ଲାଞ୍ଜିଗଡ୧୪/୧୨ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଆମ୍ବଗୁଡା ଗାଁର ସାଏବ ମାଝୀର ମୃତ୍ୟୁର ୨ ବର୍ଷ ପରେ ତାଙ୍କ ବିଧବା ସ୍ତ୍ରୀ ଲଛମୀ ମାଝୀଙ୍କୁ ଶୁକ୍ରବାର ଲାଞ୍ଜିଗଡ଼ ବ୍ଲକ ପ୍ରସାଶନ ପକ୍ଷରୁ ବିଧବା ଭତ୍ତା ପ୍ରଦାନ କରାଯାଇଛି। ପ୍ରକାଶ ଯେ, ଆମ୍ବଗୁଡା ଗ୍ରାମର ସାଏବ ମାଝୀଙ୍କ ସ୍ତ୍ରୀ ଲଛମୀ ମାଝୀ ୩୧ ବର୍ଷ ବୟସରେ ସ୍ବାମୀଙ୍କୁ ହରାଇବା ପରେ ଲଛମୀ ଭାଙ୍ଗି ପଡିଥିଲେ । ଅନ୍ୟପକ୍ଷେ ତିନୋଟି ଛୋଟ ଛୋଟ ପିଲାଙ୍କ ବୋଝ ତାଙ୍କୁ ଅଣନିଶ୍ଵାସୀ କରି ପକାଉଥିଲା। ସେମାନଙ୍କୁ ଗଣ୍ଡେ ପେଟପୁରା ଖାଦ୍ୟ ତିନି ଓଳି ଦେବାକୁ ତାଙ୍କର ସକ୍ଷମ ନଥିଲା। ସ୍ୱାମୀର ଚିକିତ୍ସାରେ ଘରର ସମସ୍ତ ସମ୍ବଳ ସରି ଯାଇଥିଲା। ବିପଦରେ ତାଙ୍କର ସାହା ହେବା ପାଇଁ କେଇନଥିଲେ। ଝାଟିମାଟି ଘରେ ୩ପିଲାଙ୍କୁ ଧରି ଅସହାୟ ଭାବେ ରହୁଥିଲେ ଲଛମୀ। ପର ଘରେ କାମ କରି ଯାହା ମିଳେ ସେଥିରେ ପରିବାର ଚଳାଇବା ସମ୍ଭବ ହୋଇ ପାରୁନଥିଲା। ବଡ ଝିଅ ରିନା (୬), ମଝିଆ ଝିଅ ପଦ୍ମା( ୪) ଏବଂ ସାନପୁଅ ପ୍ରକାଶକୁ ୩ ବର୍ଷ । ଏପରି ଦୟନୀୟ ଅବସ୍ଥାରେ ଏହି ପରିବାର ଚଳୁଥିବା ବେଳେ ଲଛମୀଙ୍କୁ ବିଧବା ଭତ୍ତା ମିଳିନ ଥିବା ସତ୍ୱେ ଆବାସ ଯୋଜନାରେ ମଧ୍ୟ ସାମିଲ କରାଯାଇ ନଥିଲା। ଏ ସମ୍ପର୍କରେ ଲଛମୀ ବାରମ୍ବାର ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏହି ଖବର ଗତ ୧୦ ତାରିଖ ଦିନ ଓଡିଆବାର୍ତ୍ତା ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ପରିଶେଷରେ ଲଛମୀ ଆଜି ବିଧବା ଭତ୍ତା ପାଇପାରିଛନ୍ତି। ଶୁକ୍ରବାର ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ ଓ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଲଛମୀଙ୍କୁ ୫୦୦ ଟଙ୍କା ଭତ୍ତା ପ୍ରଦାନ କରିବା ସହ ଅତିଶୀଘ୍ର ଆବାସ ଯୋଜନାରେ ସାମିଲ କରାଯିବ ବୋଲି ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in
_________________________________________