ରାଷ୍ଟ୍ରୀୟ ଏକତା ଦିବସ ପାଳନ ନିମନ୍ତେ ଏକତା ନଗର ଅଭିମୁଖେ ପ୍ରତିନିଧି ଦଳର ଯାତ୍ରା, ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଗୁଜରାଟର ଏକତା ନଗର ଠାରେ ଅକ୍ଟୋବର ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ ପାଳନ ନିମନ୍ତେ ରାୟଗଡ଼ା ରେଳ ଷ୍ଟେସନ ଠାରୁ ୧୬୦ ଜଣ ପ୍ରତିନିଧିଙ୍କ ଯାତ୍ରାକୁ ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ,ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରତିନିଧିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ । ରାୟଗଡ଼ା,କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ପ୍ରତ୍ୟେକ ୫୦ ଜଣ ଲେଖାଏଁ ପ୍ରତିନିଧି ଏବଂ ମୋଟ ୧୦ ଜଣ ନୋଡାଲ୍‌ ଅଧିକାରୀ ଏହି ଜାତୀୟ ସ୍ତରୀୟ ଉତ୍ସବରେ ଯୋଗଦେବା ପାଇଁ ଯାତ୍ରା କରିଛନ୍ତି । ଏହିପରି ମୋଟ ୧୬୦ ଜଣ ପ୍ରତିନିଧି ରାୟଗଡ଼ା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍‌ରେ ଏକତା ନଗର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସରରେ ଓଡ଼ିଶାରୁ ପ୍ରାୟ ୧,୦୦୦ ପ୍ରତିନିଧି ଏକତା ନଗର ଗ୍ରସ୍ତ କରି ଉତ୍ସବରେ ଅଂଶ ଗ୍ରହଣ କରିବେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି ଉତ୍ସବ ଜାତୀୟ ଏକତା,ଅଖଣ୍ଡତା ଓ ଭାଇଚାରାର ଭାବନାକୁ ସୁଦୃଢ଼ କରିବା ସହ ଶାନ୍ତି, ସୁରକ୍ଷା, ଜାତୀୟ ସଂହତି ଓ ସମାବେଶୀ ବିକାଶର ଗୁରୁତ୍ୱକୁ ପ୍ରତିପାଦିତ କରିବ ଏବଂ ‘ନକ୍ସଲମୁକ୍ତ ଭାରତ’ଗଠନର ଲକ୍ଷ୍ୟକୁ ସୁଦୃଢ଼ କରିବ । ଏହି ଅବସରରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ,ସ୍ୱତନ୍ତ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ସବର,ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିନିଆକାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ସମାଜସେବୀ ମାନେ ଉପସ୍ଥିତ ଥିଲେ । କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନଙ୍କ ରହଣି ପାଇଁ ରାୟଗଡ଼ା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପରେ ଏବଂ ରାୟଗଡ଼ା ଜିଲ୍ଲାର ପ୍ରତିନିଧିମାନଙ୍କ ପାଇଁ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ରେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.