ନୈତିକତା ଓ ସ୍ୱଚ୍ଛତା ହିଁ ସୁଶାସନର ମୂଳମନ୍ତ୍ର: ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ନିଜର ପ୍ରତିବଦ୍ଧତା ଦୋହରାଇଲା ଟିପିଏନ୍‌ଓଡିଏଲ୍‌

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ନୈତିକତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଧାରିତ କାର୍ଯ୍ୟସଂସ୍କୃତିକୁ ସୁଦୃଢ଼ କରିବା ସହ ଦୁର୍ନୀତିମୁକ୍ତ ପ୍ରଶାସନିକ ବ୍ୟବସ୍ଥା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛି ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌)। ଅକ୍ଟୋବର ୨୬ରୁ ନଭେମ୍ବର ୧ ପର୍ଯ୍ୟନ୍ତ ‘ସମୃଦ୍ଧି ପାଇଁ ସାଧୁତା’ (Probity for Prosperity) ବିଷୟବସ୍ତୁକୁ ନେଇ ପାଳିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ର ଉଦ୍‌ଯାପନୀ ସମାରୋହ ନଭେମ୍ବର ୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଟିପିଏନ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ, ବାଣିଜ୍ୟିକ ଓ ବ୍ୟବସାୟିକ ଉତ୍କର୍ଷ ବିଭାଗ ମୁଖ୍ୟ ଶୁଭଦୀପ ରାୟଚୌଧୁରୀ, ମାନବ ସମ୍ବଳ ଓ ପ୍ରଶାସନ ବିଭାଗ ମୁଖ୍ୟ ରମେନ୍ଦ୍ର ବାନିକ, ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟ ସନ୍ତୋଷ ସାମନ୍ତରା ଓ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ହରିଶ କୁମାର ପଣ୍ଡାଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ। କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ତ୍ୟାଗୀ କହିଥିଲେ ଯେ, ଦୈନନ୍ଦିନ କାର୍ଯ୍ୟ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସଚ୍ଚୋଟତା ଓ ନୈତିକ ଆଚରଣକୁ ପ୍ରାଥମିକତା ଦେବା ଆବଶ୍ୟକ। ନିର୍ଦ୍ଧାରିତ ନୀତିନିୟମର ଅନୁପାଳନ, କାର୍ଯ୍ୟରେ ପାରଦର୍ଶିତା ଓ ବ୍ୟକ୍ତିଗତ ଉତ୍ତରଦାୟିତ୍ୱ ଅନୁଷ୍ଠାନର ବିଶ୍ୱସନୀୟତା ବୃଦ୍ଧି କରିବା ସହ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିଥାଏ ବୋଲି ସେ ମତପ୍ରକାଶ କରିଥିଲେ। ସପ୍ତାହବ୍ୟାପୀ କମ୍ପାନୀ ପକ୍ଷରୁ କର୍ମଚାରୀମାନଙ୍କ ମଧ୍ୟରେ ସତର୍କତା ଓ ସଚେତନତା ବୃଦ୍ଧି ସହ ନୈତିକ କାର୍ଯ୍ୟଶୈଳୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା ଓ ସହଭାଗିତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ଷେତ୍ରରେ ସମ୍ଭାବ୍ୟ ଅନୈତିକ ଆଚରଣ ଓ ଅନିୟମିତତା ଚିହ୍ନଟ କରିବା, କ୍ରୟ ଓ ପ୍ରଶାସନିକ ପ୍ରକ୍ରିୟାରେ ନିୟମାବଳୀର ଅନୁପାଳନ କରିବା ଏବଂ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ଉପଯୁକ୍ତ ମାଧ୍ୟମରେ ଅଭିଯୋଗ ଜଣାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଦୁର୍ନୀତି ନିବାରଣ ଓ ସତର୍କତା କେବଳ ଏକ ବାର୍ଷିକ କାର୍ଯ୍ୟକ୍ରମ ନୁହେଁ; ବରଂ ଏହା ସୁଶାସନ ଓ ଦୀର୍ଘସ୍ଥାୟୀ ଅନୁଷ୍ଠାନିକ ବିକାଶର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୈତିକତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ କାର୍ଯ୍ୟସଂସ୍କୃତିର ଅଭିନ୍ନ ଅଂଶ କରିବା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଉପଭୋକ୍ତାମାନଙ୍କୁ ନିର୍ଭରଯୋଗ୍ୟ, ସୁରକ୍ଷିତ ଓ ଉପଭୋକ୍ତାକୈନ୍ଦ୍ରିକ ବିଦ୍ୟୁତ୍ ସେବା ଯୋଗାଇବା ଦିଗରେ କମ୍ପାନୀ ନିଜର ପ୍ରତିବଦ୍ଧତା ଜାରି ରଖିବ ବୋଲି ପ୍ରକାଶ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.