ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର: କେନ୍ଦ୍ର ସାହିତ୍ୟ ଅକାଦମୀ ଓ ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ସାରସ୍ୱତ ସାଧକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଅକାଦମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଡକ୍ଟର ଦାସ ତାଙ୍କ ବକ୍ତବ୍ୟରେ ମହାପାତ୍ର ନୀଳମଣି ସାହୁ ସୃଷ୍ଟି ସଂପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଡକ୍ଟର ସାହୁ ତାଙ୍କ ବକ୍ତବ୍ୟରେ ସୁବର୍ଣ୍ଣ ପୁର ମାଟିର ବିରାଟ ଐତିହ୍ୟ ବିଷୟରେ କହିବା ସହ, କେନ୍ଦ୍ର ସାହିତ୍ୟ ଅକାଦମୀର ଏ ଆଲୋଚନା ଚକ୍ର ସୁବର୍ଣ୍ଣ ପୁରର ସାହିତ୍ୟିକ ପରିବେଶକୁ ସମୃଦ୍ଧ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଏହି ଆଲୋଚନା ଚକ୍ରକୁ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହ ତାଙ୍କ ବକ୍ତବ୍ୟରେ କହିଥିଲେ, ମହାପାତ୍ର ନୀଳମଣି ସାହୁ ଜଣେ ମହାନ ସାହିତ୍ୟିକ ଥିଲେ ଏବଂ ତାଙ୍କ ସାହିତ୍ୟରେ ମଣିଷ ଜୀବନର ଉତ୍ତରଣ ନିହାତି ଘଟିବ ବୋଲି ଆଲୋକପାତ୍ କରିଥିଲେ। ପ୍ରଫେସର କାଳିଦାସ ମିଶ୍ର ମୂଳ ବକ୍ତବ୍ୟରେ ମହାପାତ୍ର ନୀଳମଣି ସାହୁଙ୍କ ସାମଗ୍ରିକ କୃତିର ତାତ୍ତ୍ୱିକ ବିଶ୍ଳେଷଣ କରିଥିଲେ।ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଡକ୍ଟର ମନୋଜ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସାହିତ୍ୟ ଅକାଦମୀର ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାଏକ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଥମ ଅଧିବେଶନରେ ପ୍ରଫେସର ବିଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ପ୍ରବନ୍ଧ ପାଠ କରିଥିଲେ ଚିରଶ୍ରୀ ଇଦ୍ରସିଂ, ଡକ୍ଟର ଦେବାଶିଷ ମହାପାତ୍ର ଓ ଡକ୍ଟର ଦେବାଶିଷ ପାଣ୍ଡିଆ ସେହିପରି ଦ୍ୱିତୀୟ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଡଃ ଅରବିନ୍ଦ ରାୟ ଏବଂ ପ୍ରବନ୍ଧ ପାଠ କରିଥିଲେ ଭାଗୀରଥି ମିଶ୍ର ଓ ଡଃ ପୁରୁଷେତ୍ତମ ମିଶ୍ର। ଉଦ୍ଘାଟନୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ ଡଃ ସୈରଭ ରଞ୍ଜନ ଖମାରୀ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପ୍ରଦ୍ୟୁମ୍ନ ସାହୁ ଓ ଲକ୍ଷ୍ମୀ ନାରାୟଣ ସାହୁ। ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ କୋଶଳ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ।





