ସଇଁତଲାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ସ୍ଥିତ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ପ୍ରମୋଦ ବୁଡ଼େକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଶିବ ପ୍ରସାଦ ବେହେରା ମୁଖ୍ୟ ଅତିଥି, ବ୍ଲକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା, ବିଆରସିସି ନାରାୟଣ ଭୋଇ, ଶିକ୍ଷକ ସଭାପତି ବୈକୁଣ୍ଠ ଭୋଇ, ଏସଏସଡ଼ି ସଇଁତଲାର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଲକ୍ଷ୍ୟରେ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ, ସମାଜରେ ନେତୃତ୍ୱ ନେବାର କ୍ଷମତା ବୃଦ୍ଧି ଦିଗରେ ଏହି କାର୍ଯ୍ୟକ୍ରମର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବକ୍ତାଗଣ କହିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। କ୍ଷୀରସିନ୍ଧୁ ମହାନନ୍ଦ ଅତିଥି ପରିଚୟ ତଥା ହରେକୃଷ୍ଣ ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକ ଅଞ୍ଚଳର ସମସ୍ତ ସିଆରସିସି, ଅଫିସ ଷ୍ଟାଫ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.