ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥା ଓ ଶାସନ ପ୍ରକ୍ରିୟାରେ ଲୋକକୈନ୍ଦ୍ରିକ ପରିବର୍ତ୍ତନ ଜରୁରୀ ବୋଲି ‘ବିକଳ୍ପ ସମାଜ’ର ରାଜ୍ୟସ୍ତରୀୟ ଚିନ୍ତନ କର୍ମଶାଳାରେ ମତ ପ୍ରକାଶ ପାଇଛି। ଭୁବନେଶ୍ୱରର ସପ୍ତସତୀ ବିହାରସ୍ଥିତ ତରାଭି ଭବନରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ କ୍ଷେତ୍ରରୁ ଚିନ୍ତାନାୟକମାନେ ଯୋଗ ଦେଇଥିଲେ।
ସଂଗଠନର ସଭାପତି ଅଭୟ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ କହିଥିଲେ, “ଆମକୁ ମଙ୍ଗଳ ଗ୍ରହରେ ଜୀବନ ଖୋଜିବା ଅପେକ୍ଷା ଜୀବନରେ ମଙ୍ଗଳ ଖୋଜିବା ଉଚିତ୍”। ଦେଶର ୮୦ ପ୍ରତିଶତ ସାଧାରଣ ଲୋକ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ନିଯୁକ୍ତି ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ରାଜନେତା ଓ ପ୍ରଶାସକମାନେ ଏହାକୁ ବୁଝିବାକୁ ନାରାଜ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।
କର୍ମଶାଳାରେ ମନୋରଞ୍ଜନ ଦାସ, ଜୟ ନାରାୟଣ ମହାପାତ୍ର, ମାଧବାନନ୍ଦ ବେହେରା, ସୂର୍ଯ୍ୟ ନାରାୟଣ ମିଶ୍ର, ନିବେଦିତା ମହାନ୍ତି, ଡା. ଅକ୍ଷୟ କୁମାର ମିଶ୍ର, ପ୍ରକାଶ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ଅନେକ ବୁଦ୍ଧିଜୀବୀ ଯୋଗଦେଇ ସମାଜର ବିଭିନ୍ନ କ୍ଷେତ୍ରରେ ଦେଖା ଦେଇଥିବା ସମସ୍ୟାର ବିକଳ୍ପ ସମାଧାନ ଖୋଜିବା ଉପରେ ମତ ରଖିଥିଲେ।
କର୍ମଶାଳା ଶେଷରେ ସଭାପତି ଅଭୟ ଦାସ ଘୋଷଣା କରିଥିଲେ ଯେ, ବିକଳ୍ପ ସମାଜକୁ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ସଂଗଠିତ କରାଯିବ। ସାଧାରଣ ନାଗରିକ, ରାଜନେତା ଓ ପ୍ରଶାସକଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର, କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ସମ୍ପର୍କରେ ସଚେତନ କରାଯିବ। ଏହାସହ ଓଡ଼ିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା, ଅର୍ଥନୀତି, ରାଜନୀତି, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଆତ୍ମନିଯୁକ୍ତି ଓ ପରିବେଶ କ୍ଷେତ୍ରରେ ଲୋକାଭିମୁଖୀ ବିକଳ୍ପ ବିଚାରଧାରାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ସଂଗଠନ ନିଷ୍ପତ୍ତି ନେଇଛି। ରାଜ୍ୟର କୋଣ ଅନୁକୋଣରେ କାମ କରୁଥିବା ଭଲ ଲୋକ ଓ ଅନୁଷ୍ଠାନମାନଙ୍କୁ ଯୋଡ଼ିବା କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।





