ବଲକର ଧକ୍କାରେ ଦୁଇ ଯୁବକ ମୃତ ପ୍ରସଙ୍ଗ: ନ୍ୟାୟ ଦାବିରେ ତାତିଲା ରାଜପଥ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଓ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

୪ ଘଣ୍ଟା ରାଜ୍ୟ ରାଜପଥ ଅବରୋଧ, ରେଡକ୍ରସ ପାଣ୍ଠିରୁ ଉଭୟ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଟି ପରିବାରର ହସଖୁସି ଛଡ଼ାଇ ନେଇଛି। ଭବାନୀପାଟଣା–ରାୟଗଡ଼ା ରାଜ୍ୟ ରାଜପଥର କଦଳୀଘାଟି କୁଚେରଇଯୋର ନିକଟରେ ରବିବାର ରାତିରେ ଏକ ବଲକର ଧକ୍କାରେ ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକମାନେ ହେଲେ ଦୁର୍ଯ୍ୟୋଧନ ଭୋଇ (୨୮) ଓ ଦିଗମ୍ବର ଗଉଡ଼ (୧୭)। OD/KA48A/D0970 ନମ୍ବର ବିଶିଷ୍ଟ ବଲକରଟି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ଦୁଇଜଣ ଯାଦବ ସମ୍ପ୍ରଦାୟର ହୋଇଥିବାରୁ ସମଗ୍ର ଅଞ୍ଚଳରେ ଗଭୀର ଶୋକ ଓ ଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ଯୁବକଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ, ଆହତଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଏବଂ ଦୁର୍ଘଟଣାପ୍ରବଣ କଦଳୀଘାଟି ଅଞ୍ଚଳରେ ସ୍ଥାୟୀ ସଡ଼କ ସୁରକ୍ଷା ବ୍ୟବସ୍ଥା ଦାବିରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଥିଲା। ଆନ୍ଦୋଳନକାରୀମାନେ ରାଜ୍ୟ ରାଜପଥ ଅବରୋଧ କରି ପ୍ରଶାସନ ନିକଟରେ ନିଜର ଦାବି ଉପସ୍ଥାପନ କରିଥିଲେ। ଫଳରେ ପ୍ରାୟ ଚାରି ଘଣ୍ଟା ଧରି ଏହି ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବାରୁ ଯାତ୍ରୀମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଆନ୍ଦୋଳନରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପସଭାପତି ଯୁଧିଷ୍ଠିର ଗଉଡ଼, ଆଇନ ପରାମର୍ଶଦାତା ସଞ୍ଜୟ ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଈଶ୍ୱର ବଗର୍ତ୍ତି, ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗଉଡ଼ ଓ ଯୁବ ଉପସଭାପତି ଦିଲେଶ ନାଗଙ୍କ ସମେତ ଲାଞ୍ଜିଗଡ଼ ଓ ନର୍ଲା ବ୍ଲକ୍ ଯାଦବ ମହାସଭାର ବହୁ କର୍ମକର୍ତ୍ତା, ସଦସ୍ୟ ଏବଂ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ। ମୃତକଙ୍କ ପରିବାରର ଦୁଃଖରେ ସାମିଲ ହୋଇ ଉପସ୍ଥିତ ଯାଦବ ସମାଜର ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିବା ସହିତ ପୀଡ଼ିତ ପରିବାରକୁ ତୁରନ୍ତ ସରକାରୀ ଓ ପ୍ରଶାସନିକ ସହାୟତା ଯୋଗାଇଦେବାକୁ ଦାବି କରିଥିଲେ। ଆନ୍ଦୋଳନର ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ନର୍ଲା ତହସିଲଦାର ରେଡକ୍ରସ ପାଣ୍ଠିରୁ ମୃତକ ଦୁଇଜଣଙ୍କ ପରିବାରକୁ ୧୦,୦୦୦ ଟଙ୍କା ଲେଖାଏଁ, ମୋଟ ୨୦,୦୦୦ ଟଙ୍କା ତତ୍କାଳୀନ ସହାୟତା ପ୍ରଦାନ କରିଥିଲେ। ପ୍ରଶାସନ ସହ ଆଲୋଚନା ପରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ ହଟାଇଥିଲେ। ତେବେ ଏହି ତତ୍କାଳୀନ ସହାୟତା ସହିତ ମୃତକଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ ଦାବି ମଧ୍ୟ ଗୁରୁତ୍ୱ ପାଇଛି।

କଦଳିଘାଟିରେ ସଡ଼କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

କଦଳୀଘାଟି ଭଳି ଘାଟି ରାସ୍ତାରେ ଭାରୀଯାନ ଚଳାଚଳ ସମୟରେ ଆବଶ୍ୟକ ସତର୍କତା, ଯାନବାହନର ଗତି ନିୟନ୍ତ୍ରଣ, ସତର୍କ ସୂଚନା ଫଳକ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାର ସ୍ଥିତିକୁ ନେଇ ଏହି ଦୁର୍ଘଟଣା ପୁଣିଥରେ ଗୁରୁତର ପ୍ରଶ୍ନ ଉଠାଇଛି। ଘାଟି ଅଞ୍ଚଳରେ ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା, ଯାନବାହନ ଯାଞ୍ଚ ଓ ନିୟମିତ ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଜରୁରୀ। କେବଳ ଦୁର୍ଘଟଣା ପରେ କ୍ଷତିପୂରଣ ଦେବା ଯଥେଷ୍ଟ ନୁହେଁ; ଭବିଷ୍ୟତରେ ଏଭଳି ଅମୂଲ୍ୟ ଜୀବନହାନି ରୋକିବା ପାଇଁ ସ୍ଥାୟୀ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ପ୍ରତ୍ୟେକ ଯାଦବଙ୍କ ହକ୍, ଅଧିକାର ଓ ସ୍ୱାଭିମାନ ପାଇଁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପ୍ରତିବଦ୍ଧ

କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ଯାଦବ ପରିବାରର ସୁଖଦୁଃଖରେ ସାମିଲ ହେବା ସହିତ ସେମାନଙ୍କ ହକ୍, ଅଧିକାର, ସମ୍ମାନ ଓ ନ୍ୟାୟ ପାଇଁ ସଂଗଠିତ ଭାବେ ସ୍ୱର ଉତ୍ତୋଳନ କରିବା ହେଉଛି କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ମୂଳ ଲକ୍ଷ୍ୟ। ଜିଲ୍ଲାର ୧୩ଟି ବ୍ଲକ୍, ୩ଟି ଏନ୍‌ଏସି, ୧ଟି ପୌରପାଳିକା, ୩୧୦ଟି ପଞ୍ଚାୟତ ଓ ୨,୨୫୩ଟି ଗ୍ରାମ ପର୍ଯ୍ୟନ୍ତ ସଂଗଠନକୁ ସୁଦୃଢ଼ କରି ପ୍ରତ୍ୟେକ ଯାଦବ ପରିବାରର ସମସ୍ୟାକୁ ସଂଗଠନର ସମସ୍ୟା ଭାବେ ଗ୍ରହଣ କରିବାକୁ ମହାସଭା ସଂକଳ୍ପବଦ୍ଧ। ସମାଜରେ ଏକତା, ପାରସ୍ପରିକ ସହଯୋଗ, ସାମାଜିକ ସୁରକ୍ଷା ଓ ସର୍ବାଙ୍ଗୀଣ ବିକାଶକୁ ଆଗେଇ ନେବା ସହିତ ଅନ୍ୟାୟ ଓ ଅବହେଳା ବିରୋଧରେ ଗଣତାନ୍ତ୍ରିକ ଉପାୟରେ ସ୍ୱର ଉତ୍ତୋଳନ କରିବା ମହାସଭାର ଦୃଢ଼ ଆଭିମୁଖ୍ୟ। ସମାଜର ଯେକୌଣସି ସଦସ୍ୟଙ୍କ ଉପରେ ବିପଦ ଆସିଲେ ସଂଗଠନ ତାଙ୍କ ପାଖରେ ଠିଆ ହେବା, ତାଙ୍କ ସମସ୍ୟାକୁ ସାମୂହିକ ଭାବେ ଉଠାଇବା ଏବଂ ନ୍ୟାୟ ପାଇଁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଲଢ଼େଇ କରିବା ହିଁ ଏହି ସଂଗଠନର ପ୍ରକୃତ ଶକ୍ତି। ବ୍ୟକ୍ତିଗତ ସ୍ୱାର୍ଥଠାରୁ ସମାଜର ସାମୂହିକ ସ୍ୱାର୍ଥ ଓ ସମ୍ମାନକୁ ଅଗ୍ରାଧିକାର ଦେଇ ଯାଦବ ସମାଜର ଏକତା ଓ ଅଧିକାର ପାଇଁ ମହାସଭା ନିଜର ସଂଗଠନାତ୍ମକ ଯାତ୍ରା ଜାରି ରଖିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.