ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଏକ ପ୍ରସିଦ୍ଧ ଭଗବତ ପୀଠ ଦେବଗିରି ମଠ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ନେଇ ଉତ୍ସବମୁଖର ହୋଇ ଉଠିଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ମଠରେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପର୍ବ ଏକ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଛି। ଯାଦବ ରମଣୀମାନେ ଶୁକ୍ରବାର ରାତିରେ ମଠର ଦଧିବାମନଜୀଉ ମନ୍ଦିର ମଧ୍ୟରେ କୃଷ୍ଣ ଜନ୍ମ ନିତି ସଂପାଦନ କରିଥିଲେ। ଦେବଗିରିର ପ୍ରାଚୀନ ପରମ୍ପରା ଅନୁଯାୟୀ କେବଳ ଗୋପାଳୁଣୀମାନେ ହିଁ କୃଷ୍ଣ ଜନ୍ମ ନିତି ସଂପାଦନ କରିବାର ଅଧିକାର ପ୍ରାପ୍ତ। ଜନ୍ମାଷ୍ଟମୀ ଦିନ ମଠର ଆରାଧ୍ୟ ଦେବତା ଦଧିବାମନଜୀଉ ଶ୍ରୀକୃଷ୍ଣ ଭାବେ ଉପାସିତ ହୋଇଥାନ୍ତି। ଗୋପାଳୁଣୀମାନେ ସ୍ବତନ୍ତ୍ର ଭାବେ କୃଷ୍ଣଙ୍କ ପ୍ରତିମାକୁ କୋଳରେ ଧରି ନିଷ୍ଠାର ସହ ଏହି ନିତି ପାଳନ କରିଥିଲେ। ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଚଳନ୍ତି ପ୍ରତିମାକୁ ମନ୍ଦିର ପରିକ୍ରମା କରାଇ ସୁସଜ୍ଜିତ ଦୋଳିରେ ଝୁଲା ଯାଇଥିଲା। ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ମଠର ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ବିଭିଷଣ ଦାସ, ହରି ଦାସ, ରୋମାଞ୍ଚଳ ଦାସ, ଗୋପାଳ ସେବକ ଟିକେ ଗଉଡ, ପୁରାଣ ପାଠକ ପୂର୍ବା ଗଉଡ, କାନ୍ତ ମାଝୀ, ଧର୍ମେନ୍ଦ୍ର ଧଙ୍ଗଡାମାଝୀ ପ୍ରମୁଖ ପୂଜା କାର୍ଯ୍ୟ ଓ ପୁରାଣ ପଠନ ସଂପାଦନ କରିଥିଲେ। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ସଦସ୍ୟ ସଞ୍ଜୟ ଧଙ୍ଗଡାମାଝୀ, ରଜନୀ ଗଉଡ, ବିଜୟ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ସତ୍ରୁଘନ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ଭରତ ଧଙ୍ଗଡାମାଝୀ, ଦେବରାଜ ଗଉଡଙ୍କ ସହ ଶିକ୍ଷାବିତ ଅଶୋକ ଧଙ୍ଗଡାମାଝୀ, ଅନିଲ ଧଙ୍ଗଡାମାଝୀ, ଡମବୁଡା ଗଉଡ, ଧନେ ହେର୍ଣ୍ଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





