ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଗମ୍ବାରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମର ମଦ ବିକ୍ରି ବନ୍ଦ ଦାବିରେ ଗର୍ଜିଛନ୍ତି ଗ୍ରାମବାସୀ। ଏନେଇ ଶନିବାର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ହାତରେ ପ୍ଳାକାର୍ଡ ଧରି ମଦ ବିରୋଧୀ ନାରା ଦେଇ କୋକସରା ଥାନା ଆଗରେ ପହଞ୍ଚି ପ୍ରତିବାଦ କରିଥିଲେ। ପରେ ଥାନାରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏବଂ ତୁରନ୍ତ ବେଆଇନ୍ ମଦ ବିକ୍ରି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ସୂଚନା ଯେଗ୍ୟଯେ’ ଗାଁରେ ବେଆଇନ ମଦ ବିକ୍ରି ହେଉଥିବାରୁ ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ମଦ୍ୟପାନ କରି ଆସୁଛନ୍ତି। ଏଥିଯୋଗୁଁ ଘରେ ଘରେ ବିଶୃଙ୍ଖଳା ସୃଷ୍ଟି ହେବାସହ ଅନେକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଉଛି। ଘରର ମହିଳା ମାନେ କୁଳି ମଜୁରି କରି କିଛି ଟଙ୍କା ରୋଜଗାର କରୁଥିବା ବେଳେ ଘରର ପୁରୁଷ ମାନେ ମଦ୍ୟପାନ କରୁଥିବାରୁ ପରିବାର ପ୍ରତିପୋଷଣ କରିବାରେ କଷ୍ଟ ସହୁଛନ୍ତି। ଏମିତି କି ୨୬ ନମ୍ବର ଜାତୀୟ ରାଜପଥ ବଙ୍ଗୋମୁଣ୍ଡା ଛକରେ ଖୁଲମଖୁଲା ମଦ ବିକ୍ରି କରାଯାଉଥିବା ବେଳେ ବଙ୍ଗୋମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାର୍ଶ୍ଵରେ ଥିବା ଏକ ଭାବରେ ମଧ୍ୟ ବେଆଇନ ଭାବେ ମଦ ବିକ୍ରି କରାଯାଉଛି। ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମର ଅମ୍ବିକା ଦଳପତି, ସୁଷମା ଦଳପତି, ଗୋଲାପୀ ଦଳପତି, ପୁଷ୍ପାଞ୍ଜଳି ଦଳପତି, ପ୍ରର୍ବତୀ ନାୟକ, ଦେବକୀ ନାଏକ, ପ୍ରେମସିଲା ପୂଝାରି, ମାରୁଆ ପୂଝାରି, ଲତା ଦଳପତି ସମେତ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।





