ଆର୍ଟ ଅଫ୍ ଗିଭିଂ ଦିବସରେ ପାନୀୟ ଜଳ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପରୋପକାର ଓ ମାନବ ସେବା ହିଁ ସବୁଠାରୁ ବଡ଼ ଧର୍ମ। ଏହି ବାର୍ତ୍ତାକୁ ନେଇ କୋକସରା ବ୍ଲକ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଦୋପଦର ନୂଆଗୁଡାଠାରେ ପାଳିତ ହୋଇଯାଇଛି ୧୩ତମ ‘ଆର୍ଟ ଅଫ୍ ଗିଭିଂ ଦିବସ’। ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସେବା ସମାରୋହରେ ଅଞ୍ଚଳର ପ୍ରମୁଖ ସମାଜସେବୀ ସନ୍ଥ କୁମାର ନାଏକ, ଘନଶ୍ୟାମ ନାଏକ, ଫକୀର ଚରଣ ପାତ୍ର, ବେଣୁଧର ଶବର ଏବଂ ବେଣୁଧର ନାଏକ ପ୍ରମୁଖ ସାମିଲ ହୋଇଥିଲେ। ଏହାସହ ଜୟଲାଲ ନାଏକ, ଈଶ୍ୱର ନାଏକ, ଡ଼ମ୍ବରୁଧର ନାଏକ, ଦୋଳଗୋବିନ୍ଦ ନାଏକ ସମେତ ସ୍ଥାନୀୟ ଭଦ୍ରବ୍ୟକ୍ତି, ଆଶା କର୍ମୀ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ଦିବସର ମହତ୍ତ୍ୱକୁ ଆହୁରି ଦ୍ୱିଗୁଣିତ କରିଥିଲେ। ଶନିବାର ନୂଆଗୁଡା ସାପ୍ତାହିକ ବଜାର ଥିବାରୁ ଖରାଦିନେ ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ ସମାରୋହରେ ସମସ୍ତଙ୍କୁ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା। କେବଳ ସେତିକି ନୁହେଁ, ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ଖାତା ଏବଂ କଲମ ଆଦି ମଧ୍ୟ ପ୍ରଦାନ କରାଯାଇଥିଲା। ସମାଜରେ ଦେବାର ସୁଖ ଏବଂ ପରସ୍ପରକୁ ସାହାଯ୍ୟ କରିବାର ଭାବନା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.