ବାଲେଶ୍ୱର ଜିଲ୍ଲାପାଳ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କଲେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜନସାଧାରଣଙ୍କ ମଧ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଓ ଆବଶ୍ୟକ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ ବୁଧବାର ପୂର୍ବାହ୍ନ ୯.୩୦ ଘଟିକାରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଖୁଣ୍ଟିଆ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରାଉତ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡ଼. ମଧୁସ୍ମିତା ସାମନ୍ତରାୟ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ସମୀକ୍ଷା ବେହୁରାଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଅତିଥିମାନେ ପତାକା ପ୍ରଦର୍ଶନ କରି ସଚେତନତା ରଥକୁ ଉଦ୍‌ଘାଟନ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା, ଏହାର ଗୁରୁତ୍ୱ ଓ ଜନସାଧାରଣଙ୍କ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବ। କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ଅନେକ ମହିଳା ସଦସ୍ୟା ମଧ୍ୟ ଯୋଗଦେଇ ଏହି ସଚେତନତା ଅଭିଯାନକୁ ସମର୍ଥନ ଜଣାଇଥିଲେ। ଜନସହଭାଗିତା ମାଧ୍ୟମରେ ଏହି ଅଭିଯାନକୁ ସଫଳ କରିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.