ପ୍ରକୃତିର ଅପୂର୍ବ ଉପହାର ହଂସକରା ମୁହାଣ : ପର୍ଯ୍ୟଟନ ବିକାଶକୁ ଅପେକ୍ଷା

ଅବହେଳା, ଜବରଦଖଲ ଓ ପୋତି ହେଉଥିବା ନଦୀ ମୁହାଣ ନେଇ ଉଦ୍‌ବେଗ; ମତ୍ସ୍ୟଜୀବୀଙ୍କ ଜୀବିକା ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ନଦୀ ଓ ସମୁଦ୍ରର ମିଳନ, ବିସ୍ତୀର୍ଣ୍ଣ ବାଲୁକା ସ୍ତୁପ, ଝାଉଁ ଜଙ୍ଗଲ, ନାଲି କଙ୍କଡ଼ା ଏବଂ ମତ୍ସ୍ୟଜୀବୀଙ୍କ ଜୀବନ୍ତ ଜୀବିକା ପରମ୍ପରା। ପ୍ରକୃତିର ଏଭଳି ଅପୂର୍ବ ସମ୍ଭାରକୁ ନେଇ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ୍ ଜମ୍ଭିରାଇ ପଞ୍ଚାୟତରେ ଅବସ୍ଥିତ ହଂସକରା ନଦୀ ମୁହାଣ ଏକ ଆକର୍ଷଣୀୟ ପ୍ରାକୃତିକ ସ୍ଥଳ ଭାବେ ରହିଛି। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ, ସରକାରୀ ଉଦ୍ୟମ ଓ ଯୋଜନାବଦ୍ଧ ବିକାଶର ଅଭାବରୁ ଏହି ପ୍ରାକୃତିକ ସମ୍ପଦ ଏବେ ଅବହେଳିତ ହୋଇ ପଡ଼ିଛି।

ହଂସକରା ନଦୀ ଏଠାରେ ବଙ୍ଗୋପସାଗରରେ ମିଶିଛି। ଅତୀତରେ ଏହି ମୁହାଣରେ ଶହ ଶହ ମାଛଧରା ଡଙ୍ଗାର ସମାଗମ ହେଉଥିଲା। ଜମ୍ଭିରାଇ, ପଞ୍ଚୁପାଲି, ନୂଆଗାଁ ଆଦି ପଞ୍ଚାୟତର ଶତାଧିକ ମତ୍ସ୍ୟଜୀବୀ ପରିବାର ଏହି ମୁହାଣ ଉପରେ ନିର୍ଭର କରି ସମୁଦ୍ରରୁ ମାଛ ଧରି ଜୀବିକା ନିର୍ବାହ କରୁଥିଲେ। ଆଜି ମଧ୍ୟ ଅନେକ ମତ୍ସ୍ୟଜୀବୀ ଏହି ମୁହାଣ ଦେଇ ସମୁଦ୍ରକୁ ଯାଉଛନ୍ତି। ତେଣୁ ଏହାର ସୁରକ୍ଷା ସହିତ ଶତାଧିକ ପରିବାରର ଜୀବିକା ଜଡ଼ିତ ରହିଛି।

**ପୋତି ହେଉଛି ମୁହାଣ, ଡଙ୍ଗା ଚଳାଚଳରେ ସମସ୍ୟା**

ଦୀର୍ଘବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ନଦୀ ମୁହାଣରେ ବାଲି ଜମା ହୋଇ ଏହା କ୍ରମଶଃ ପୋତି ହେବାରେ ଲାଗିଛି। ଫଳରେ ଜଳର ଗଭୀରତା ଓ ସ୍ୱାଭାବିକ ପ୍ରବାହ ପ୍ରଭାବିତ ହେବା ସହ ମତ୍ସ୍ୟଜୀବୀଙ୍କ ଡଙ୍ଗା ଚଳାଚଳରେ ଅସୁବିଧା ସୃଷ୍ଟି ହେଉଛି। ବୈଜ୍ଞାନିକ ଅନୁଧ୍ୟାନ ଓ ପରିବେଶଗତ ମୂଲ୍ୟାଙ୍କନ ପରେ ଆବଶ୍ୟକ ଡ୍ରେଜିଂ ଏବଂ ମୁହାଣର ସ୍ୱାଭାବିକ ଜଳପ୍ରବାହ ରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି।

**ଲୋପ ପାଇଛି ଝାଉଁ ଜଙ୍ଗଲ, ବିପନ୍ନ ବାଲୁକା ସ୍ତୁପ**

ହଂସକରା ନଦୀର ଉତ୍ତର ପାର୍ଶ୍ୱରେ ରହିଛି ଏକ ବିଶାଳ ବାଲୁକା ସ୍ତୁପ। ଦିନେ ଏହା ଉପରେ ହଜାର ହଜାର ଝାଉଁ ଗଛ ରହିଥିଲା। ଏହି ଜଙ୍ଗଲ ବାଲୁକା ସ୍ତୁପର ସୁରକ୍ଷା ସହ ସମୁଦ୍ରର ଜୁଆର ଓ ପବନର ପ୍ରଭାବରୁ ଜମ୍ଭିରାଇ ଗ୍ରାମ ଏବଂ ଚାଷଜମିକୁ ସୁରକ୍ଷା ଦେଉଥିଲା। ତେବେ ବହୁବର୍ଷ ପୂର୍ବେ ଜଙ୍ଗଲ ବିଭାଗ ପକ୍ଷରୁ ଏହି ଗଛଗୁଡ଼ିକୁ ନିଲାମ କରାଯିବା ପରେ ହଜାର ହଜାର ଗଛ କଟାଯାଇଥିଲା। ପରବର୍ତ୍ତୀ ସମୟରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ। ତେଣୁ ଏହି ଅଞ୍ଚଳରେ ଝାଉଁ ଜଙ୍ଗଲର ପୁନରୁଦ୍ଧାର ଓ ବୃକ୍ଷରୋପଣ ଉପରେ ପରିବେଶପ୍ରେମୀମାନେ ଗୁରୁତ୍ୱ ଦେଉଛନ୍ତି।

**ଇଚ୍ଛାପୁର ବେଳାଭୂମିରେ ପର୍ଯ୍ୟଟନର ସମ୍ଭାବନା**

ନଦୀର ଦକ୍ଷିଣ ପାର୍ଶ୍ୱରେ ବିସ୍ତୀର୍ଣ୍ଣ ଚାରଣଭୂମି ଓ ଝାଉଁ ଜଙ୍ଗଲ ରହିଛି। ଏହା ନିକଟରେ ଗଢ଼ି ଉଠିଛି ଇଚ୍ଛାପୁର ଜନବସତି। ଏହାକୁ ଲାଗି ରହିଥିବା ସମୁଦ୍ର ବେଳାଭୂମିର ବିସ୍ତୀର୍ଣ୍ଣ ବାଲୁକା ରାଶି, ଝାଉଁ ଜଙ୍ଗଲ ଓ ନାଲି କଙ୍କଡ଼ାଙ୍କ ବିଚରଣ ଏହି ସ୍ଥାନର ପ୍ରାକୃତିକ ଆକର୍ଷଣକୁ ବଢ଼ାଇଛି। ଏଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ ପର୍ଯ୍ୟଟକ ଓ ଫଟୋଗ୍ରାଫରଙ୍କୁ ଆକୃଷ୍ଟ କରିବାର ସମ୍ଭାବନା ରଖିଛି।

ନଦୀକୂଳରେ ପାର୍କ, ବୋଟିଂ, ଶିଶୁ ଉଦ୍ୟାନ, ପର୍ଯ୍ୟଟକଙ୍କ ବିଶ୍ରାମସ୍ଥଳୀ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା କରାଗଲେ ଏହି ସ୍ଥାନ ଏକ ଆକର୍ଷଣୀୟ ପ୍ରକୃତି ପର୍ଯ୍ୟଟନ କେନ୍ଦ୍ର ହୋଇପାରିବ। ଏଥିସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ମତ୍ସ୍ୟ ହାଟ, ସାମୁଦ୍ରିକ ଖାଦ୍ୟ କେନ୍ଦ୍ର ଓ ସ୍ଥାନୀୟ ଉତ୍ପାଦ ବିକ୍ରୟ ବ୍ୟବସ୍ଥା ହେଲେ ରୋଜଗାରର ନୂଆ ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ।

**ଜବରଦଖଲ ଅଭିଯୋଗ, ପ୍ରଶାସନର ହସ୍ତକ୍ଷେପ ଦାବି**

ଏହି ଅଞ୍ଚଳର କେତେକ ସ୍ଥାନକୁ ବେଆଇନ ଭାବେ ଜବରଦଖଲ କରାଯାଇଥିବା ଅଭିଯୋଗ ମଧ୍ୟ ରହିଛି। ସରକାରୀ ଓ ଜଙ୍ଗଲ ଜମିର ସ୍ଥିତି ଚିହ୍ନଟ କରି ଆବଶ୍ୟକ ଆଇନଗତ ପଦକ୍ଷେପ ନେବା ସହ ନଦୀ ମୁହାଣ, ବାଲୁକା ସ୍ତୁପ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ସମନ୍ୱିତ ଯୋଜନାର ଆବଶ୍ୟକତା ରହିଛି।

ହଂସକରା ମୁହାଣର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସମେତ ଜଙ୍ଗଲ, ମତ୍ସ୍ୟ, ଜଳସମ୍ପଦ ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମ ଜରୁରୀ। ପ୍ରଥମେ ଅଞ୍ଚଳର ସର୍ଭେ କରାଯାଇ ନଦୀ ମୁହାଣ, ଜଙ୍ଗଲ, ବାଲୁକା ସ୍ତୁପ ଓ ଜମିର ସ୍ଥିତି ଅନୁଧ୍ୟାନ କରିବାକୁ ମତ ପ୍ରକାଶ ପାଇଛି।

ପ୍ରକୃତିର ଅପୂର୍ବ ଦାନ ହଂସକରା ମୁହାଣର ସୁରକ୍ଷା କେବଳ ପର୍ଯ୍ୟଟନ ବିକାଶର ପ୍ରଶ୍ନ ନୁହେଁ, ଏହା ମତ୍ସ୍ୟଜୀବୀଙ୍କ ଜୀବିକା ଓ ଉପକୂଳ ପରିବେଶର ସୁରକ୍ଷା ସହ ମଧ୍ୟ ଜଡ଼ିତ। ଉପଯୁକ୍ତ ଯୋଜନା ଓ ପ୍ରଶାସନିକ ଆନ୍ତରିକତା ରହିଲେ ହଂସକରା ଆଗାମୀ ଦିନରେ ବାଲେଶ୍ୱର ଜିଲ୍ଲାର ଏକ ପରିଚିତ ପ୍ରକୃତି ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ ହୋଇପାରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.