ସାବିତ୍ରୀ ପାଠାଗାରରେ ‘କାଳିଝିଅ ଓ ସେଇ ଶାବନା ରଙ୍ଗର ଝିଅ’ ସମେତ ଅନେକ ପୁସ୍ତକ ଉନ୍ମୋଚିତ

ରାୟଗଡ଼, (ଶିବ ନାରାୟଣ ଗୈାଡ): ରାୟଗଡର ବହୁ ପରିଚିତ ସାବିତ୍ରୀ ପାଠାଗାର ପରିସରରେ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାହିତ୍ୟିକ ତଥା ଓଡିଶା ସାହିତ୍ଯ ଏକାଡେମୀ ସଦସ୍ଯ ଡମ୍ବରୁଧର ପଟ୍ଟନାୟକ ପୁସ୍ତକଗୁଡ଼ିକର ଉନ୍ମୋଚନ କରିଥିଲେ । ପଶ୍ଚିମା ପ୍ରକାଶନ ଦ୍ବାରା ପ୍ରକାଶିତ ଶ୍ରୀଧର ପଟ୍ଟନାୟକଙ୍କ ପ୍ରଥମ କବିତା ସଂକଳନ କେବଳ ଗୋଟେ ଚାହାକପ୍, ପଞ୍ଚବଟୀ ପ୍ରକାଶନ ଦ୍ବାରା ପ୍ରକାଶିତ ପାଞ୍ଚ ଜଣ ଗାଳ୍ପିକଙ୍କ ଗଳ୍ପ ସଙ୍କଳନ ପଞ୍ଚାତ୍ମିକା ଓ ପ୍ରଶାସକ ତଥା କବି ଗୋଲକ ଦଳେଇଙ୍କ ଷଷ୍ଠ ଓ ସପ୍ତମ କବିତା ସଙ୍କଳନ କାଳିଝିଅ ଓ ସେଇ ଶାବନା ରଙ୍ଗର ଝିଅ ଏଇ ଅବସରରେ ଉନ୍ମୋଚିତ ହୋଇଥିଲା ।

କେବଳ ଗୋଟେ ଚାହାକପର ପାଠକୀୟ ସମୀକ୍ଷା କରିଥିଲେ କବି ବିମଳଚାନ୍ଦ ପଟ୍ଟନାୟକ ଓ କବି ରୂପେଶ ସାହୁ । ବିଶିଷ୍ଟ କବି ଓ ଅନୁବାଦକ ଆଶୁତୋଷ ପାତ୍ର ପଞ୍ଚାତ୍ମିକା ପୁସ୍ତକର ଚୁମ୍ବକୀୟ ଆଲୋଚନା କରିଥିବା ବେଳେ କବି ଗୋଲକ ଦଳେଇଙ୍କ କବିତା ପୁସ୍ତକ ଦୁଇଟିକୁ କବିଙ୍କ ସହଧର୍ମିଣୀ ଓ ସାବିତ୍ରୀ ପାଠାଗାରର ପ୍ରତିଷ୍ଠାତା କବି ଡମ୍ବରୁଧର ପଟ୍ଟନାୟକଙ୍କ ସହଧର୍ମିଣୀ ଉନ୍ମୋଚନ କରିଥିଲେ ।

ରାୟଗଡ ମାଟିର ଆଉ ଏକ ପରିଚୟ ସାବିତ୍ରୀ ପାଠାଗାରରେ ପ୍ରଥମ କରି ପୁସ୍ତକ ଉନ୍ମୋଚିତ ହେବା ଉପସ୍ଥିତ ସଭିଁଙ୍କୁ ପୁଲକିତ କରିଥିଲା । ଅନ୍ୟମାନଙ୍କ ମଧ୍ଯରେ ଅଖିଳ ଭାରତ ସାହିତ୍ଯ ପରିଷଦର ରାୟଗଡ ଜିଲ୍ଲା ଶାଖା ମୁଖ୍ଯ ନୀଳାମ୍ବର ମିଶ୍ର ଓ ପୁସ୍ତକପ୍ରେମରେ ସଦା ଉବୁଟୁବୁ ରସିକ ପାଠକ ହୃଷୀକେଶ ରଥ ଉପସ୍ଥିତ ରଖି କବିମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ କବି ବିମଳଚାନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ କବି ତଥା ସୁପ୍ରା ଏଣ୍ଟରଟେନମେଣ୍ଟ ମୁଖ୍ଯ ରୂପେଶ ସାହୁ ବୈଷୟିକ ସହାୟତାର ହାତ ବଢାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.