ଯେତକିି କୋହଳ ହେଉଛି ନିୟମ ସେତିକି ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ସୁବର୍ଣ୍ଣପୁର : ବାହାର ରାଜ୍ୟରୁ ପ୍ରବାସୀମାନେ ଘରକୁ ଫେରୁଥିବାବେଳେ ସେମାନଙ୍କ ପାଇଁ ପୂର୍ବରୁ ଯେଉଁସବୁ ନିୟମ କରାଯାଇଥିଲା ଏବେ ସେଥିରେ କୋହଳ କରିଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ଜିଲ୍ଲା ବାସି ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ପଞ୍ଜିକୃତ କରାଯାଇ ଜିଲାରେ ଥିବା କ୍ୱାରେଣ୍ଟାଇନ୍‍ ସେଣ୍ଟରଗୁଡ଼ିକରେ ରଖାଯାଉଛି । କ୍ୱାରେଣ୍ଟାଇନ୍‍ ସେଣ୍ଟରରେ ସେମାନଙ୍କ ରହିବା, ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ପୂର୍ବରୁ ସରକାର ଟିଏମସି ଗୁଡ଼ିକରେ ପ୍ରବାସୀଙ୍କୁ ୧୪ଦିନ ପାଇଁ ରଖୁଥିଲେ । ପରେ ସେମାନଙ୍କୁ ଘରେ ଆଉ ୭ଦିନ ହୋମ୍‍ କ୍ୱାରେଣ୍ଟାଇନ୍‍ରେ ରହିବାକୁ କୁହାଯାଉଥିଲା । ଏବେ କିନ୍ତୁ ଏହି ନିୟମକୁ କୋହଳ କରାଯାଇ ମାତ୍ର ୭ଦିନ ପାଇଁ କ୍ୱାରେଣ୍ଟାଇନ୍‍ ସେଣ୍ଟରରେ ରଖାଯିବାପରେ ୭ଦିନ ପାଇଁ ହୋମ କ୍ବାରେଣ୍ଟାଇନ୍ ରେ ରହିବା ପାଇଁ ଛାଡ଼ିଦିଆଯାଉଛି । କେତେକ କ୍ଷେତ୍ରରେ କେତେକଙ୍କର ଲକ୍ଷଣ ଦେଖାଦେଉନଥିବାରୁ ସେମାନଙ୍କର ସ୍ୱାବ୍‍ ଟେଷ୍ଟ କରାନଯାଇ ଘରକୁ ଛାଡ଼ିଦେଉଥିବା କେତେକ ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।

ଗ୍ରାମର ଲୋକମାନେ କ୍ୱାରେଣ୍ଟାଇନ୍‍ ସେଣ୍ଟରରୁ ଫେରୁଥିବା ପ୍ରବାସୀଙ୍କୁ ସହଜରେ ଗ୍ରାମରେ ପୂରାଇ ଦେଉନାହାଁନ୍ତି । ସେମାନଙ୍କର ସ୍ୱାବ୍‍ ଟେଷ୍ଟର ରିପୋର୍ଟ ନଥିବାରୁ ସେମାନେ ନେଗେଟିଭ୍‍ କି ପଜିଟିଭ୍‍ ତାହା ଜାଣିବା ସମ୍ଭବ ହେଉନାହିଁ । ଯଦିବା ସେମାନଙ୍କ ଶରୀରରେ ଲକ୍ଷଣ ନଥାଇ କରୋନା ଭୂତାଣୁ ରହିଥିବ, ତେବେ ଗ୍ରାମର ଅନ୍ୟମାନଙ୍କୁ ଏହା ସଂକ୍ରମିତ କରିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକ ମାନଙ୍କ ଘରେ ହୋମ୍ କ୍ବାରେଣ୍ଟାଇନରେ ରହିବା ସୁବିଧା ନାହିଁ ।

ସେହିପରି ଜିଲ୍ଲାରେ ଲକ୍‍ଡ଼ାଉନ୍‍କୁ ମଧ୍ୟ କୋହଳ କରାଯାଇଛି । ଦୋକାନ ବଜାର ପ୍ରାୟତଃ ଖୋଲାଯାଉଛି । ଜନଗହଳି ମଧ୍ୟ ଲାଗିରହୁଛି । କିନ୍ତୁ ଏହାକୁ ରୋକିବାପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ପ୍ରଥମେ ଯେତେବେଳେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କମ୍‍ ଥିଲା, ସେତେବେଳେ ନିୟମ କଡ଼ାକଡ଼ି ପାଳନ କରାଯାଉଥିଲା । କିନ୍ତୁ ଅଧିକ ପ୍ରବାସୀ ଜିଲାକୁ ଫେରିବା ଓ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ିବାପରେ ଏଭଳି କୋହଳ ମନୋଭାବ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.