ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଓଡ଼ିଶାର ପ୍ରସିଦ୍ଧ ଲୋକସାହିତ୍ୟବିତ୍, ଭାଷାବିତ୍ ତଥା ବହୁଭାଷୀ ଶିକ୍ଷା ଉଦ୍ୟୋକ୍ତା ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନଗୁଡ଼ିକ ମଧ୍ୟରେ ଅନ୍ୟତମ ପଦ୍ମ ପୁରସ୍କାର (ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ) ୧୯୫୪ ମସିହାରେ ଆରମ୍ଭ କରାଯାଇଥିଲା ଏବଂ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଚୟନିତ ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଥାଏ। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ୨୦୨୬ ମସିହାର ପ୍ରଥମ ନାଗରିକ ଅଳଙ୍କରଣ ସମାରୋହରେ ତାଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପ୍ରଥମ ପର୍ଯ୍ୟାୟରେ ମୋଟ ୬୬ଟି ପଦ୍ମ ପୁରସ୍କାର (୨ଟି ପଦ୍ମବିଭୂଷଣ, ୬ଟି ପଦ୍ମଭୂଷଣ ଓ ୫୮ଟି ପଦ୍ମଶ୍ରୀ) ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ପୁରସ୍କାର ପରବର୍ତ୍ତୀ ପର୍ଯ୍ୟାୟରେ ଦିଆଯିବ। ସମାରୋହରେ ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏଥର ସରକାର ମୋଟ ୧୩୧ଟି ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି, ଯେଉଁଥିରେ ୫ଟି ପଦ୍ମବିଭୂଷଣ, ୧୩ଟି ପଦ୍ମଭୂଷଣ ଓ ୧୧୩ଟି ପଦ୍ମଶ୍ରୀ ରହିଛି। ୧୯ ଜଣ ମହିଳା ଏବଂ ୧୬ ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଉଛି। କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ଚିକିତ୍ସା, ସମାଜ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ ବ୍ୟାପାର, ବାଣିଜ୍ୟ ଓ ଶିଳ୍ପ ସମେତ ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ଓ ଅସାଧାରଣ ସଫଳତା ପାଇଁ ଏହି ସମ୍ମାନ ଦିଆଯାଇଥାଏ।
ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କ ଆଜୀବନ ଅବଦାନକୁ, ବିଶେଷକରି ଆଦିବାସୀ ମୌଖିକ ସାହିତ୍ୟର ସଂରକ୍ଷଣ ଏବଂ ଆଦିବାସୀ ଶିଶୁଙ୍କ ପାଇଁ ମାତୃଭାଷା ଆଧାରିତ ଶିକ୍ଷା ପ୍ରୋତ୍ସାହନ ଦିଗରେ ତାଙ୍କର ନିଷ୍ଠାକୁ ସ୍ଵୀକୃତି ସ୍ୱରୂପ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଅବିଭକ୍ତ କଳାହାଣ୍ଡି (ବର୍ତ୍ତମାନ ନୂଆପଡ଼ା) ଜିଲ୍ଲାର ବାସିନ୍ଦା ଡକ୍ଟର ମିଶ୍ର ଆଦିବାସୀ ସଂସ୍କୃତିରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ବେଳେ ପ୍ରାଥମିକ ଶିକ୍ଷା ଓ ସାଂସ୍କୃତିକ ଦସ୍ତାବିଜୀକରଣରେ ଚାରି ଦଶନ୍ଧିରୁ ଅଧିକ ସମୟ ଅତିବାହିତ କରିଛନ୍ତି। ସେ ପୂର୍ବରୁ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OPEPA)ରେ ରାଜ୍ୟ ଆଦିବାସୀ ଶିକ୍ଷା ସଂଯୋଜକ ଭାବେ କାର୍ଯ୍ୟ କରିଥିଲେ। ୨୦୦୬ରେ ସେ ଓଡ଼ିଶାରେ ବହୁଭାଷୀ ଶିକ୍ଷା (MLE) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯେଉଁଥିରେ ଦଶରୁ ଅଧିକ ଆଦିବାସୀ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଏହି କାର୍ଯ୍ୟ ସ୍ଥାନୀୟ ଲୋକକଥା, କହାଣୀ, କଳା ଓ ସାମାଜିକ ଜ୍ଞାନକୁ ବ୍ୟାପକ ଭାବେ ବ୍ୟବହାର କରି ଆଦିବାସୀ ଶିଶୁମାନଙ୍କ ପାଇଁ ଶିକ୍ଷାକୁ ଅଧିକ ପ୍ରାସଙ୍ଗିକ ଓ ଫଳପ୍ରଦ କରିଥିଲା ଏବଂ ଜାତୀୟ ନୀତିକୁ ପ୍ରଭାବିତ କରିଥିଲା।
ତାଙ୍କର ପ୍ରମୁଖ ଉଦ୍ୟମ ମଧ୍ୟରେ ପାଓଲୋ ଫ୍ରେରେଙ୍କ ଶିକ୍ଷାଦର୍ଶନ ଆଧାରିତ ରୂପାନ୍ତର ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ରହିଛି, ଯାହା ଅଣ-ଆଦିବାସୀ ଶିକ୍ଷକମାନଙ୍କୁ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତି ସଚେତନ କରାଏ। ଏଥିସହ ସୃଜନ କାର୍ଯ୍ୟକ୍ରମ ଜାତୀୟ ପାଠ୍ୟକ୍ରମ ଆଧାର ୨୦୦୫ ଅନୁସାରେ ଆଦିବାସୀ ଐତିହ୍ୟ ଆଧାରିତ କାର୍ଯ୍ୟକଳାପରେ ୧୫ ଲକ୍ଷରୁ ଅଧିକ ଶିଶୁଙ୍କୁ ସାମିଲ କରିଥିଲେ।
ଉଭୟ ଓଡ଼ିଆ ଓ ଇଂରାଜୀରେ ଡକ୍ଟର ମିଶ୍ରଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇଛି। ସେ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ବକ୍ତବ୍ୟ ରଖିବା ସହ ଥାଇଲାଣ୍ଡର ମହିଡୋଲ୍ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି ଏବଂ UNESCO, UNICEF ତଥା ନେପାଳ ଓ ଭାରତ ସରକାରଙ୍କ ଆଦିବାସୀ ଭାଷା ଓ ଶିକ୍ଷା ଉପଦେଷ୍ଟା ଦାୟିତ୍ଵ ନିର୍ବାହ କରିଛନ୍ତି।
ସେ ଫୋକଲୋର୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଏବଂ ଇ-ପତ୍ରିକା ‘ଲୋକରତ୍ନ’ର ସମ୍ପାଦକ ଅଟନ୍ତି। ଡକ୍ଟର ମିଶ୍ର ପାଇଥିବା ପୁରସ୍କାର ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (‘କଳାହାଣ୍ଡିର ଲୋକସଂସ୍କୃତି’ ପାଇଁ), କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର, କଳାହାଣ୍ଡି ଯୁବ ପ୍ରତିଭା ପୁରସ୍କାର, ଭୁବନେଶ୍ୱର ବହିମେଳା ସାହିତ୍ୟ ପୁରସ୍କାର, ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ ବୀର ଶଙ୍କର ଶାହ ରଘୁନାଥ ଶାହ ଜାତୀୟ ପୁରସ୍କାର, ଫିନ୍ଲ୍ୟାଣ୍ଡର କାଲେଭାଲା ଇନ୍ଷ୍ଟିଚ୍ୟୁଟ୍ରୁ କାଲେଭାଲା ପୁରସ୍କାର ଏବଂ ୨୦୨୩ରେ UNESCO ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର ଆଦି ଉଲ୍ଲେଖଯୋଗ୍ୟ।





