କରୋନା ସମୟରେ ଶିଳ୍ପୀଙ୍କୁ ସହାୟତା ପାଇଁ ଶୁଭାରମ୍ଭ ହେଲା ନିଜ ଘରେ ନିଜ ଚିତ୍ର ଆଙ୍କିବା ଅଭିଯାନ

● ଚାନ୍ଦିପୁର ଆଇଟିଆର୍ ନିର୍ଦ୍ଦେଶକ ବିନୟ କୁମାର ଦାସ ଏ ଅଭିଯାନକୁ କଲେ ଉଦଘାଟନ

● ପ୍ରଥମ ପୋର୍ଟ୍ରେଟ୍ ଆଙ୍କିଲେ ବରିଷ୍ଠ ଚିତ୍ରଶିଳ୍ପୀ କେଶୁଦାସ

ବାଲେଶ୍ଵର, ୨୩/୮: (କୃଷ୍ଣ କୁମାର ମହାନ୍ତି) ମହାମାରୀ କରୋନା ସମସ୍ତଙ୍କ ଆର୍ଥିକ ମାନଦଣ୍ଡକୁ ପ୍ରଭାବିତ କରିଥିବା ବେଳେ ସଂପ୍ରତି ବାଲେଶ୍ଵରରେ ସମ୍ମାନର ସହ ସହୟତା ପାଇଁ ‘ଆପଣା ଘରେ ଆପଣା ଚିତ୍ର ଅଙ୍କା ଅଭାଯାନ’ ନାମରେ ଏକ ପ୍ରୟାସର ଶୁଭାରମ୍ଭ ହୋଇଛି। ଆଜି ଏହାକୁ ଉଦଘାଟନ କରିଛନ୍ତି ଆଇଟିଆର୍ ନିର୍ଦ୍ଦେଶକ ବିନୟ କୁମାର ଦାସ। ତାଙ୍କ ବାସଭବନରେ ତାଙ୍କ ସାମ୍ନାରେ ତାଙ୍କର ତତ୍କାଳ ପୋର୍ଟ୍ରେଟ୍ ଚିତ୍ର ଆଙ୍କି ଏ ପ୍ରୟାସରେ ବରିଷ୍ଠ ଚିତ୍ରଶିଳ୍ପୀ କେଶୁଦାସ୍ ମାରିଛନ୍ତି ମୋହର। ସମ୍ମାନର ସହ ବଞ୍ଚିବା ପାଇଁ ଏପରି ଅଭିଯାନ ବାଲେଶ୍ଵର ଚିତ୍ରଶିଳ୍ପୀମାନଙ୍କୁ ଦେଖାଇବ ଦିଶା।

ଦୀର୍ଘ ନଅ ମାସ ଧରି ସାରା ବିଶ୍ବକୁ କବଳିତ କରିଥିବା କରୋନା ଭୁତାଣୁ ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଛି । ବାଲେଶ୍ବରରେ ଦିନକୁ ଦିନ କୋରନାର ପ୍ରଭାବ ପ୍ରକୋପ ହେଉଥିବା ବେଳେ ଲକଡାଉନ, ସଟଡାଉନ ଇତ୍ୟାଦି ଜୀବନଜୀବିକାରେ ପ୍ରତିବନ୍ଧକ ହୋଇ ବିଶେଷ କରି କଳାକାର ମାନଙ୍କର ଜୀବିକାକୁ ମାରିସାରିଛି। ଚିତ୍ରଶିଳ୍ପୀ ମାନଙ୍କର ଆର୍ଥିକ ଉତଥାନ ପାଇଁ ବାଲେଶ୍ବରର କଳା ସଂସ୍କୃତି ଅନୁଷ୍ଠାନ ‘ବାଲେଶ୍ବରୀ କଳା କେନ୍ଦ୍ର’ ପକ୍ଷରୁ ଚିତ୍ରକରଙ୍କୁ ସମ୍ମାନର ସହ ସହାୟତା ପାଇଁ ଏପରି ଏକ ଅଭିନବ ଅଭିଯାନ ଆରମ୍ଭ କରା ଯାଇଛି।

ଏହି ଅଭିଯାନରେ କଳାପ୍ରେମୀ ଯକୌଣସି ଆଗ୍ରହୀ ବ୍ୟକ୍ତି ତାଙ୍କ ଘରକୁ ଜଣେ ଚିତ୍ରକରଙ୍କୁ ଡାକି ନିଜର ଇନଷ୍ଟାଣ୍ଟ୍ ପୋର୍ଟ୍ରେଟ୍ ବା ତତ୍କାଳ ପ୍ରତିଛବି ମାତ୍ର ଏକ ଘଣ୍ଟା ଭିତରେ ଅଙ୍କେଇ ନେଇ ପାରିବେ। ଏଥିପାଇଁ କାନଭାସ ଉପରେ ୨୦ × ୧୬ ଇଞ୍ଚ୍ ଆକାରର ପ୍ରତିଛବି ଆକ୍ରିଲିକ୍ ରଙ୍ଗ ବ୍ୟବହାର କରି ଆଙ୍କିବେ ସଂପୃକ୍ତ ଚିତ୍ରକର।

କରୋନା ଜନିତ ସମସ୍ତ ସରକାରୀ ନିୟମ ପାଳନ ପୂର୍ବକ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ଚିତ୍ରଶିଳ୍ପୀଙ୍କୁ ଉପକରଣ ସହ ପାରିଶ୍ରମିକ ଅନ୍ୟୁନ ଦୁଇ ହଜାର ଟଙ୍କା ପ୍ରାପ୍ୟ ଦେବାକୁ ପଡ଼ିବ ବୋଲି ଏହି ଅଭିଯାନର ଆବାହକ ଶିଳ୍ପୀ କେଶୁଦାସ ରଙ୍ଗ ଜଣାଇଛନ୍ତି।

ଆଜି ସକାଳ ୧୦ଟାରେ ତୂଳୀ ଓ କାନଭାସ ସହ ଡକ୍ଟର ବିନୟ ଦାସଙ୍କ ବାସଭବନରେ ପହଞ୍ଚିଥିଲେ ସୁଖ୍ୟାତ ଚିତ୍ରକର କେଶୁଦାସ୍। ଡକ୍ଟର ତାକ ଘର ସାମ୍ନା ଲନ୍ ରେ ବସିଲେ ନିରବରେ। ତାଙ୍କ ସାମ୍ନାରେ କେଶୁ। ଏକ ଘଣ୍ଟାର କଳାତ୍ମକ ନିରୀକ୍ଷଣ ପରେ କାନଭାସରେ ଭାସି ଉଠିଲା ବୈଜ୍ଞାନିକ ବିନୟ ଦାସଙ୍କ ଅବିକଳ ପ୍ରତିଛବି। ଶୁଭ ନୂଆଖାଇ ଅବସରରେ ଶୁଭାରମ୍ଭ ହେଲା ଆଉ ଏକ ନୂଆ ଅଭିଯାନ।

ଆସନ୍ତାକାଲି ଠାରୁ ଏହି ଅଭିଯାନରେ ବାଲେଶ୍ବର ଆର୍ଟ କଲେଜର ୧୦ ଜଣରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ସମେତ ବାଲେଶ୍ବରର ଅନ୍ୟ ପାଞ୍ଚ ଜଣ ଚିତ୍ରଶିଳ୍ପୀ ଯୋଗ ଦେଉଥିବା ବେଳେ ଜଳେଶ୍ବରର ମୁକ୍ତିକାନ୍ତ ନନ୍ଦୀ ଓ ସଞ୍ଜୟ ରାଉଳ, ବାରିପଦାରୁ କଲ୍ୟାଣ ବାରିକ ପ୍ରମୁଖ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ଏ ଅଭିଯାନକୁ ବ୍ୟାପକ କରାଇବେ ବୋଲି କେଶୁଦାସ୍ ସୂଚନା ଦେଇଛନ୍ତି। ଫଳରେ ଚିତ୍ରଶିଳ୍ପୀଙ୍କ ଆର୍ଥିକ ସ୍ଥିତି ଏ ସଂକଟ ସମୟରେ ସହାୟକ ହୋଇପାରିବ ବୋଲି ଏକ ଆଶାର କିରଣ ଦେଖା ଦେଇଛି।

ଏହି ଅଭିଯାନକୁ ସ୍ବାଗତ କରି ଡକ୍ଟର ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ, ଡକ୍ଟର ମନୋରଞ୍ଜନ ଦାସ, ଡକ୍ଟର ବିଷ୍ଣୁ ପ୍ରସାଦ ଦାଶ, ସୁସ୍ମିତା ପଣ୍ଡା, ଭଗବାନ ଦାସ ଖଣ୍ଡେଲଓ୍ବାଲ, ବିକ୍ରମ ପଣ୍ଡା ପ୍ରମୁଖ ବାଲେଶ୍ଵରର ବହୁ ବିଶିଷ୍ଟ ବ୍ୟକ୍ତି ନିଜ ନିଜର ପୋର୍ଟ୍ରେଟ୍ କରେଇନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ନିଜ ଘରେ ନିଜର ଆକର୍ଷଣୀୟ ରଙ୍ଗୀନ ପୋର୍ଟ୍ରେଟ ଅଳ୍ପ ସମୟ ମଧ୍ୟରେ ଉଚିତ ମୂଲ୍ୟରେ ମିଳିଯିବା ସହ ଚିତ୍ରଶିଳ୍ପୀ ମାନଙ୍କୁ ମହାମାରୀ ସମୟରେ ଆର୍ଥିକ ସହଯୋଗ ହୋଇପାରୁଥିବାରୁ ଏପରି ଅଭିଯାନ ସଫଳ ହୋଇପାରିବ ବୋଲି ସହରରେ ଆଲୋଚନା ହେଉଛି। ଏ ଦିଗରେ କଳାପ୍ରେମୀ ବ୍ୟକ୍ତିବିଶେଷ ଆଗେଇ ଆସିବେ ବୋଲି ଚିତ୍ରଶିଳ୍ପୀମାନେ ଆଶା ପୋଷଣ କରିଛନ୍ତି ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.