ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ୟୁଜି ପରିକ୍ଷାର ପ୍ରଶ୍ନ ପତ୍ର ପ୍ରଘଟ ଓ ପରୀକ୍ଷା ବାତିଲ ପ୍ରସଙ୍ଗକୁ ନେଇ କଳାହାଣ୍ଡି ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଭବାନୀପାଟଣା ଗାନ୍ଧି ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ଏହି ନିଟ୍ ପରୀକ୍ଷାର ଦାୟିତ୍ୱ ନେଇଥିବା ବେଳେ ବାରମ୍ବାର ପ୍ରଶ୍ନ ପତ୍ର ଲିକ୍ ହେବା ସହ ଅନିୟମିତତା ସାମନାକୁ ଆସିବା ପରିକ୍ଷାର ସ୍ବଚ୍ଛତା ଓ ପାରଦର୍ଶିତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଚଳିତ ବର୍ଷ ଗତ ମେ ୩ ରେ ପରୀକ୍ଷା ଦେଇଥିବା ପ୍ରାୟ ୨୨ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରେ ରହିଥିବାରୁ ଏହି ଘଟଣାରେ କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଯୁବ ଓ ଛାତ୍ର ବିଜେଡି ଦାବି କରିଛି। ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ, ନିଟ୍ ପରିକ୍ଷାରେ ସ୍ବଚ୍ଛତା ଆଣିବା, ନିଷ୍ପକ୍ଷ ତଦନ୍ତ କରି ପେପର ଲିକ୍ ଘଟଣାରେ ରହି ଥିବା ଅଧିକାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆଜି ଦାବି କରାଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ବିଜେଡି ସମ୍ପାଦକ ଆଦିତ୍ୟ ନନ୍ଦ, ମହିଳା ସଭାନେତ୍ରୀ ସବିତା ପ୍ରଧାନ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଗୋବର୍ଦ୍ଧନ ଦାସ, ଦୀନେଶ ବଗର୍ତି, ଶିବା ସାହୁ, ଗୋବିନ୍ଦ ତାଣ୍ଡି, ଭୋଳାନାଥ ନାଗ, ମାନସ ସିନ୍ଦୁର, ଶୈଳେଶ ବିଶି, ମିଥୁନ ସାହୁ, ଘାସିରାମ ସାହୁ, ସୁତପା ବହିଦାର, ପ୍ରତିଭା ଚୌହାନ, ସମିତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।





