ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏସଆଇଆର ବାତିଲ ଏବଂ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସୋମବାର ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ବ୍ଲକର ରାଲି ଅନୁଷ୍ଠିତ ହୋଇ ଯାଇଛି। ଏହି ରାଲିରେ ପ୍ରମୁଖ ବିରୋଧୀ ଦଳ ଗୁଡ଼ିକ ସାମିଲ ହେଉଛନ୍ତି। ରାଲିରେ ୧୦ ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ଜଣାପଡ଼ିଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ତଥା ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ସଭାପତି ଜଳନ୍ଧର ନାଏକ, ଭବାନୀପାଟଣା ବ୍ଲକ ସଭାପତି ସୁବାସ ପଧାନ, ରାମପୁର ବ୍ଲକ ସଭାପତି ରୁଦ୍ର ନାରାୟଣ ସିଂ, ଜିଲ୍ଲା ସାଧାରଣ ସମ୍ପାଦକ ନୀରଜ ଶର୍ମା, ଛାତ୍ର କଂଗ୍ରେସ ସଭାପତି, ଜୁନାଗଡରୁ ତୁଲେଶ୍ୱର ନାଏକ, କେସିଙ୍ଗାରୁ ବିଜୟ ଦୀପ ପ୍ରମୁଖଙ୍କ ସମେତ ୧୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ କର୍ମୀ ଏହି ଆନ୍ଦୋଳନରେ ଯୋଗଦାନ କରିଥିଲେ। ଜ୍ଞାନେସ ହଟାଓ, ଭୋଟ ବଚାଓ, ଦେଶ ବଚାଓ ରାଲିରେ ରାମ ଲୀଳା ମଇଦାନ ପ୍ରକମ୍ପିତ ହୋଇ ଉଠିଥିଲା। ଦିଲ୍ଲୀରେ ଏତେବଡ଼ ରାଲିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଆଗକୁ ଦୀପାବଳୀ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଲି ସ୍ଥଗିତ ରଖିବା ନିମନ୍ତେ ଦିଲ୍ଲୀର ବ୍ୟବସାୟୀମାନେ ରାହୁଲ ଗାନ୍ଧିଙ୍କୁ ନିବେଦନ କରିଥିବା ବେଳେ ରାହୁଲ କହିଛନ୍ତି ଯେ, ଯଦି ଜ୍ଞାନେଶ କୁମାର ଇସ୍ତଫା ଦେଇଦେବେ ତେବେ ଏହି ରାଲିର ଆବଶ୍ୟକତା ପଡ଼ିବ ନାହିଁ। କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ, ଇଣ୍ଡିଆ ବ୍ଲକର ମୁଖ୍ୟତଃ ୩ଟି ଦାବି ରହିଛି। ପ୍ରଥମତଃ ସାରା ଦେଶରେ ଏସଆଇଆରକୁ ବାତିଲ କରିବା, ସିଇସି ଜ୍ଞାନେଶ କୁମାର ଇସ୍ତଫା ଦେବା ଏବଂ ତୃତୀୟଟି ହେଲା ଦେଶରେ ସମସ୍ତ ନିର୍ବାଚନରେ ଇଭିଏମ ବଦଳରେ ପୁନର୍ବାର ବାଲଟ ପେପର ବ୍ୟବହାର କରାଯିବା।






