ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆମକୁ ଦୁଇମାସ ହେଲା ଭତ୍ତା ମିଳୁନି, ଆମେ ବାରମ୍ବାର ବ୍ୟାଙ୍କ କୁ ଯାଇ ଲାଇନରେ ଛିଡା ହେଉଛୁ ହେଲେ ଆଜି ଯାଏଁ ଆମର ଭତ୍ତା ଟଙ୍କା ପଡିନି, ଆମର ବ୍ୟାଙ୍କ ରେ ଲାଇନରେ ଛିଡା ହେବା ବୟସ ନାହିଁ, ଗୋଡ଼ ହାତ ଥରୁଛି। ଆମର ଔଷଧ ଖାଇବା ଟଙ୍କା ମିଳୁନି ବର୍ତମାନ ଆମେ ନିରୁପାୟ। ଏମିତି ଏକ ଚିନ୍ତାଜନକ ଖବରଆସିଛି କୋକସରା ବ୍ଲକ ଡିବିଟି ମାଧ୍ୟମରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ନେଇ। ଗତ ଦୁଇ ମାସ ହେଲା ଡିବିଟି ମାଧ୍ୟମରେ ପାଉଥିବା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ହିତାଧିକାରୀ ଶେଷରେ ଅସହାୟ ହୋଇ ସୋମବାର ବ୍ଳକ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି।
ସେମାନଙ୍କ ଅଭିଯୋଗ ଅନୁସାରେ ଅପ୍ରେଲ ଓ ମଇ ମାସର ଭତ୍ତା ଟଙ୍କା ଏପର୍ଯ୍ୟନ୍ତ ତାଙ୍କୁ ମିଲି ନାହିଁ, ଏନେଇ ବାରମ୍ବାର ବ୍ୟାଙ୍କ କୁ ଦୌଡ଼ି ଦୌଡ଼ି ହତାଶ ହୋଇପଡିଛନ୍ତି। ଭତ୍ତା ସହାୟତା ରାଶି ଠିକ୍ ସମୟରେ ମିଲୁ ନଥିବା ଯୋଗୁଁ କିଏ ଔଷଧ କିଣି ପାରୁ ନାହାଁନ୍ତି ତ’ ଆଉ କିଏ ପରିବାର ଚାଲାଇବା କଷ୍ଟ ହେଉଥିବା କହିଛନ୍ତି। ଏଣେ ବାର୍ଦ୍ଧକ୍ୟରେ ଗ୍ରୀଷ୍ମ ପ୍ରବାହ ସମୟରେ ଏଭଳି କଷ୍ଟ ଆମ୍ଭ ମାନଙ୍କୁ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି ବୋଲି ହିତାଧିକାରୀ ମାନେ କେହଭରା କଣ୍ଠରେ କହିଛନ୍ତି। ଏବଂ ଆମକୁ ବ୍ୟାଙ୍କ ବଦଳରେ ହାତା ହାତି ଭତ୍ତା ଟଙ୍କା ଦିଅନ୍ତୁ ବୋଲି ଦାବି କରିଛନ୍ତି। ବ୍ଳକ ସାମାଜିକ ସୁରକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁସାରେ, କୋକସରା ବ୍ଲକରେ ମୋଟ୍ ୧୭ ହଜାର ଭତ୍ତା ହିତାଧିକାରୀ ରହିଛନ୍ତି। ସେଥିମଧ୍ୟରୁ ୧୧ ହଜାର ୧ ଶହ ୩୩ ଜଣ ହିତାଧିକାରୀ ହାତାହାତି ଟଙ୍କା ପାଇଥାନ୍ତି। ଏବଂ ୬ ହଜାର ୯ ଶହ ୩୫ ଜଣ ହିତାଧିକାରୀଙ୍କ ନିକଟକୁ ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ଯାଇଥାଏ। ମୋଟ୍ ବାର୍ଦ୍ଧକ୍ୟ ଭତ୍ତା ୪ ହଜାର ୮୯୦ ରହିଥିବାବେଳେ ବିଧବା ଭତ୍ତା ୧୭ ଶହ ୯୦ ଜଣ ଓ ୨୫୦ ଜଣ ଦିବ୍ୟାଙ୍ଗ ହିତାଧିକାରୀ ଭତ୍ତା ପାଉଛନ୍ତି। ତେବେ ବିଭିନ୍ନ ପଞ୍ଚାୟତର ହିତାଧିକାରୀ ସମେତ ଗମ୍ବାରୀଗୁଡା ପଞ୍ଚାୟତର ହିତାଧିକାରୀ ମାନେ ଅପ୍ରେଲ ଓ ମଇ ଦୁଇ ମାସର ଭତ୍ତା ଟଙ୍କା ଏପର୍ଯ୍ୟନ୍ତ ପାଇଁ ନାହାନ୍ତି। ଏହାକୁ ନେଇ ଆଜି ଗମ୍ବାରୀଗୁଡା ପଞ୍ଚାୟତର ହିତାଧିକାରୀ ରୁଦ୍ର ଦୁର୍ଗା, ଟିକେ ନାଏକ, ଗିରିଧାରୀ ଦଳପତି, ଭବାନୀ ଦଳପତି, ସୁବର୍ଣ୍ଣି ବାଗ, ବୈଦେହୀ ପୂଝାରି, ଗୌରୀ ମାଝୀ, ସୁନାଦେଇ ନାଏକ ସମେତ ଅନେକ ବୃଦ୍ଧବୃଦ୍ଧା କୋକସରା ବ୍ଲକ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ବିଡ଼ିଓ ଅନୁପସ୍ଥିତିରେ ବ୍ଲକ ଅର୍ଥ ଅଧିକାରୀ ଦିଲୀପ କୁମାର ଶବର ଓ ବିଭାଗୀୟ ଅଧିକାରୀ ତଥା ହିସାବ ରକ୍ଷକ ସୁଦର୍ଶନ ବାଗଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏବଂ ବ୍ୟାଙ୍କ ବଦଳରେ ସେମାନଙ୍କୁ ହାତା ହାତି ଭତ୍ତା ଟଙ୍କା ଦେବାକୁ ଦାବି କରିବା ସହ ୨ମାସ ର ଭତ୍ତା ଟଙ୍କା ଶୀଘ୍ର ପ୍ରଦାନ କରିବା ପାଇଁ ଗୁହାରୀ କରିଥିଲେ। ପ୍ରକାଶ ଯେ’ ପ୍ରତ୍ୟେକ ମାସର ୧୫ ତାରିଖ ସୁଦ୍ଧା ବାର୍ଦ୍ଧକ୍ୟ, ବିଧବା ତଥା ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା (ପେନସନ) ଟଙ୍କା ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଦୁଇ ମାସ ହେଲା ଠିକ୍ ସମୟରେ ଭତ୍ତା ସହାୟତା ରାଶି ମିଲୁ ନଥିବାରୁ ଜନ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଯେଉଁ ଅସହାୟ ବୃଦ୍ଧବୃଦ୍ଧା ଓ ବିଧବାମାନଙ୍କ ପାଇଁ ସରକାର ସାମାଜିକ ସୁରକ୍ଷା ଯୋଜନା କରିଛନ୍ତି, ତାହା ପ୍ରଶାସନିକ ଅବହେଳା ଯୋଗୁଁ କାହିଁକି ଦୁଇ ଦୁଇ ମାସ ଧରି ବ୍ୟତିକ୍ରମ ହୋଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।





