ଶୀତଳଷଷ୍ଠୀ ପାଇଁ ରୁପ୍ରା-ଖମ୍ବପଡ଼ା ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା-ଖମ୍ବପଡ଼ା ଶୈବପୀଠରେ ଶିବ ବିବାହ ଏବଂ ଶୀତଳଷଷ୍ଠୀ ପାଇଁ ଥାଳଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆସନ୍ତା ଜୁନ୍ ୧୯ ତାରିଖରେ ବାବା ବିଶେଶ୍ୱରଙ୍କର ଶୀତଳଷଷ୍ଠୀ ପର୍ବ ଆୟୋଜିତ ହେବ। ସେଥିପାଇଁ ଶିବକର୍ତ୍ତା ଭାବେ ଧଅଁରାମାଲ ନିବାସୀ ବ୍ରଜ ରଣା ଓ ବିଦୁସୂତା ରଣା ଏବଂ ପାର୍ବତୀ କର୍ତ୍ତା ଭାବେ ଟୁଟିଙ୍ଗ ନିବାସୀ ରାଜକୁମାର ଯୋଶୀ ଓ ରଜନୀ ଯୋଷୀ ଦାୟିତ୍ୱ ନିର୍ବାହ କରିବେ। ଆଜି ଉଭୟ ପକ୍ଷ ଉପସ୍ଥିତ ରହି ଥାଳ ଅଦଳ ବଦଳ କରିଥିବାବେଳେ ଗୋପାଳ ପୂଝାରୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ରୁପ୍ରା ସମେତ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ସମବେତ ହୋଇଥିଲେ। ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ ଆହ୍ୱାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ରୁପ୍ରା-ଖମ୍ବପଡ଼ା ବିଶେଶ୍ୱର ଶୈବପୀଠ ଏକ ପ୍ରାଚୀନ ଶୈବପୀଠ ଭାବେ କଳାହାଣ୍ଡି ଜିଲ୍ଲାରେ ଜଣାଶୁଣା। ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏଠାରେ ବର୍ଷତମାମ ଅନେକ ପର୍ବପର୍ବାଣୀ ଓ ଯାନିଯାତ୍ରାଦି ଆୟୋଜିତ ହୋଇଥାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.