ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମର ଉଦଯୋଗୀ ଯୁବକ ମାନଙ୍କର ଉଦ୍ୟମ ଫଳରେ ଭୀମ ନଗର ନାମକରଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ନଭେମ୍ବର ପହିଲା ଦିନ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ଗୌର ହରିଜନ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦ, ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନର ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ, ଦର୍ପ ସେନାପତି, ନିର୍ମଳ ଦୀପ, ଜୟ ଶଙ୍କର ନାଏକ, ରାମସ୍ୱାମି ନାଏକ, ଉତ୍ସବ ବିହାରୀ ପ୍ରମୁଖ ରହିଥିବା ମଞ୍ଚାସୀନ ରହିଥିଲେ। ମୁଖ୍ୟବକ୍ତା ଭାବରେ ଛବିଲାଲ ନିହାଲ ଓ ରିଚେକର ଦୀପ ପ୍ରମୁଖ ମଞ୍ଚାସୀନ ହୋଇ ସମାଜକୁ ଦିଗ ଦର୍ଶନ ଦେଇଥିଲେ। ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ କୌତୁକ ଖମାରୀ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ ପଡ଼ାର ମହିଳା ଓ ପୁରୁଷ ମିଶି “ଭୀମ ରାଓ ଆମ୍ବେଦକର ଅମର ରହେ”, “ଜୟ ଭୀମ” ପ୍ରଭୃତି ନାରା ଦେଇ ଏକ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହାପରେ ଅତିଥି ମାନେ ଫିତା କାଟି ମଞ୍ଚ ଉଦ୍ଘାଟନ କରିଥିଲେ। ମଞ୍ଚରେ ଡ଼କ୍ଟର ବି.ଆର. ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ଆମ୍ବେଦକରଙ୍କ ଜୀବନୀ ଉପରେ ବିଭିନ୍ନ ଆଲୋଚନା କରାଯାଇଥିଲା। ଶିକ୍ଷିତ ହେବା, ସଙ୍ଗଠିତ ହେବା, ସଂଘର୍ଷ କରିବା ଏବଂ ସମାଜକୁ ଆଗେଇ ନେବା ବୋଲି ଅତିଥି ବୃନ୍ଦ ଯୁବ ପିଢୀଙ୍କୁ ଆହ୍ୱାନ ଦେଇଥିଲେ। ଏହାପରେ ମାଣ୍ଡେଲ ଆରମ୍ଭ ମୁଣ୍ଡର ସାହିକୁ ଡ. ବି ଆର ଆମ୍ବେଦକରଙ୍କ ନାମରେ ନାମିତ କରାଯାଇ ଏହାର ନୂଆନାମ “ଭୀମ ନଗର” ଭାବରେ ନାମିତ କରାଗଲା ବୋଲି ଘୋଷଣା କରିଥିଲେ ଅତିଥି ବୃନ୍ଦ। ଇତ୍ୟବସରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଏବଂ ଯୁବକ ଯୁବତୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଭୀମ ନଗରର ସମସ୍ତ ଯୁବକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଦର୍ପ ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





