ନର୍ଲାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ

ରେଖପୁରରେ ସ୍ୱତନ୍ତ୍ର ଭାବରେ ପାଳିତ ହେଲା ଜନ୍ମାଷ୍ଟମୀ, ଆଜି ନନ୍ଦ ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିବା ବେଳେ ନର୍ଲା ଏନଏସସି ଅଧିନସ୍ଥ ରେଖପୁର ଯାଦବ ମାନେ ଭବ୍ୟ ଭାବରେ ପାଳନ କରିଛନ୍ତି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ। ଏଥିପାଇଁ ମନ୍ଦିର ପରିଚାଳନା କମିଟି ର ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ଜନ୍ମାଷ୍ଟମୀ ଉତ୍ସବ। ଗ୍ରାମର ମଧ୍ୟ ଭାଗରେ ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିରକୁ ନବବଧୁ ଭଳି ସଜ୍ଜିତ କରାଯାଇଥିଲା। ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠିଥିଲା ମନ୍ଦିର। ଗ୍ରାମର ଯୁବପିଢି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

ମନ୍ଦିର ପରିସରରେ ୭୦ ରୁ ଉର୍ଦ୍ଧ୍ବ ମହିଳା ବ୍ରତୀ ଜନ୍ମାଷ୍ଟମୀ ପାଳନ କରି କୃଷ୍ଣଜନ୍ମ ଚରିତ ଶୁଣିଥିଲେ। ମନ୍ଦିର ପୂଜକ ଟୁନା ପାଢ଼ୀ କୃଷ୍ଣଜନ୍ମ ଚରିତ ବୃତ୍ତାନ୍ତ ଗାନ କରିବା ସହିତ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ। ନିଶା ରାତିରେ କୃଷ୍ଣ ଜନ୍ମ ପରେ ବାଳ କୃଷ୍ଣଙ୍କୁ ହଳଦୀ, ଚନ୍ଦନ ଓ ପଞ୍ଚାମୃତ ରେ ଗାଧୋଇବା ପରେ ସର, ଲହୁଣୀ, ବିଭିନ୍ନ ପ୍ରକାର ର ଲଡୁ ଓ ଫଳ ଅର୍ପଣ କରି କୃଷ୍ଣଙ୍କୁ ଦୋଳି ଝୁଲାଇ ପୂଜନ କରିଥିଲେ ସମବେତ ମହିଳା ବ୍ରତୀ ମାନେ। ଆଜି ଶନିବାର ଅନୁଷ୍ଠିତ ହେଉଛି ନନ୍ଦ ଉତ୍ସବ।

ସେହିଭଳି ନର୍ଲାର ବିଭିନ୍ନ ମଠ ମନ୍ଦିର, ଅନୁଷ୍ଠାନ ଓ ଘରେ ଘରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଓ ଉତ୍ସବ ପାଳିତ ହୋଇଥିବା ଦେଖା ଯାଇଥିଲା । ବୁଢିପଦର ସ୍ଥିତ ପ୍ରାଚୀନ ଦେବଗିରି ମଠ, ଗୋହୀରାପଦର, ଶାନ୍ତପୁର ରାଧାକୃଷ୍ଣ ମନ୍ଦିର, ସର୍ଗିଗୁଡା ପ୍ରହରୀ ମଣ୍ଡପ, ନର୍ଲା ଜଗନ୍ନାଥ ମନ୍ଦିର, ନର୍ଲା ତ୍ରୀନାଥ ମନ୍ଦିର, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର, ରୁପ୍ରାରୋଡ ଜଗନ୍ନାଥ ମନ୍ଦିର, ମାଣ୍ଡେଲ ଜଗନ୍ନାଥ ମନ୍ଦିର, ସେରଗଡ ଜଗନ୍ନାଥ ମନ୍ଦିର, ତୁଲାପଡ ଜଗନ୍ନାଥ ମନ୍ଦିର, ସରିଆଁ ଜଗନ୍ନାଥ ମନ୍ଦିର, ରୁପ୍ରା ଜଗନ୍ନାଥ ମନ୍ଦିରରେ ଏନେଇ ସ୍ବତନ୍ତ୍ର ନୀତି ସମ୍ପାଦିତ ହୋଇଛି। ପରମ୍ପରା ଅନୁକ୍ରମେ ଦେବଗିରି ମଠର ଗର୍ଭଗୃହରେ ଯାଦବ ସଂପ୍ରଦାୟର ମହିଳାମାନେ ଶ୍ରୀକୃଷ୍ଣ ଜନ୍ମନୀତି ସଂପନ୍ନ କରିଥିଲେ।

ଏହାସହ ଧଅଁରାମାଲର ପିପଲପଡା, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର ସମେତ ଅନେକ ସ୍ଥାନରେ ସାମୁହିକ ଜନ୍ମାଷ୍ଟମୀ ବ୍ରତ ପାଳିତ ହୋଇଛି। ବିଶେଷ କରି ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନାଚର୍ଯ୍ୟ କୌସ୍ତୁବ ବାଗଙ୍କ ନେତୃତ୍ୱରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜନ୍ମାଷ୍ଟମୀ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀ କୃଷ୍ଣ ମେଳା ଏବଂ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ବିଦ୍ୟାଳୟ ର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଏବଂ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ରେ ଉତ୍ସବ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଗୁରୁଜୀ ତଥା ଯୁବନେତା ପ୍ରଦୀପ କୁମାର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶ୍ରୀ କୃଷ୍ଣ ଙ୍କୁ ପୂଜନ କରିଥିଲେ। ପବିତ୍ର ଜନ୍ମାଷ୍ଟମୀ ଅବସରରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କଂଗ୍ରେସ ର ଜିଲ୍ଲା ସାଧାରଣ ସମ୍ପାଦକ ନୀରଜ ଶର୍ମା ନର୍ଲା ଅଞ୍ଚଳବାସୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.