ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଶହୀଦ ରୋଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆ, ଓଡ଼ିଶା ଶାଖା ତରଫରୁ ଭେଷଜ ବିଭାଗ ଓ ଆ.ଏମ୍.ଏ., କଳାହାଣ୍ଡି ଜିଲ୍ଲା ଶାଖାର ମିଳିତ ଉଦ୍ୟମରେ ପ୍ରଥମଥର ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ଶିକ୍ଷା ସମାବେଶ ଜେରିଓ୍ବିନ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ତଥା ରାଜ୍ୟସ୍ତରୀୟ ବିଭିନ୍ନ ବିଭାଗର ଡାକ୍ତରଙ୍କୁ ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗ ତଥା ସ୍ଵାସ୍ଥ୍ୟ ସମସ୍ୟା ସମ୍ପର୍କରେ ବିଶଦ ଆଲୋଚନା ତଥା ପାଠଚକ୍ର କାର୍ଯ୍ୟକ୍ରମ ମାଧ୍ଯମରେ ପ୍ରଶିକ୍ଷଣ ତଥା ସାଂପ୍ରତିକ ଗବେଷଣାମୂଳକ ନୂତନ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ସଚେତନ କରିବାର ଲକ୍ଷ୍ୟନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଦେଶ ଶାଖାର ଅଧ୍ୟକ୍ଷ ପ୍ରଫେସର ଡା.ପୂର୍ଣ୍ଣଚନ୍ଦ୍ର ଦାଶ, ଶାଖା ସମ୍ପାଦକ ପ୍ରଫେସର ଡା.ସନ୍ତୋଷ କୁମାର ସ୍ୱାଇଁ, ପ୍ରଫେସର ଡା.ଜୟନ୍ତ କୁମାର ପଣ୍ଡା, ଭେଷଜ ମହାବିଦ୍ୟାଳୟର ଅଧ୍ଯକ୍ଷ ପ୍ରଫେସର ଡା.କ୍ରିଷ୍ଣା କର, ଅଧିକ୍ଷକ ପ୍ରଫେସର ଡା.ଲିଟି ମହାନ୍ତି, ଆଇ.ଏମ୍.ଏ. କଳାହାଣ୍ଡି ଜିଲ୍ଲା ଶାଖାର ସଂପାଦକ ଡା. ରବିନାରାୟଣ ସେନାପତି, କାର୍ଯ୍ୟକ୍ରମର ସାଂଗଠନିକ ଅଧ୍ଯକ୍ଷ ଡା.ଅୟସକାନ୍ତ କର, ସାଂଗଠନିକ ସମ୍ପାଦକ ଡା.ଦୀନବନ୍ଧୁ ସାହୁଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ଡ.ପବନ କୁମାର ଅଗ୍ରୱାଲ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ।
ମହାବିଦ୍ୟାଳୟର ଶେଷବର୍ଷ ଛାତ୍ରଛାତ୍ରୀ ତଥା ଅନ୍ୟୁନ ୨୦୦ ଡାକ୍ତରଙ୍କ ଉପସ୍ଥିତିରେ ଦିନତମାମ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜରାଜନିତ ବିଭିନ୍ନ ରୋଗ ଓ ସମସ୍ୟାର ଚିହ୍ନଟ ଓ ସମାଧାନର କୌଶଳ, ଅପପୁଷ୍ଟି ତଥା ମାଂସପେଶୀର ଦୁର୍ବଳତା, ବ୍ୟଥା ଓ ଉପଶମ ଚିକିତ୍ସା, ପାର୍କିନସୋନିଜିମ୍, ଡେଲିରିଅମ୍, ପୋଲିଫାର୍ମାସୀ, ହୃଦ୍ରୋଗ, ମଧୁମେହ, ଦନ୍ତରୋଗ ତଥା ଚର୍ମ ସମସ୍ୟା, ଅସ୍ଥି ଦୌର୍ବଲ୍ୟତା, ନିମୋନିଆ, ଟୀକାକରଣ ଇତ୍ୟାଦି ଅନେକ ଗୁରୁତ୍ୱପୂର୍ଣ୍ଣ ଜଟିଳ ସମସ୍ୟା ତଥା ରୋଗ ସମ୍ପର୍କରେ ଆମନ୍ତ୍ରିତ ବହୁ ଅଭିଜ୍ଞ ପ୍ରଫେସର ଉପସ୍ଥିତ ଡାକ୍ତରଙ୍କୁ ଶିକ୍ଷାଦାନ କରିଥିଲେ।

ପ୍ରଫେସର ଡା.ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଫେସର ଡା.ଜୟନ୍ତ ପଣ୍ଡା, ଡା.ଶ୍ରୀକାନ୍ତ ଧର, ସ୍ନାୟୁରୋଗ ବିଶେଷଜ୍ଞ ଡା.ମିତାଲି କର, ହୃଦରୋଗ ବିଶେଷଜ୍ଞ ଡା.ମହେନ୍ଦ୍ର ପ୍ରସାଦ ସାମଲ, ଅନ୍ତଃସ୍ରାବୀ ତଥା ମଧୁମେହ ବିଶେଷଜ୍ଞ ଡା.ସିଦ୍ଧାର୍ଥ ପାଣିଗ୍ରାହୀ, ଡା.ଏମ୍ ନାଗେଶ୍ୱର, ଡା.ସନ୍ତୋଷ ସ୍ଵାଇଁ, ଡା.ଭାରତ ମାଝୀ, ଡା.ସୌରଭ ମିଶ୍ର, ଡା.ଲୋମପଦ ନାଏକ, ଡା.ଅଶୋକ ବେହେରା, ଡା.ସୁବର୍ଣ୍ଣ ମଲ୍ଲିକ, ଡା.ସୁନୀଲ କୁମାର କର, ଡା.ଦୀନବନ୍ଧୁ ସାହୁ ପ୍ରମୁଖଙ୍କ ଜ୍ଞାନଗର୍ଭକ ବକ୍ତବ୍ୟ ବେଶ ଶିକ୍ଷଣୀୟ ହୋଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବରିଷ୍ଠ ଡାକ୍ତର ଡା.ହରିଶଙ୍କର ବେହେରା, ଡା.ଅନନ୍ତରାମ ତ୍ରିପାଠୀ, ଡା.ଭାରତ ବନ୍ଧୁ ପଣ୍ଡା ତଥା ସଂଘ ସଭାପତି ପ୍ରଫେସର ଡା.ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ମାନପତ୍ର, ସ୍ମୃତିଫଳକ ଓ ଉପଢୌକନ ସହ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାର ସୁନାମଧନ୍ୟ ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରିତ କରାଯାଇଥିବା ବେଳେ ଗୁରୁ ମଧୁସୂଦନ ମହାରଣାଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ବାଦ୍ୟଶିଳ୍ପୀ ତଥା ସଂଗୀତ ଶିଳ୍ପୀଙ୍କୁ ନେଇ ‘ବନ୍ଦେ ଉତ୍କଳ ଜନନୀ’ ଓ ‘ଜନଗଣ ମନ’ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥୁଲା। ଦଶଜଣ ଶିଳ୍ପୀଙ୍କୁ ନେଇ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମରେ ଅମ୍ଳାନ ଅକ୍ଷୟାଂଶୁ ଏବଂ ଲିପ୍ସା କଣ୍ଠଦାନ କରିଥିଲେ। ଡା.ଶାଶ୍ୱତ ଶତପଥୀ, ଡା.ଆଲିସା ହୁସେନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡା.ଶ୍ରୀତମ୍, ଡା.ସଂଗ୍ରାମ, ଡା.ଏଲିଶା, ଡା.ସାଇପ୍ରିୟାଙ୍କ ଦ୍ଵାରା ମଞ୍ଚ ପରିଚାଳନା ତଥା ଉଦ୍ଘୋଷଣା କାର୍ଯ୍ୟ ସଂପନ୍ନ ହୋଇଥିଲା।

ଭବାନୀପାଟଣାରେ ପ୍ରଥମ ଥର ପାଇଁ ଜରାରୋଗ ସମ୍ପର୍କିତ ଏହି ଶିକ୍ଷା କାର୍ଯ୍ୟକ୍ରମକୁ ସବୁସ୍ତରରେ ସ୍ଵାଗତ କରାଯାଇଥିବା ବେଳେ ଭବିଷ୍ୟତରେ ଏପରି କାର୍ଯ୍ୟକ୍ରମ କାର୍ଯ୍ୟରତ ଡାକ୍ତରଙ୍କୁ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଓ ରୋଗଚିକିତ୍ସା ସମ୍ପର୍କରେ ସଚେତନ କରିବା ସହ ସେମାନଙ୍କ ଚିକିତ୍ସା ଦକ୍ଷତାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।

ପୂର୍ବରୁ ରୁମାଟୋଲୋଜି, ଭେଷଜ ବିଜ୍ଞାନ, ମଧୁମେହ ସମ୍ପର୍କରେ ଏହିପରି ଦିନବ୍ୟାପି ଶିକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଆଗକୁ ଆହୁରି ଅନେକ ପ୍ରଶିକ୍ଷଣ ତଥା ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହେବାର ଯୋଜନା ରହିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଭେଷଜ ବିଶେଷଜ୍ଞ ଡା.ଦୀନବନ୍ଧୁ ସାହୁ ପ୍ରକାଶ କରିଛନ୍ତି।






