ବନ୍ଧପାରୀ କସ୍ତୁରବା ବାଳିକା ବିଦ୍ୟାଳୟରେ ଅନ୍ତେବାସୀ ଛାତ୍ରୀଙ୍କ ମୁହଁରୁ ଖାଦ୍ୟ ଛଡ଼ାଇ ନେବା ଅଭିଯୋଗ

ତାଲିକାରେ ମାଂସ-ଛେନା, ଥାଳିରେ ଚଣା-ଡାଲି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀ ପଞ୍ଚାୟତ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପୁଣି ଚର୍ଚ୍ଚାରେ। ଅନ୍ତେବାସୀ ଛାତ୍ରୀଙ୍କୁ ମେନୁ ଅନୁସାରେ ଖାଦ୍ୟ ଯୋଗାଣ ନହେବା, ପ୍ରସାଧନ ସାମଗ୍ରୀରେ ବ୍ୟାପକ ହେରଫେର ଆଦି ଅଭିଯୋଗକୁ ନେଇ ବିଦ୍ୟାଳୟ ବିବାଦ ଘେରରେ। ଏହି ବିଦ୍ୟାଳୟରେ ପ୍ରାୟ ଶତାଧିକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରୀ ଛାତ୍ରାବାସରେ ରହି ପାଠ ପଢୁଛନ୍ତି। ବିଭିନ୍ନ ସମୟରେ ବିବାଦ ଘେରରେ ରହି ଆସିଥିବା ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାତୀ ନାଏକଙ୍କ ନାମରେ ଏଥର ଗୁରୁତର ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀ। ସୂଚନାନୁସାରେ ବୁଧବାର ପରିଚାଳନା କମିଟିର ସଦସ୍ୟମାନେ ହଷ୍ଟେଲ ପରିଦର୍ଶନ ସମୟରେ ଅନ୍ତେବାସୀ ଛାତ୍ରୀମାନଙ୍କୁ ମେନୁ ଅନୁଯାୟୀ ଖାଦ୍ୟ ପରିବେଷଣ କରାଯାଉନଥିବା ଦେଖିବାକୁ ପାଇଥିଲେ।

ସରକାରୀ ତାଲିକା ଅନୁଯାୟୀ ବୁଧବାର ଦିନ ଭାତ, ମାଂସ ତରକାରୀ, ଛେନା ଭଜା ଓ ଖଟା ଦିଆଯିବା କଥା, କିନ୍ତୁ ଛାତ୍ରୀଙ୍କ ଥାଳିରେ କେବଳ ଭାତ, ଚଣା ତରକାରୀ ଓ ଡାଲି ପଡିଥିଲା। ସେହିପରି ଛାତ୍ରୀମାନଙ୍କୁ ତେଲ, ସାବୁନ, ସାମ୍ପୁ, ସାନିଟାରୀ ପ୍ୟାଡ୍ ଭଳି ପ୍ରସାଧନ ସାମଗ୍ରୀ ଯୋଗାଣରେ ମଧ୍ୟ ବ୍ୟାପକ ହେରଫେର ହେଉଥିବା ସେମାନେ ଜାଣିବାକୁ ପାଇଥିଲେ। ଏହା କେବଳ ଅବହେଳା ନୁହେଁ, ସିଧା ସିଧା ଆଦିବାସୀ ଝିଅଙ୍କ ଅଧିକାର ଛଡ଼ାଇ ନେବା ବୋଲି କମିଟି ଅଭିଯୋଗ କରିଛି। ଏହି ନିମ୍ନମାନର ଖାଦ୍ୟକୁ ନେଇ ଅଭିଭାବକଙ୍କ ମଧ୍ୟରେ ଭାରି ଅସନ୍ତୋଷ ଦେଖାଦେଇଛି। ପ୍ରଶ୍ନ ଉଠୁଛି, ସରକାରୀ ଖାତାରେ ମାଂସ-ଛେନାର ହିସାବ ଲେଖା ହେଉଛି, ଆଉ ଛାତ୍ରୀଙ୍କ ପେଟକୁ ଯାଉଛି ଚଣା-ଡାଲି; ବାକି ଟଙ୍କା ଯାଉଛି କେଉଁଠି।

ଏନେଇ ପରିଚାଳନା କମିଟି ପକ୍ଷରୁ ଲାଞ୍ଜିଗଡ଼ ବିଡ଼ିଓ ଶାଶାଙ୍କ ପାତ୍ର ଓ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏ ପର୍ଯ୍ୟନ୍ତ କୌଣସି ଯାଞ୍ଚ ହୋଇନଥିବାରୁ ଶୁକ୍ରବାର କଳାହାଣ୍ଡି ଜିଲ୍ଲାପାଳ ଓ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଅଭିଯୋଗ କରିବୁ, ସମାଧାନ ନହେଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବୁ ବୋଲି ଚେତାବନୀ ଦେଇଛି କମିଟି। ଏ ବାବଦରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ମୁଁ ଏ ବାବଦରେ ଜାଣି ନଥିଲି, ପରିଚାଳନା କମିଟି ଆସି କହିବାରୁ ଜାଣିଲି। ତଦନ୍ତ ପରେ ସତ କଣ ଜଣାପଡିବ ବୋଲି ସେ କହିଛନ୍ତି।

ଏନେଇ ଛାତ୍ରୀବାସ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ପ୍ରଭାତୀ ନାଏକଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ଶହ ଶହ ଆଦିବାସୀ ଝିଅଙ୍କ ପୋଷଣରେ ହେଉଥିବା ଏହି ଅବହେଳାର ଉଚ୍ଚସ୍ତରୀୟ ଯାଞ୍ଚ କେବେ ହେବ ଏବଂ ଦୋଷୀଙ୍କ ବିରୁଦ୍ଧରେ ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ନେବ ତାକୁ ଅପେକ୍ଷା କରିଛି ପରିଚାଳନା କମିଟି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପରିଚାଳନା କମିଟି ସଭାପତି ପ୍ରତିଭା ଦଳପତି, ଉପସଭାପତି ସମିରଣ ମାଝୀ, ସଦସ୍ୟ ମଧୁସ୍ମିତା ଦଳପତି, ମାଧବୀ ଦଳପତି, ସିଲା ଦଳପତି, ବିଭତି ବାଗ, ଦ୍ରୌପଦୀ ମାଝୀ, ପଦ୍ମା ମାଝୀ, ବେଣୁ ଦଳପତି, ପବନ ଦଳପତି, ଜଗତରାମ ହରପାଳ, ବିଭୀଷଣ ବାଗ, ବିଜୟ ମାଝୀଙ୍କ ସମେତ ଅଭିଭାବକମାନେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.