ଅନୁଷ୍ଠିତ ହେଲା ବାଲେଶ୍ୱର ମହାବୀର ଆଖଡ଼ା ସଂଘର ବାର୍ଷିକ ଆଖଡ଼ା ପ୍ରତିଯୋଗିତା

ମଠସାହି ଆଖଡ଼ା ଦଳକୁ ଦଳଗତ ପ୍ରଥମ ପୁରସ୍କାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ମହାବୀର ଆଖଡ଼ା ସଂଘ ପକ୍ଷରୁ ବାର୍ଷିକ ଆଖଡ଼ା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ-୨୦୨୬ ମାକଲପୁରସ୍ଥିତ ମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଗଜଲକ୍ଷ୍ମୀ ପୂଜା ପରଦିନ ପୂର୍ଣ୍ଣିମା ତିଥିରେ ଆୟୋଜିତ ଏହି ଉତ୍ସବରେ ବାଲେଶ୍ୱରର ବିଭିନ୍ନ ଆଖଡ଼ା ଦଳ ଅଂଶଗ୍ରହଣ କରି ନିଜର ପାରମ୍ପରିକ ବାଡ଼ିଖେଳ ଓ କ୍ରୀଡ଼ାକୌଶଳ ପ୍ରଦର୍ଶନ କରିଥିଲେ। ସଂଘର ସଭାପତି ଗୋପୀନାଥ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା, ପୌରାଧ୍ୟକ୍ଷା ସବିତା ସାହୁ ଏବଂ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ଦାସ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ଆଖଡ଼ା ଖେଳର ଐତିହାସିକ ଗୁରୁତ୍ୱ ଉଲ୍ଲେଖ କରିବା ସହ ଏହି ପାରମ୍ପରିକ କ୍ରୀଡ଼ାର ସୁରକ୍ଷା, ପ୍ରସାର ଓ ଉନ୍ନତି ପାଇଁ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ। ୧୯୨୫ ମସିହାରେ ତତ୍କାଳୀନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ବାଲେଶ୍ୱର ସଦରର ପ୍ରଥମ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ନାଥ ଦାସଙ୍କ ସମେତ ଅନେକ ସଂଗ୍ରାମୀଙ୍କ ଉଦ୍ୟମରେ ଆଖଡ଼ା ସଂଗଠନ ଗଢ଼ିଉଠିଥିଲା। ଅବିଭକ୍ତ ବାଲେଶ୍ୱରର ବିଭିନ୍ନ ଗ୍ରାମାଞ୍ଚଳରେ ସଂଗଠନ ଗଢ଼ି ବ୍ରିଟିଶ ଶାସନ ବିରୋଧରେ ଲଢ଼ିବା ପାଇଁ ଏହା ଏକ ମାଧ୍ୟମ ହୋଇଥିଲା। ଏହି ଐତିହ୍ୟ ଓ ସଂସ୍କୃତିକୁ ଅକ୍ଷୁଣ୍ଣ ରଖିବା ସହ ଭାଇଚାରାର ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ପ୍ରତିବର୍ଷ ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।ସଂଘର ସାଧାରଣ ସମ୍ପାଦକ ମନୋଜ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ଉପସଭାପତି ପଦ୍ମଲୋଚନ ଲେଙ୍କା ବାଲେଶ୍ୱରର ବାଡ଼ିଖେଳର ଐତିହ୍ୟ ଓ ସାଂସ୍କୃତିକ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରତିଯୋଗିତାରେ ବିରାଷ୍ଟମୀ ଓ ବିଜୟା ଦଶମୀ ଅବସରରେ ଶାନ୍ତିଶୃଙ୍ଖଳା ବଜାୟ ରଖି ସୁନ୍ଦର ଓ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିବା ଆଖଡ଼ା ଦଳଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ପୁରୁଣା ବାଲେଶ୍ୱର ଦଳ ପ୍ରଥମ, ମାନସିଂ ବଜାର ଦଳ ଦ୍ୱିତୀୟ ଏବଂ ଭୀମପୁରା ଦଳ ତୃତୀୟ ପୁରସ୍କାର ପାଇଥିବାବେଳେ ଓଉପାଳ ଆଖଡ଼ା ଦଳକୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ପାରମ୍ପରିକ ଶୈଳୀରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପାଇଁ ମଠସାହି ମହାବୀର ଆଖଡ଼ା ଦଳ ପ୍ରଥମ, ହର୍ଷପୁରା ଦଳ ଦ୍ୱିତୀୟ ଏବଂ ଇଶାଣି ମହାବୀର ଆଖଡ଼ା ଦଳ ତୃତୀୟ ପୁରସ୍କାର ଲାଭ କରିଥିଲେ। ଦଳଗତ ପ୍ରତିଯୋଗିତାରେ ମଠସାହି ପ୍ରଥମ, ମାନସିଂ ବଜାର ଦ୍ୱିତୀୟ ଏବଂ ଆଜିମାବାଦ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉତ୍ସବରେ ସଂଘର ଉପସଭାପତି ମନୋଜ କୁମାର ରାଉତ, ସହସାଧାରଣ ସମ୍ପାଦକ ବୈଲୋଚନ ଦାଶ, ଯୁଗ୍ମ ସମ୍ପାଦକ ରାମେଶ୍ୱର ବେହେରା, କୋଷାଧ୍ୟକ୍ଷ ରାଜେନ୍ଦ୍ର ଚାଟାର୍ଜି, ସହସମ୍ପାଦକ ବିଜୟ ପଲ୍ଲାଇ, ଦେବେନ୍ଦ୍ର ଦାସ, ସୌମ୍ୟରଞ୍ଜନ ଦାସ ଯାଦବ, ଡ. ପଙ୍କଜ କୁମାର ଦାସ, ସିମନ ଦାସ ମହାପାତ୍ର, ରାଜେନ୍ଦ୍ର ଦାସ, ସତ୍ୟେନ୍ଦ୍ର ଦାସ, ମନୋଜ ଧଳ, ଭାରତ ଭୂଷଣ ଦାସ, ପ୍ରତିମା ପଣ୍ଡା, ଆଶ୍ରିତା ତରେଇ, ଶର୍ମିଳା ବାରିକ, ଯଶୋଦାନନ୍ଦନ ଆଶ ଓ ମାନସ ରଥଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସଭା ଶେଷରେ ଉପସଭାପତି ମନୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.