ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଙ୍କ ଅଧକ୍ଷତା ରେ ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ ହୋଇଯାଇଛି। ୧୯୪୯ ମସିହା ନଭେମ୍ବର ୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ସ୍ବତନ୍ତ୍ର ଜିଲ୍ଲା ଭାବରେ ମାନ୍ୟତା ପାଇଥିଲା। ତେଣୁ ସେହି ଦିନଠାରୁ ନଭେମ୍ବର ୧ ତାରିଖ କୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଭାବରେ ପାଳନ ହୋଇ ଆସୁଅଛି। ନର୍ଲା ରେ ବ୍ଲକ ଓ ଏନଏସି ସ୍ତରୀୟ ଏହି ଜିଲ୍ଲା ଗଠନ ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ପୂର୍ବତନ ବିଧାୟକ କୁମର ମଣି ଶବର, ଏବିଓ ଗୋବର୍ଦ୍ଧନ ମାଝୀ, କଳା ସଂସ୍କୃତି ଅଧିକାରୀ ପ୍ରଦୀପ ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ନୀଳମଣି ସାହୁ, ନର୍ଲା ସରପଞ୍ଚ ତନୁଜା ହରପାଲ, ପୂର୍ବତନ ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ, ନର୍ଲା ସମିତି ସଦସ୍ୟ ସୁଦାମ ଝାଙ୍କର, ବ୍ଲକ କଂଗ୍ରେସ ସଭାପତି ଚୁଳମଣୀ ଗୌଡ଼ିଆ, ବିଜେପି ମଣ୍ଡଳ ସଭାପତି ଶିବରାମ ରଣା ପ୍ରମୁଖ ମଞ୍ଚାସୀନ ରହି କଳାହାଣ୍ଡି ର କଳା, ସଂସ୍କୃତି ଓ ଇତିହାସ ଉପରେ ଆଲୋଚନା କରିବା ସହିତ ଭୋକର ଭୂଗୋଳ କଳାହାଣ୍ଡି ଆଜି ଦୀର୍ଘ ୭୭ ବର୍ଷ ପରେ ବିକଶିତ କଳାହାଣ୍ଡି ହୋଇ ପାରିଛି। ଇତି ମଧ୍ୟରେ କଳାହାଣ୍ଡି ର ବିକାଶ ରେ ପରିବର୍ତ୍ତନ ଘଟିଛି। ଏ ମଧ୍ଯରେ ବିତିଯାଇଛି ୭୭ ବର୍ଷ। ବଦଳିଛି କଳାହାଣ୍ଡି ର ଭୌଗଳିକ ମାନଚିତ୍ର। ବଦଳି ଯାଇଛି କଳାହାଣ୍ଡି ର ପୂର୍ବ ପରିଚୟ। ଶିକ୍ଷା ସ୍ବାସ୍ଥ୍ୟ, ଗମନା ଗମନ, ବିଜୁଳି, ପାନୀୟ ଜଳ ଭଲି ଅନେକ କ୍ଷେତ୍ରରେ ବିକଶିତ ହୋଇଛି କଳାହାଣ୍ଡି ବୋଲି ଅତିଥି ବୃନ୍ଦ ସେମାନଙ୍କ ବକ୍ତବ୍ୟରେ କହିଥିଲେ। ଇତ୍ୟବସରରେ ବ୍ଲକ ସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ରେ ଉତୀର୍ଣ୍ଣ ହୋଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଡିଓ ଶ୍ରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।





