ଶେଷ ହେଲା ନିୟମରାଜା ପରବ: ପୁଣି ଶୁଭିଲା – ଜାନ୍ ଯାଉ ଜୀବନ ଯାଉ, ନିୟମଗିରି ବଞ୍ଚିଥାଉ

ନିୟମଗିରିର ସୁରକ୍ଷା ପାଇଁ ରକ୍ତ ଚାଉଳ ଧରି ସପଥନେଲେ ଆଦିମ ଅଧିବାସୀ

ନିୟମଗିରି ଶିଖରରେ କୃଷି ବିଲ୍ ତାତି

ଲାଞ୍ଜିଗଡ: ଜାନ୍ ଯାଉ ଜୀବନ ଯାଉ, ନିୟମଗିରି ବଞ୍ଚିଥାଉ ଏହି ନାରାରେ ତିନିଦିନ ବ୍ୟାପି ପ୍ରକମ୍ପିତ ହୋଇଥିଲା ନିୟମଗିରି ଶିଖର । ପ୍ରକୃତିର ଆଦିମ ସନ୍ତାନମାନେ ମାଁ ମାଟିର ସୁରକ୍ଷା ପାଇଁ ଜାଗି ଉଠିଥିଲେ । ଆରାଧ୍ୟ ଦେବତା ନିୟମରାଜାକୁ ସାକ୍ଷୀ ରଖି ନିଜର ଜୀବନ ଜୀବିକା ନିୟମଗିରିକୁ ସୁରକ୍ଷିତ ରଖିବାକୁ ପଣ କରିଥିଲେ । ନିୟମରାଜାଙ୍କୁ ବଳିଭୋଜା ଦ୍ୱାରା ସନ୍ତୁଷ୍ଟ କରିବା ପରେ ରେରେକାର ସ୍ୱରରେ ବହୁରାଷ୍ଟ୍ରୀୟ କଂପାନୀକୁ ଦେଇଥିଲେ ଚରମ ଚେତାବନୀ ।

ରକ୍ତ ଚାଉଳ ଧରି ଶପଥ ନେଇଥିଲେ ଜୀବନ ଥିବା ପର୍ଯ୍ୟନ୍ତ ନିୟମଗିରିର ସୁରକ୍ଷା ହିଁ ସେମାନଙ୍କ ଏକମାତ୍ର ନିଷ୍ପତ୍ତି । ସରକାର ଆଉ ପ୍ରଶାସନ ଯେତେ ଭୁତେଇଲେ ବି ନିୟମଗିରି ଛାଡିବୁ ନାହିଁ ବୋଲି ସେମାନେ ମିଳିତ ଭାବେ ଆହ୍ୱାନ ଦେଇଥିଲେ । ପ୍ରକୃତିର ଉପାସନା ନିୟମରାଜା ପରବ ସହିତ ବହୁ ରାଷ୍ଟ୍ରୀୟ କଂପାନୀର ଖଣିଖନନ ବିରୁଦ୍ଧରେ ହଜାର ହଜାର ଆଦିବାସୀଙ୍କ ମେଳି ଭଳି ଏକ ସମ୍ମନ୍ୱୟର ପର୍ବ ଉଦ୍‌ଯାପିତ ହୋଇଯାଇଛି । 

ବିଶ୍ବର ବହୁ ଚର୍ଚ୍ଚିତ ନିୟମଗିରି ଶିଖରରେ ତିନିଦିନ ବ୍ୟାପି ଚାଲିଥିବା ନିୟମରାଜା ପରବ ଏଥର ଅନେକ କାରଣ ଯୋଗୁଁ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ଓ ଖଣିଖନନ ପାଇଁ ସବୁ ପ୍ରକାର କୋହଳ ନୀତି ଜାରି କରିଥିବାବେଳେ ନିୟମଗିରିରେ ଖଣି ଖନନକୁ ତୀବ୍ର ବିରୋଧ ସହିତ ସରକାରଙ୍କ ଆଦିବାସୀ ଓ ଲୁପ୍ତପ୍ରାୟ ଆଦିମ ଜନଜାତିଙ୍କ ଜୀବନ ଜୀବିକାକୁ ବିପନ୍ନ କରିବାକୁ ତୀବ୍ର ବିରୋଧ ଜାରି ରହିବ ବୋଲି ଆଦିବାସୀମାନେ ଶପଥ ନେଇଥିଲେ । ଏହାସହିତ ସାରାଦେଶରେ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ ତୀବ୍ରରୁ ତୀବ୍ରତର ହେଉଥିବାବେଳେ ଏହାର ସମର୍ଥନରେ ଝରଣିଆ ଓ ଆଦିବାସୀମାନେ ସମବେତ ହୋଇ କୃଷକ ବିରୋଧୀ ଏହି ଆଇନକୁୁ ବିରୋଧ କରିବାକୁ ବଜ୍ର ଶପଥ ନେଇଥିଲେ । ନିୟମଗିରି ସଂଲଗ୍ନ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ହଜାର ହଜାର ଆଦିବାସୀ, ଝରଣିଆ ଓ କୁଟିଆ କନ୍ଧଙ୍କ ଆସ୍ଥାର ସୂଚକ ତଥା ପରମ ଆରାଧ୍ୟ ନିୟମରାଜାଙ୍କ ବାର୍ଷିକ ଉତ୍ସବ ନିୟମରାଜା ପରବ ସମାପନ ହେବା ସହିତ ଏଠାରେ ଖଣିଖନନକୁ ନେଇ ତୀବ୍ର ବିରୋଧର ନମୁନା ଦେଖିବାକୁ ମିଳିଛି ।

ସେହିପରି ସରକାର ଅନୁଦାନ ପ୍ରାପ୍ତ ବିଭିନ୍ନ ସଂସ୍ଥା ଆଦିବାସୀଙ୍କ ବିକାଶ ନାଁରେ କୋଟିକୋଟି ଟଙ୍କା ହରିଲୁଟ୍ କରୁଥିବା ନିରୀହ ଆଦିବାସୀମାନେ ଆଜି ବି ଅବହେଳିତ ହୋଇ ରହିଛନ୍ତି । ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ, ଏହା ବିରୁଦ୍ଧରେ ରାଜାରାସ୍ତାରେ ଲଢେଇ ହେବ ବୋଲି ସେମାନେ ଆହ୍ୱାନ ଦେଇଥିଲେ । ଆଦିବାସୀ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ ନିୟମରାଜା ପରବ ପ୍ରଥମ ଦିନରେ ଶୁଭଖମ୍ବ ସ୍ଥାପନ ସହିତ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପନ୍ଦରରୁ ଅଧିକ ଆଦିବାସୀ ମହିଳାଙ୍କ ଦେହରେ କାଳିସୀ ସବାର ହେବା ପୂଜାର୍ଚ୍ଚନା ଜମିବାକୁ ଲାଗିଥିଲା ।

ଆଦିବାସୀ ସଂପ୍ରଦାୟ ବ୍ୟତୀତ ଜିଲ୍ଲା ତଥା ଜିଲ୍ଲା ବାହାର ଶହଶହ ସାଧାରଣ ଲୋକେ, ପରିବେଶବିତ୍‌, ଗଣମାଧ୍ୟମ ପ୍ରତିନିଧିମାନେ ପର୍ବତ ଶିଖରର ଉତ୍ସବରେ ସାମିଲ ହୋଇଥିଲେ । ନିଜର ମାଁ ମାଟିର ସୁରକ୍ଷା ପାଇଁ ଅଞ୍ଚଳର ହଜାର ହଜାର ଆଦିବାସୀ ପୁରୁଷ, ମହିଳା ଏଥିରେ ସ୍ୱତଃସ୍ଫୂର୍ତ୍ତ ଭାବେ ସାମିଲ ହେବା ଅଭୁତପୂର୍ବ ଦୃଶ୍ୟ ଥିଲା । ନିୟମଗିରି ସୁରକ୍ଷା ସମିତି ଆହ୍ୱାନରେ ଆୟୋଜିତ ଏହି ପରବରେ ଲଦ ସିକୋକା, ଦଧି ପୁସିକା, ଡ୍ରେଞ୍ଜୋ ସିକୋକା, ସମାଜବାଦୀ ଜନପରିଷଦର ରାଜ୍ୟ ଆବାହକ ଲିଙ୍ଗରାଜ ଆଜାଦ, ସତ୍ୟ ମାହାର, ଆଦି ଆଦିବାସୀ ନେତା ଓ ସମାଜକର୍ମୀ ନେତୃତ୍ୱ ନେଇଥିବାବେଳେ ନିୟମଗିରି ସଂଲଗ୍ନ ଅଞ୍ଚଳର ୧୧୨ଟି ଗାଁର ହଜାର ହଜାର ଆଦିବାସୀ ପୁରୁଷ ଓ ମହିଳା ଏଥିେରେ ଯୋଗ ଦେଇଥିଲେ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.