ବାଲେଶ୍ବରରେ ଲେଖକ ଶାନ୍ତନୁ କୁମାର ପଟ୍ଟନାୟକଙ୍କ ତିନୋଟି ପୁସ୍ତକ ଉନ୍ମୋଚିତ : ସାହିତ୍ୟ ପ୍ରେମୀଙ୍କ ଗହଣରେ ଚର୍ଚ୍ଚା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଶ୍ରଦ୍ଧା ପବ୍ଲିକେଶନ ପକ୍ଷରୁ ପ୍ରକାଶିତ ବିଶିଷ୍ଟ ଲେଖକ ଶାନ୍ତନୁ କୁମାର ପଟ୍ଟନାୟକଙ୍କ ତିନୋଟି ନୂଆ ପୁସ୍ତକ ‘ଅଭୁଲା ଅତୀତ’, ‘ଏଇଠୁ ଆରମ୍ଭ’ ଓ ‘ଏଇ ଆମ ସଂସ୍କୃତି’ ଆଜି ସଂଧ୍ୟାରେ ବାଲେଶ୍ବର ଷ୍ଟେସନ କ୍ଲବ ପରିସରରେ ମହା ଆଡ଼ମ୍ବର ସହ ଉନ୍ମୋଚିତ ହୋଇଯାଇଛି। ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ ପାଠକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବ ସାହିତ୍ୟ ଜଗତରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି।

ବିଶିଷ୍ଟ କବି ତଥା ଲେଖକ କାଳିକିଙ୍କର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ଭାଗବତ ବେହେରା, ଡକ୍ଟର ପ୍ରଦୀପ୍ତ ମିଶ୍ର ଓ ଅଧ୍ୟାପିକା ପ୍ରତୀଚୀ ନନ୍ଦ ଅତିଥି ଭାବେ ଯୋଗ ଦେଇ ପୁସ୍ତକଗୁଡ଼ିକର ଗଭୀର ସମୀକ୍ଷା କରିଥିଲେ। ଡକ୍ଟର ବେହେରା ‘ଅଭୁଲା ଅତୀତ’କୁ ସ୍ମୃତି ଓ ଅନୁଭୂତିର ଏକ ଜୀବନ୍ତ ଦସ୍ତାବିଜ ବୋଲି କହିଥିବା ବେଳେ, ଡକ୍ଟର ମିଶ୍ର ‘ଏଇଠୁ ଆରମ୍ଭ’ରେ ନୂଆ ପିଢ଼ି ପାଇଁ ଥିବା ଆଶାର ବାର୍ତା ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ନନ୍ଦ ‘ଏଇ ଆମ ସଂସ୍କୃତି’ ପୁସ୍ତକକୁ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ସରଳ ଓ ବୋଧଗମ୍ୟ ଚିତ୍ର ବୋଲି ବର୍ଣନା କରିଥିଲେ।

ପ୍ରାରମ୍ଭରେ ପ୍ରକାଶକ ସମରେନ୍ଦ୍ରନାଥ ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ ପୁସ୍ତକଗୁଡ଼ିକର ପ୍ରକାଶନ ପଛର ଉଦ୍ଦେଶ୍ୟ ଓ ଲେଖକଙ୍କ ସାହିତ୍ୟ ସାଧନା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ଶାନ୍ତନୁ ବାବୁଙ୍କ ଲେଖନୀରେ ଅତୀତର ଅନୁଭବ, ବର୍ତ୍ତମାନର ବାସ୍ତବତା ଓ ଭବିଷ୍ୟତର ସ୍ୱପ୍ନ ଏକାଠି ପ୍ରତିଫଳିତ ହୋଇଛି।

ନିଜ ବକ୍ତବ୍ୟରେ ଲେଖକ ଶାନ୍ତନୁ କୁମାର ପଟ୍ଟନାୟକ ସମସ୍ତ ଅତିଥି ଓ ପାଠକଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ସମାଜ ଓ ସଂସ୍କୃତି ପ୍ରତି ନିଜର ଦାୟିତ୍ୱବୋଧରୁ ସେ ଏହି ପୁସ୍ତକଗୁଡ଼ିକ ରଚନା କରିଛନ୍ତି। ଉତ୍ସବ ଶେଷରେ ସଭାପତି କାଳିକିଙ୍କର ଦାସ ଲେଖକଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଏଭଳି ସୃଜନଶୀଳ କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ବାଲେଶ୍ବର ସହରର ବହୁ ସାହିତ୍ୟାନୁରାଗୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.