କଳାହାଣ୍ଡି,୨୩/୮: ଭାରତୀୟ କୃଷି ଭିତ୍ତିକ ସମାଜ ବ୍ୟବସ୍ଥାର ଏକ ଅନନ୍ୟ ପର୍ବ ନୂଆଖାଇ ଭାଦ୍ର ଶୁକ୍ଳ ପଞ୍ଚମୀ ତିଥିରେ କଳାହାଣ୍ଡିର ପୁରପଲ୍ଲୀରେ ପାରଂପାରିକ ରିତି ନିତି ଅନୁକ୍ରମେ ସମାପନ ହେଇଯାଇଛି । ବିଧିମତେ ନିଜ ନିଜର ଇଷ୍ଟ ଦେବୀଙ୍କୁ ପ୍ରଥମ ଅନ୍ନ ସମର୍ପଣ ପୂର୍ବକ ନୂଆଧାନ ଖାଇବାର ପରମ୍ପରାକୁ ସମ୍ମାନ ଦେବାକୁ ଯାଇ, କରୋନା ସ୍ଥିତିରେ ବି ଜିଲ୍ଲାର ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ସ୍ଥାନରେ ଘରେ ଘରେ ପାଳିତ ହେଇଯାଇଛି । ତେବେ କରୋନା ନିମନ୍ତେ କୋଉଠି ବି କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ନୂଆଖାଇ ଭେଟଘାଟର ଆୟୋଜନ ହେଇନଥିବା ଦେଖାଯାଇଛି ।
ଏହି ପର୍ବ ଅବସରରେ ଜିଲ୍ଲାର ମ.ରାମପୁର, ନର୍ଲା, କର୍ଲାମୁଣ୍ଡା, କେସିଙ୍ଗା, ଲାଞ୍ଜିଗଡ଼, ଥୁଆମୁଲ ରାମପୁର, ଜୟପାଟଣା, କଲମପୁର, ଧର୍ମଗଡ଼ ବ୍ଲକର ଗ୍ରାମାଞ୍ଚଳରେ ନୂଆଖାଇ ପାଳିତ ହୋଇଛି। ଏହା ପୂର୍ବରୁ କେସିଙ୍ଗା ବ୍ଲକର ପଥର୍ଲା, କିକିଆ, ଚିଚର୍ଲା ଆଦି ଗ୍ରାମମାନଙ୍କରେ ନୂଆଖାଇ ପାଳିତ ହୋଇଥିଲା । ଆଗକୁ ଦଶମୀ ତିଥିରେ ଜିଲ୍ଲାର ଭବାନୀପାଟଣା ସହର ସମେତ ଲାଞ୍ଜିଗଡ଼, ଜୟପାଟଣା, ଥୁଆମୁଲ ରାମପୁର, ମଦନପୁର ରାମପୁର ଆଦି ଗଡଜାତ ଅଞ୍ଚଳରେ ଦଶମୀ ତିଥିରେ ନବାନ୍ନ ଭକ୍ଷଣ କରାଯିବ।
ତେବେ ଜିଲ୍ଲାର ଗ୍ରାମାଞ୍ଚଳର ଚାଷଜମିରେ ପୂଜାର୍ଚ୍ଚନା ସହ ଘରେ ଘରେ ନିଜ ଇଷ୍ଟଙ୍କ ପାଖରେ ପୂଜାର୍ଚ୍ଚନା ପରେ ପରେ ପରିବାରର ସଦସ୍ୟମାନେ ଏକତ୍ରୀତ ହେଇ ନୂଆବସ୍ତ୍ର ପରିଧାନ ସହିତ ନବାନ୍ନ ଭକ୍ଷଣ କରିଥିଲେ । ନବାନ୍ନ ପରେ ଛୋଟମାନେ ବଡ଼ମାନଙ୍କୁ ପ୍ରଣାମ କରି ଆଶିର୍ବାଦ ଭିକ୍ଷା କରିଥିବାବେଳେ ଗୁରୁଜନମାନେ ସମସ୍ତଙ୍କୁ ସ୍ନେହ ଦେଇଥିଲେ । ଏହି ପର୍ବ ଅବସରରେ ‘ଜୀଇଁ ଜାଗିଥିଲେ ବଛରେ….’ ବୋଲି କେହି କେହି କୁହାକୁହି ହେଉଥିବା ଦେଖିବାକୁ ମିଳିଥିଲା ।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in