“ଜନଶୁଣାଣୀ ଶିବିରକୁ ବାରମ୍ବାର ଆସି ଅଭିଯୋଗ କଲା ପରେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବାରୁ ଏଥି ପ୍ରତି ଲୋକଙ୍କର ଆସ୍ଥା ତୁଟୁଛି….”
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସଭାଗୃହ ଠାରେ ସୋମବାର କଳାହାଣ୍ଡି ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଡ଼ିଓ ବିପିନ ବିହାରୀ ଏବଂ ପଦାଧିକାରୀ ଯୋଗଦେଇ ବିଭିନ୍ନ ସମସ୍ୟାର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଶିବିରରେ ୪୧ଗୋଟି ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଅର୍ଜୁନ ଗାଁ, ଚିଆଁପଦର, ସରିଆଁ, ଟୋଲ ବ୍ରାହ୍ମଣୀ ଓ ଦେଣ୍ଡୋଗୁଡା ଗାଁରେ ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ କରିବା ନେଇ ମହିଳା ଗୋଷ୍ଠୀ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଅନ୍ୟପଟେ ଆଜି ଶିବିର ଆରମ୍ଭରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ବ୍ଲକର ୨୬ ଗୋଟି ପଞ୍ଚାୟତ ଅଞ୍ଚଳରୁ ଅଭିଯୋଗକାରୀ ମାନେ ସକାଳୁ ବ୍ଲକକୁ ଆସି ପହଞ୍ଚିଥିଲେ। ଖରାର ପ୍ରକୋପ ୪୨° ଉପରେ ରହିଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପଟେ ଜିଲ୍ଲା ପ୍ରଶାସନ ପହଞ୍ଚିବାରେ ଡେରି ହୋଇଥିବାରୁ ଶିବିର ଆରମ୍ଭ ହେବା ମଧ୍ୟ ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ ଜନଶୁଣାଣୀ ଶିବିରକୁ ବାରମ୍ବାର ଆସି ଅଭିଯୋଗ କଲା ପରେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବାରୁ ଏଥି ପ୍ରତି ଲୋକଙ୍କର ଆସ୍ଥା ତୁଟୁଛି। ତେବେ ସାଧାରଣ ଜନତାଙ୍କ ସ୍ବାର୍ଥ ସହ ଜଡିତ ସମସ୍ୟାର ସମାଧାନ ହେବା ନିହାତି ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଆଜିର ଏହି ଶିବିରରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସମେତ ନର୍ଲା ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ମେଡିକାଲ ଅଫିସର ଆଶୁତୋଷ ପ୍ରଧାନ, ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକ, ବିଦ୍ୟୁତ ବିଭାଗର ଏସଡିଓ କମଲେଶ ପଧାନ, ଶିକ୍ଷା ବିଭାଗର ଅଧିକାରୀ ଗୋବର୍ଦ୍ଧନ ମାଝୀ, ନର୍ଲା ସରପଞ୍ଚ ତନୁଜା ହରପାଲ, ସହକାରୀ କୃଷି ଅଧିକାରୀ ପ୍ରବୀଣ ସାହୁ, ଲାଇନ୍ ବିଭାଗ ଗୁଡିକର ଅଧିକାରୀ ନର୍ଲା ରେଞ୍ଜର, ଫରେଷ୍ଟର ଭବାନୀ ନାଏକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଆସିଥିବା ବିଷୟ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ।ବିପିସି ଭୋଳନାଥ ଦାସ, ଯନ୍ତ୍ରୀ ଆଲୋକ ନାୟକ, ବିଏସଏସଓ ପ୍ରଦୀପ ବେହେରା, ସନତ କୁମାର ସାହୁ, ସନତ କୁମାର ନାୟକ, ସହକାରୀ ଯନ୍ତ୍ରୀ ସୁଧାଂଶୁ ମହାଲି, କନିଷ୍ଠ ଯନ୍ତ୍ରୀ ବିଚିତ୍ରାନନ୍ଦ ନାଏକ, ଆଲୋକ ନାଏକ, ରଞ୍ଜିତା ନାଏକ, ସୁକାନ୍ତି ବିଶ୍ୱାଳ, ସଂଯୁକ୍ତା ପାଣି, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନର୍ଲା ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟ/ ସଦସ୍ୟା ମାନେ ମଧ୍ୟ ଶିବିରରେ ଉପସ୍ଥିତ ରହିଥିଲେ।





