକ୍ଷୀମାନଙ୍କର ଭୟଙ୍କର ଚିତ୍କାର ଶୁଣି ବିଦୁର ଏବଂ ରାଣୀ ଗାନ୍ଧାରୀ ପ୍ରମାଦ ଗଣିଲେ। ସେମାନେ ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ପାଖକୁ ଦୌଡ଼ି ଯାଇ ଏହି ପାପର ପରିଣାମ ବିଷୟରେ ଚେତାବନୀ ଦେଲେ। ଭୟଭୀତ ଧୃତରାଷ୍ଟ୍ରଙ୍କର ସୁପ୍ତ ପିତୃସ୍ନେହ ଭୟରେ ଜାଗ୍ରତ ହେଲା। ସେ ତୁରନ୍ତ ଦୁର୍ଯ୍ୟୋଧନକୁ ତୀବ୍ର ଭର୍ତ୍ସନା କଲେ ଏବଂ ଦ୍ରୌପଦୀଙ୍କୁ ଶାନ୍ତ କରିବାକୁ ଯାଇ ତାଙ୍କୁ  ତିନୋଟି ବର ମାଗିବାକୁ ଆହ୍ୱାନ କଲେ। ଜଣେ ସ୍ୱାଭିମାନୀ ରାଜଜେମା ଭଳି ଦ୍ରୌପଦୀ ପ୍ରଥମ ବରରେ ନିଜ ସ୍ୱାମୀ ଯୁଧିଷ୍ଠିରଙ୍କୁ ଦାସତ୍ୱରୁ ମୁକ୍ତ କରିବାକୁ ମାଗିଲେ, ଯେପରି ଭବିଷ୍ୟତରେ ତାଙ୍କର ପୁତ୍ର ପ୍ରତିବିନ୍ଧ୍ୟ କାଳେ ଦାସର ପୁତ୍ର ନ ବୋଲାଉ। ଧୃତରାଷ୍ଟ୍ର ତାହା ପ୍ରଦାନ କଲେ। ଦ୍ୱିତୀୟ ବରରେ ଦ୍ରୌପଦୀ ଅନ୍ୟ ଚାରି ପାଣ୍ଡବଙ୍କୁ ସେମାନଙ୍କ ଅସ୍ତ୍ରଶସ୍ତ୍ର ଏବଂ ରଥ ସହିତ ମୁକ୍ତ କରିବାକୁ ମାଗିଲେ। ଧୃତରାଷ୍ଟ୍ର ତାହା ମଧ୍ୟ ସ୍ୱୀକାର କଲେ। କିନ୍ତୁ ଯେତେବେଳେ ଧୃତରାଷ୍ଟ୍ର ତୃତୀୟ ବର ମାଗିବାକୁ ପ୍ରସ୍ତାବ ଦେଲେ, ଦ୍ରୌପଦୀ ତାହାକୁ ଅତ୍ୟନ୍ତ ମର୍ଯ୍ୟାଦାର ସହ ପ୍ରତ୍ୟାଖ୍ୟାନ କରିଦେଲେ। ସେ କହିଲେ ଯେ କ୍ଷତ୍ରିୟ ନାରୀ କେବଳ ଦୁଇଟି ବର ମାଗିପାରେ, ଏହାଠାରୁ ଅଧିକ ମାଗିବା ଏକ ଲୋଭ ଅଟେ। ଏବେ ମୋର ସ୍ୱାମୀମାନେ ସ୍ୱାଧୀନ ଅଟନ୍ତି, ସେମାନେ ନିଜ ବାହୁବଳରେ ନିଜର ବଳକା କର୍ମ ସମ୍ପାଦନ କରିବେ।

ସବୁକିଛି ଫେରି ପାଇ ପାଣ୍ଡବମାନେ ଯେତେବେଳେ ଇନ୍ଦ୍ରପ୍ରସ୍ଥ ଅଭିମୁଖେ ବାହାରିଲେ, କର୍ଣ୍ଣ ଶେଷରେ ଏକ କଟାକ୍ଷ କରି କହିଥିଲେ ଯେ ବିଶ୍ୱର ବଡ଼ ବଡ଼ ଯୋଦ୍ଧାମାନେ ଆଜି ଯାହା କରିପାରିଲେ ନାହିଁ, ଜଣେ ନାରୀ ନିଜ ସ୍ୱାମୀମାନଙ୍କୁ ସଙ୍କଟରୁ ଉଦ୍ଧାର କରି ତାହା କରିଦେଖାଇଲା। ଏହା ଶୁଣି ଭୀମ ଅତ୍ୟନ୍ତ କ୍ରୋଧିତ ହୋଇଥିଲେ ମଧ୍ୟ ଯୁଧିଷ୍ଠିର ତାଙ୍କୁ ଶାନ୍ତ କରାଇ ଫେରିଯାଇଥିଲେ। ଦ୍ରୌପଦୀଙ୍କର ଏହି ବସ୍ତ୍ରହରଣ ପ୍ରସଙ୍ଗ କେବଳ ଏକ ନାରୀର ଅପମାନର କାହାଣୀ ନଥିଲା; ଏହା ଥିଲା ଏକ ପୁରାତନ, କ୍ଳୀବ ଏବଂ ପିତୃସତ୍ତାତ୍ମକ ଧର୍ମ-ବ୍ୟବସ୍ଥାର ପତନ ଏବଂ ଏକ ନୂତନ ଯୁଗାନ୍ତରର ରକ୍ତାକ୍ତ ସୂତ୍ରପାତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.