ହାତିଖମ୍ବାର ପାଗଳ ବାବା ମନ୍ଦିରରୁ ପିତ୍ତଳ ମୂର୍ତ୍ତି ଚୋରି

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ହାତିଖମ୍ବା ଗ୍ରାମରେ ଥିବା ପାଗଳ ବାବାଙ୍କ ମନ୍ଦିରରୁ ବାବାଙ୍କ ପିତଳ ମୂର୍ତ୍ତି ସହ ଅନ୍ୟାନ୍ୟ ପୂଜା ସାମଗ୍ରୀ ଚୋରି ହୋଇଥିବା ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଗତକାଲି ରାତିରେ ଦୁର୍ବୃତ୍ତମାନେ ମନ୍ଦିରରୁ ବାବାଙ୍କ ପିତଳ ମୂର୍ତ୍ତି ସମେତ ବିଭିନ୍ନ ପୂଜା ସାମଗ୍ରୀ ହଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତ ଶନିବାର ଦିନ ମଧ୍ୟ ଏହି ମନ୍ଦିରରୁ ବହୁ ପୂଜା ସାମଗ୍ରୀ ଚୋରି ହୋଇଥିବା ନେଇ ମୁକୁନ୍ଦପୁର ଫାଣ୍ଡିରେ ଏତଲା ଦିଆଯାଇଥିଲା । ଏହାର କିଛି ଦିନ ପରେ ପୁନର୍ବାର ମୂର୍ତ୍ତି ଚୋରି ଘଟଣା ଘଟିବା ଭକ୍ତଙ୍କ ଭାବାବେଗକୁ ଆଘାତ ଲାଗିଛି । ମନ୍ଦିରରୁ ବାରମ୍ବାର ପୂଜା ସାମଗ୍ରୀ ଚୋରି ହେଉଥିବାରୁ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି । ଏକ ଲୁହା ରଡ୍ ଓ ଲୁହା କାଟିବା ବ୍ଲେଡ ସାହାଯ୍ୟରେ ତାଲା ଭାଙ୍ଗି ମନ୍ଦିରରେ ଥିବା ମୂର୍ତ୍ତି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି । ଏହି ଚୋରି ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରାଯାଇଛି । ମନ୍ଦିରଟି ମୁକୁନ୍ଦପୁର ଫାଣ୍ଡି ଅଧୀନରେ ଆସୁଥିବାରୁ ଘଟଣାର ତଦନ୍ତ କରି ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ଦୋଷୀଙ୍କୁ ଚିହ୍ନଟ କରିବାକୁ ଦାବି ହୋଇଛି । ଧାର୍ମିକ ସ୍ଥଳରୁ ଏଭଳି ଚୋରି ଘଟଣା ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ପହଞ୍ଚାଇଛି।l ତେଣୁ ରାତ୍ରି କାଳୀନ ପୁଲିସ ପାଟ୍ରୋଲିଂ ବଢ଼ାଇବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି । ପୁଲିସ ତଦନ୍ତ ପରେ ହିଁ ଏହି ଘଟଣାର ସତ୍ୟତା ଓ ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେଣୁ ପୁଲିସ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.