ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ସମ୍ଭାବ୍ଯ ବାତ୍ଯା ମୁରାସୁକୁ ନେଇ ବେଶ୍ ସଜାଗ ରହିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ମଙ୍ଗଳବାର ଦିନ ବାତ୍ୟା ଆନ୍ଧ୍ରର ନେଲୁର ନିକଟରେ ଲେଣ୍ଡଫଲ୍ କରିବ ବୋଲି କୁହାଯାଇଛି। ଏସ୍ଆରସିଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧକ୍ଷ୍ଯତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଲଗାଣ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବ୍ଲକ ବିଡିଓ ଓ ତହସିଲଦାରଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ୧୩୪ଟି ଆଶ୍ରୟସ୍ଥଳୀ ରହିଥିବା ବେଳେ ଲ୍ଯାଣ୍ଡଫୋଲ୍ ପୂର୍ବରୁ ସମସ୍ତ ପ୍ରଭାବିତଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଭୁଷ୍କଳନ ଘଟୁଥିବା ୧୭ଟି ସ୍ଥାନକୁ ଚିହ୍ନଟ କରାଯାଇ ସେହି ସ୍ଥାନ ମାନଙ୍କ ପ୍ରତି ସତର୍କ ରହିବାକୁ କ୍ଷେତ୍ର ଅଧିକାରୀଙ୍କୁ କୁହାଯାଇଛି। ଜିଲ୍ଲାର ଗୁଣପୁରରେ ଦୁଇଟି ଓଡ୍ରାଫ୍ ଟିମ୍ ରହିଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମୁତ୍ତୟନ କରାଯିବା ସହ ଅଗ୍ନିଶମ ବିଭାଗର ଅଧିକାରୀ ମାନଙ୍କୁ ସତର୍କ କରାଯାଇଛି। ତେବେ ରାୟଗଡ଼ା ଜିଲ୍ଲାକୁ ଆଜି ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ସୋମବାର ସକାଳୁ ସକାଳୁ ଜିଲ୍ଲାର ଅନେକ ସ୍ଥାନରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଛି। ତେବେ ପ୍ରଶାସନ ପକ୍ଷରୁ ମଙ୍ଗଳ, ବୁଧବାର ଦୁଇ ଦିନ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକୁ ବନ୍ଦ ରଖି ବେଶ୍ ସଜାଗ ରହିଛି ବୋଲି ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସୂଚନା ଦେଇଛନ୍ତି। ତେବେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟିକୁ ବାତିଲ କରାଯାଇଛି।





