କାଦୁଅ ପଚପଚ ଧଅଁରାମାଲ ନଳକୂଅ ଛକରୁ ମାଲପଡା ରାସ୍ତା 

ଦୁର୍ବିସହ ଜୀବନ ଜୀଉଁଛନ୍ତି ପଡାବାସୀ

ଖଟୁଳିରେ ବୁହା ହେଲେ ୭୦ ବର୍ଷିୟ ପକ୍ଷଘାତ ରୋଗୀ ଅନାବ ସୁନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘୋଡାବନ୍ଧ ଗ୍ରାମ ପଞ୍ଚାୟତର ଧଅଁରାମାଲ ଗ୍ରାମର ମାଲପଡା ରାସ୍ତା ମରଣଯନ୍ତା ସାଜିଛି। ଏହି କାଦୁଅ ପଚପଚ ରାସ୍ତା ଯୋଗୁଁ ଲୋକେ  ଯନ୍ତ୍ରଣା ଭୋଗୁଥିବା ଦେଖିବାକୁ ମିଳୁଛି। ଏହା ଆଜିକାର କଥା ନୁହଁ ଦୀର୍ଘ ୩୦ ବର୍ଷ ହେଲାଣି ଲୋକେ ଅପନ୍ତରିଆ ରାସ୍ତା ଖଣ୍ଡିକ ଯୋଗୁଁ ନାହିଁ ନଥିବା କଷ୍ଟ ଭୋଗୁଥିବା କହୁଛନ୍ତି। ଶୀତ ଏବଂ ଗ୍ରୀଷ୍ମ ଋତୁରେ ତ ଆବଡା ଖାବଡା ରାସ୍ତାରେ ଯାହି ତାହି ଭାବରେ ଚଳି ଯାଉଛନ୍ତି ଲୋକେ। ହେଲେ ବର୍ଷା ପଡିଲେ କଥା ସରିଲା। ଏହି ରାସ୍ତାକୁ ମେଟାଲିଂ ରାସ୍ତା କରିବା ପାଇଁ ପାଲ୍ଲୀସଭା, ଗ୍ରାମସଭା, ଗ୍ରାମ ପଞ୍ଚାୟତର ମାସିକ ମିଟିଂରେ ପ୍ରସ୍ତାବ କରି ଆସୁଛନ୍ତି ମାଲପଡାର ୱାର୍ଡ ମେମ୍ବର ଏବଂ ଜନସାଧାରଣ। ସରପଞ୍ଚ ମଧ୍ୟ ଆଜି କରିଦେବା କାଲି କରିଦେବା କହି ଚାଲିଛନ୍ତି ହେଲେ ରାସ୍ତା ସଳଖିବାର ନାଁ ଧରୁନି। ପଡାବାସୀ ଯେଉଁ ଦୁଃଖକୁ ସେହି କଷ୍ଟ ଭୋଗି ଆସୁଛନ୍ତି ରାସ୍ତା ଖଣ୍ଡିକ ପାଇଁ। ଏହି ରାସ୍ତାର ଦୁର୍ଗତି ସମ୍ବନ୍ଧେ ନର୍ଲା ବିଡିଓ, ବ୍ଲକ ଅଧ୍ୟକ୍ଷ ଏପରିକି ଜିଲ୍ଲାପାଳଙ୍କୁ ମଧ୍ୟ ଲୋକେ ଗୁହାରି କରିସାରିଥିବା କହୁଛନ୍ତି। ହେଲେ ରାସ୍ତା ଠିକ ଭାବରେ ନିର୍ମାଣ ହୋଇ ପାରୁନି କାହିଁକି ସେମାନେ ମଧ୍ୟ ଜାଣି ପାରୁ ନାହାନ୍ତି ବୋଲି ମତବ୍ୟକ୍ତ କରୁଛନ୍ତି। ୨୦୨୨ ମସିହା କରୋନା ପରେ ପରେ କୌଣସୀ ଏକ ସର୍ଭେ କାମ ନେଇ ପଡାକୁ ଆସିଥିଲେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ସାହୁ। ଏହି ରାସ୍ତାରେ କାଦୁଅ ଯୋଗୁଁ ଆସି ନପାରିବାରୁ ଚପଲ ହାତରେ ଧରିକି ଆସିଥିଲେ। ଏବଂ କିଛିଦିନ ପରେ ମୁରୁମ ପକାଇଥିଲେ ରାସ୍ତା ଉପରେ। ହେଲେ ନିମ୍ନ ମାନର ମୁରୁମ କାମ ଯୋଗୁଁ ରାସ୍ତା ସେମିତି ରହିଥିଲା। ଗତ ରବିବାର ଦିନ ପୁଣି ସେହିଭଳି ମୁରୁମ ରାସ୍ତା ଉପରେ ପକାଇ ଦେବାରୁ ଏବଂ ଏବେ ଲଘୁଚାପ ବର୍ଷା ହେବାରୁ ଏହାର ଦୁର୍ଗତି କହିଲେ ନସରେ। ପୁଣି ଏଠାରୁ କଲେଜ ପଢୁଥିବା ଛାତ୍ରଛାତ୍ରୀ ମାନେ ତୁଳାପଡା କଲେଜକୁ, ଅଙ୍ଗନୱାଡି ଶିଶୁ ମାନେ ଅଙ୍ଗନୱାଡି କେନ୍ଦ୍ରକୁ ଓ ହାଇସ୍କୁଲ, ପ୍ରାଥମିକ ବିଦ୍ୟାଳୟକୁ ସାଇକେଲ, ବୁଟ, ଚପଲ ମୁଣ୍ଡେଇ ଯାଇ ନଳକୂଅ ଛକରେ ପାଣିରେ ଗୋଡ ଧୋଇ ସ୍କୁଲ, କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ ବୋଲି ମତବ୍ୟକ୍ତ କରିଛନ୍ତି। ସ୍ୱାଧିନତାର ୭୯ ବର୍ଷ ପରେ ମଧ୍ୟ ନର୍ଲାର ଅନେକ ରାସ୍ତା ଘାଟ ଏଭଳି ଦୟନୀୟ ସ୍ଥିତିରେ ରହିଥିବା ବେଳେ ଅତିରୁ ଅତି ସାଙ୍ଘାତିକ ହୋଇ ପଡିଛି ଧଅଁରାମାଲ ନଳକୂଅ ଛକରୁ ମାଲପଡା ଯାଏଁ ରାସ୍ତା। ପଡାର ଅନାବ ସୁନା ନାମକ ୭୦ ବର୍ଷିୟ ବୃଦ୍ଧ ଆଜି ପକ୍ଷାଘାତରେ ଶୋଚନୀଅ ଅବସ୍ଥା ହେବାରୁ ତାଙ୍କୁ ପଡାବାସୀ ଖଟୁଳିରେ ବୋହି ୩୦୦ ମିଟର ଯାଏଁ ନଳକୂଅ ଛକକୁ ନେଇ ସେଠାରୁ ଗାଡି ଯୋଗେ ବଲାଙ୍ଗୀର ନେଇଥିବା ଜଣାପଡିଛି। ଏନେଇ ଘୋଡାବନ୍ଧ ସରପଞ୍ଚ ରଶ୍ମିତା ସାହୁଙ୍କ ମତାମତ ନେବାରୁ ଏହି ରାସ୍ତା ପାଇଁ ଏକ୍ସନ ପ୍ଲାନରେ ରଖାଯାଇଛି। ଟଙ୍କା ପଡିଲେ ରାସ୍ତା କାମ ହେବ ବୋଲି କହୁଛନ୍ତି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଏତେ ବର୍ଷ ଧରି ମାତ୍ର ୩୦୦ ମିଟର ରାସ୍ତା କାହିଁକି ହୋଇ ପାରୁନି? କିଏ କରିବ ଏ ରାସ୍ତା? ଏହି ପଡାବାସୀଙ୍କ ଦୁଃଖ ବୁଝିବ କିଏ?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.