ଶ୍ରମିକଙ୍କ ବିନା ଅନୁଷ୍ଠିତ ହେଲା ଶିବିର
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ମନରେଗା ଜନ ଶୁଣାଣୀ ଶିବିର କେବଳ ଏକ ସରକାରୀ ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। ଯେଉଁ ଶ୍ରମିକମାନଙ୍କ ସ୍ୱାର୍ଥ ଓ ସମସ୍ୟାର ସମାଧାନ ପାଇଁ ଏହି ଜନ ଶୁଣାଣୀର ଆୟୋଜନ କରାଯାଇଥିଲା, ଆଶ୍ଚର୍ଯ୍ୟଜନକ ଭାବେ ସେହି ଶିବିରରେ ଜଣେ ହେଲେ ବି ପ୍ରକୃତ ଶ୍ରମିକ ଉପସ୍ଥିତ ନଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଏବଂ ଶ୍ରମିକ ବଦଳରେ ମେସିନ୍ (ଜେସିବି) ମାଧ୍ୟମରେ କାର୍ଯ୍ୟ କରାଯାଉଛି। ପରବର୍ତ୍ତୀ ସମୟରେ କିଛି ଲୋକଙ୍କୁ କାର୍ଯ୍ୟ ସ୍ଥଳରେ ଡାକି ନେଇ ଅତି ଚତୁରତାର ସହିତ ଜିଓ ଟ୍ୟାଗ କରାଯାଇଥିବା ବେଳେ, ଯେଉଁ କେତେକ ଶ୍ରମିକ ନିୟୋଜିତ ହେଉଛନ୍ତି ସେମାନଙ୍କ ପ୍ରାପ୍ୟ ମିଳିବାରେ ମଧ୍ୟ ଅନେକ ବିଳମ୍ବ ନେଇ ଦୀର୍ଘ ଦିନ ହେବ ଅସନ୍ତୋଷ ପ୍ରକାଶ ପାଇଆସୁଛି। ଏହାର ସମୀକ୍ଷା ଓ ଅଭିଯୋଗର ଶୁଣାଣୀ ପାଇଁ ବ୍ଲକ ପ୍ରଶାସନ ତରଫରୁ ଏହି ଶିବିର ଡକାଯାଇଥିଲା। ମାତ୍ର ବ୍ୟାପକ ପ୍ରଚାର ପ୍ରସାରର ଅଭାବ ଏବଂ ଅଧିକାରୀମାନଙ୍କ ଦାୟିତ୍ୱହୀନତା ଯୋଗୁଁ ସାଧାରଣ ଶ୍ରମିକମାନେ ଏହି ଶିବିର ସମ୍ପର୍କରେ କୌଣସି ସୂଚନା ପାଇପାରି ନଥିଲେ।

ଯେଉଁଠି ଗରିବ ଶ୍ରମିକଙ୍କ କଥା ଶୁଣିବା ପାଇଁ ବ୍ୟବସ୍ଥା ଅଛି, ସେଠାରେ ଶ୍ରମିକ ନାହାନ୍ତି। କେବଳ କାଗଜପତ୍ର କାମ ସାରିଦେବା ଏବଂ କୋରମ ପୂରଣ କରିବା ପାଇଁ ଏଭଳି ଶିବିର କରାଯାଉଛି। ଏହା ଶ୍ରମିକମାନଙ୍କ ପ୍ରତି ଏକ ପରିହାସ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏହି ଶିବିରରେ କେବଳ ସରକାରୀ ବାବୁ ଓ କିଛି ନିର୍ଦ୍ଦିଷ୍ଟ ପ୍ରତିନିଧି ଉପସ୍ଥିତ ରହି ସଭା ଶେଷ କରିଥିଲେ। ବିନା ଶ୍ରମିକରେ ମନରେଗାର ଜନ ଶୁଣାଣୀ କିଭଳି ସମ୍ଭବ, ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଆଗାମୀ ଦିନରେ ସମସ୍ତ ଶ୍ରମିକଙ୍କୁ ସାମିଲ କରି ପୁନର୍ବାର ସ୍ୱଚ୍ଛ ଭାବେ ଜନ ଶୁଣାଣୀ କରିବାକୁ ସାଧାରଣରେ ଦାବି ହେଉଛି।





