ଦିବଂଗତ ସାରସ୍ୱତ ସ୍ରଷ୍ଟା ରମେଶ ଜେନାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ସାହିତ୍ୟ ଜଗତର ଅନନ୍ୟ ସାରସ୍ୱତ ସ୍ରଷ୍ଟା, ସମାଜସେବୀ ତଥା ଉପସଭାପତି ସ୍ବର୍ଗତ ରମେଶ କୁମାର ଜେନାଙ୍କ ସ୍ମୃତିରେ ଗୁରୁବାର ଦିନ ‘ଚେତାବନୀ ସାହିତ୍ୟ ସଂସଦ’ କେସିଙ୍ଗା ପକ୍ଷରୁ ସ୍ଥାନୀୟ ରୁଷି ସାହା ସଂସ୍କୃତି ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ବହୁ ସାହିତ୍ୟିକ, ଶିକ୍ଷକ, ବୁଦ୍ଧିଜୀବୀ ଏବଂଅନୁଷ୍ଠାନର କର୍ମକର୍ତ୍ତା ତଥା ସଭ୍ୟ /ସଭ୍ୟା ଯୋଗଦେଇ ସ୍ବର୍ଗତ ଜେନାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ସଭାରେ ବକ୍ତାମାନେ କହିଲେ ଯେ ରମେଶ ଜେନା କେବଳ ଜଣେ ଲେଖକ ନଥିଲେ, ସେ ଥିଲେ କଳାହାଣ୍ଡିର ସାରସ୍ୱତ ଚେତନାର ଜଣେ ଜାଗ୍ରତ ପୁରୋଧା। ତାଙ୍କ ଲେଖନୀ ଦ୍ୱାରା ସେ କଳାହାଣ୍ଡିର ମାଟି, ମଣିଷ ଏବଂ ସଂସ୍କୃତିକୁ ସାହିତ୍ୟର ମୁଖ୍ୟସ୍ରୋତରେ ସ୍ଥାନ ଦେଇଥିଲେ। ଚେତାବନୀ ସାହିତ୍ୟ ସଂସଦର ବିଭିନ୍ନ ସମୟରେ ସହ ସମ୍ପାଦକ, କୋଷାଧକ୍ଷ, ସମ୍ପାଦକ, ଉପସଭାପତି ପଦବୀରେ ରହି ସୁଚାରୁ ରୂପେ ନିଜର କାର୍ଯ୍ୟ ସମ୍ପାଦନା କରିଥିଲେ। ତାଙ୍କର ସରଳତା, ନିଷ୍ଠା ଏବଂ ମଣିଷ ପ୍ରତି ଭଲପାଇବା ସମସ୍ତଙ୍କ ପାଇଁ ପ୍ରେରଣା ଥିଲା। ବକ୍ତାମାନେ ଆହୁରି କହିଲେ, ତାଙ୍କ ଅବର୍ତ୍ତମାନ ସମଗ୍ର କଳାହାଣ୍ଡି ତଥା କେସିଙ୍ଗା ମାଟି ପାଇଁ ଗୋଟେ ଅପୂରଣୀୟ କ୍ଷତି। ତଥାପି ତାଙ୍କ ଲେଖା, ତାଙ୍କ ଆଦର୍ଶ ଆମକୁ ସବୁଦିନ ପଥ ଦେଖାଇବ। ସଭା ଶେଷରେ ତାଙ୍କ ଆତ୍ମାର ସଦଗତି କାମନା କରାଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଯାଇଥିଲା। ସଭାକୁ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହା ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ନିରୋଜ ପଟ୍ଟନାୟକ ଉପସ୍ଥିତ ଥିଲେ। ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା ସଭା ପରିଚାଳନା କରିଥିଲେ। ସାଙ୍ଗଠନିକ ସମ୍ପାଦକ ଯାଦବେନ୍ଦ୍ର ସାହା ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର କେନ୍ଦ୍ରୀୟ ସଭାପତି ଡ଼. ସେନାପତି ପ୍ରଦ୍ୟୁମ୍ନ କେଶରୀ ଫୋନ ମାଧ୍ୟ୍ୟମରେ ଶୋକବ୍ୟକ୍ତ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ହରିଶଙ୍କର ଭୋଇ, ବୈଷ୍ଣବ ଚରଣ ସାହା, ମଞ୍ଜୁମେଧା ଗୁରୁ, ରୁବି ଚୌଧୁରୀ, ଦେବେନ୍ଦ୍ର ଲାଲ, ଡମ୍ବରୁଧର ଭୋଇ, ହିମାଞ୍ଚଳ ସାହୁ, ସୁଶାନ୍ତ ମୁଣ୍ଡ, ସଂଯୁକ୍ତା ପାଢ଼ୀ, ଗୋବିନ୍ଦ ବାଗ, କମଳାକାନ୍ତ ସାହା, କର୍ଣ୍ଣ ଗହୀର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.