ସାଇବର ଥାନାରେ ମାମଲା ରୁଜୁ; ଘଟଣା ଚପାଇବାକୁ ୧୦ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ବିଶ୍ୱାସରେ ବିଷ ଦେଇ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଜୀବନବ୍ୟାପୀ ଉପାର୍ଜିତ ଅର୍ଥ ହଡ଼ପ କରିବାର ସାଂଘାତିକ ଅଭିଯୋଗ କୋରାପୁଟ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରର ଅବସରପ୍ରାପ୍ତ କର୍ମଚାରୀ ଧୀରେନ କୁମାର ସେଠୀଙ୍କ ବ୍ୟାଙ୍କ ଖାତାରୁ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗରେ କୋରାପୁଟରେ କାର୍ଯ୍ୟରତ ସାମ୍ବାଦିକ ସୌମ୍ୟ ରଞ୍ଜନ ସାହୁଙ୍କ ନାମ ଆସିଛି। ଏହି ଘଟଣାରେ କୋରାପୁଟ ସାଇବର ଥାନାରେ କେସ୍ ନଂ-୧୧ ରୁଜୁ ହୋଇଥିବାବେଳେ ଡେପୁଟି ଏସ୍ପି ଭବାନୀ ପ୍ରଧାନ ତଦନ୍ତ ଦାୟିତ୍ୱ ନେଇଛନ୍ତି। ଏଫ୍ଆଇଆର୍ରେ ଉଲ୍ଲେଖ ଅନୁଯାୟୀ, ଧୀରେନଙ୍କ ପରିବାର ସହ ସୌମ୍ୟ ରଞ୍ଜନଙ୍କର ଭଲ ସମ୍ପର୍କ ଥିଲା। ଏହି ବିଶ୍ୱାସର ସୁଯୋଗ ନେଇ ଧୀରେନଙ୍କ ଏଟିଏମ୍ କାର୍ଡ ଓ ପିନ୍ ନିଜ ନିୟନ୍ତ୍ରଣରେ ରଖି ତାଙ୍କ ଅଜାଣତରେ ଟଙ୍କା ଉଠାଣ ଓ ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଛି। ଏପରିକି ଦରମା, ସରକାରୀ ପ୍ରାପ୍ୟ ଓ ଅବସରକାଳୀନ ଅର୍ଥ ମଧ୍ୟ ହଡ଼ପ ହୋଇଥିବା ଧୀରେନଙ୍କ ପୁଅ ଧୃତି ରଞ୍ଜନ ସେଠୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଏଟିଏମ୍, ଅନଲାଇନ୍ ବ୍ୟାଙ୍କିଂ ଓ ୟୁପିଆଇ ମାଧ୍ୟମରେ ଟଙ୍କା କାରବାର ହୋଇଥିଲା। ଅଭିଯୁକ୍ତ ନିଜ ଭାଇ ସତ୍ୟ ସାହୁ ଓ ଅନ୍ୟ ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ସ୍ଥାନାନ୍ତର କରିଥିବା ଏଫ୍ଆଇଆର୍ରେ ଦର୍ଶାଯାଇଛି। ସବୁଠାରୁ ଗମ୍ଭୀର ଅଭିଯୋଗ ହେଉଛି, ଘଟଣାକୁ ଚପାଇ ଦେବା ପାଇଁ ଧୀରେନଙ୍କୁ ୧୦ ଲକ୍ଷ ଟଙ୍କା ଯାଚିବା ସହ ଫୋନ୍ ଯୋଗେ ଚାପ ପକାଯାଇଥିଲା। ପରିବାର ପକ୍ଷରୁ ଆର୍ଥିକ କାରବାର ଯାଞ୍ଚ କରାଯିବା ପରେ ଏହି ଠକେଇ ସମ୍ପର୍କରେ ଜଣାପଡ଼ିଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତାର ୩୧୮(୪), ୩୧୯(୨), ୩୩୬, ୩୩୬(୩) ଏବଂ ଆଇଟି ଆକ୍ଟର ୬୬(ସି), ୬୬(ଡି) ଧାରାରେ ମାମଲା ରୁଜୁ ହୋଇଛି। ପୋଲିସ ପକ୍ଷରୁ ବ୍ୟାଙ୍କ କାରବାର, ୟୁପିଆଇ ଓ ଅନଲାଇନ୍ ଟଙ୍କା ସ୍ଥାନାନ୍ତରର ତଥ୍ୟ ଯାଞ୍ଚ କରାଯାଉଛି। ପୋଲିସ ଖୋଜୁଛି ମାତ୍ର ପାଇଁ ପାରୁନି କାରଣ ସାମ୍ବାଦିକ ସାହୁ ଆଗୁଆ ଜାମିନ ପାଇଁ ହାଇକୋର୍ଟ ର ଦ୍ୱାରସ୍ତ ହୋଇଥିବା ସୂଚନା ମିଳୁଛି। ସାମ୍ବାଦିକତା ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଅନ୍ୟାୟ ଓ ଅନୀତି ବିରୋଧରେ ସ୍ୱର ଉଠାଇବା ସହ ଅସହାୟ ଓ ନିର୍ଯାତିତଙ୍କୁ ନ୍ୟାୟ ଦେବାରେ ସାମ୍ବାଦିକଙ୍କ ଗୁରୁଦାୟିତ୍ୱ ରହିଛି। ଏଭଳି ସ୍ଥିତିରେ ଜଣେ ସାମ୍ବାଦିକଙ୍କ ବିରୋଧରେ ଏତେ ବଡ଼ ଆର୍ଥିକ ଠକେଇ ଅଭିଯୋଗ ଆସିବା ସାମ୍ବାଦିକତାର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇଛି। ଯେଉଁମାନେ ସମାଜକୁ ସତ୍ୟ ଓ ନ୍ୟାୟର ବାର୍ତ୍ତା ଦେବା କଥା, ସେମାନଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଲେ ସାଧାରଣ ଲୋକ ସାମ୍ବାଦିକଙ୍କୁ କେତେଦୂର ବିଶ୍ୱାସ କରିବେ, ତାହା ଏବେ ବଡ଼ ପ୍ରଶ୍ନ।ତେବେ ଅଭିଯୋଗ ମାତ୍ରେ କେହି ଦୋଷୀ ସାବ୍ୟସ୍ତ ହୋଇଯାଆନ୍ତି ନାହିଁ। ତେଣୁ ଏହି ଘଟଣାରେ ନିରପେକ୍ଷ ଓ ନିର୍ଦ୍ଦିଷ୍ଟ ତଦନ୍ତ ସହ ଅଭିଯୁକ୍ତଙ୍କ ପକ୍ଷ ଶୁଣିବା ଆବଶ୍ୟକ। ତଦନ୍ତରେ ଅଭିଯୋଗ ପ୍ରମାଣିତ ହେଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହିଁ ପୀଡ଼ିତ ପରିବାରକୁ ନ୍ୟାୟ ଦେବା ସହ ସାମ୍ବାଦିକତାର ମର୍ଯ୍ୟାଦା ରକ୍ଷା କରିପାରିବ।





