ସାହିତ୍ୟ ସାଧକଙ୍କୁ ରାଜ୍ୟସ୍ତରୀୟ ସମ୍ମାନ ଓ ସମ୍ବର୍ଦ୍ଧନା
କଳାହାଣ୍ଡି: ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦର ୩୨ତମ ପୁଷ୍ ପୁନି ଭେଟଘାଟ୍ ତଥା ରାଜ୍ୟସ୍ତରୀୟ ଲେଖକ ସମାବେଶ ଓ ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଦ୍ୟାପୀଠ ପରିସରରେ ଆୟୋଜିତ ହୋଇଯାଇଛି ।
କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଲେଖକ ପ୍ରଶାନ୍ତ କୁମାର ମହାନ୍ତି ସମାରୋହକୁ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀମସେନ ଶବର, ସଂସଦର ଉପଦେଷ୍ଟା ଯାଜ୍ଞସେନୀ ସାହା, ସମାଜସେବୀ ରାମକୁମାର ଜୈନ, ବର୍ଷିୟାନ୍ ଲେଖକ ବୈଷ୍ଣବ ଚରଣ ସାହା, କଳାହାଣ୍ଡି ଯୁବ ଲେଖକ ସମାବେଶର ଉପଦେଷ୍ଟା ବିଶ୍ୱରଞ୍ଜନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ମଂଚ ପରିଚାଳନା କରିଥିଲେ ଅନୁଷ୍ଠାନର ସାଧାରଣ ସଂପାଦକ ରମେଶ ଜେନା । ଧନ୍ୟବାଦ ଅର୍ପଣ କରିଥିଲେ ସହ-ସଂପାଦକ ଭାଗୀରଥି ସିଂହ ।
ଅପରାହ୍ଣରେ ସଂସଦର ଉପସଭାପତି ରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କବିତା ପାଠୋତ୍ସବରେ ବିଶିଷ୍ଟ ଲେଖକ ଡ. ଶୁଭେନ୍ଦୁ ମୁଣ୍ଡ, ବିପିନ୍ ନାୟକ, ଡା. ଦୀନବଂଧୁ ସାହୁ, ନର୍ମଦା ନୀଳୋତ୍ପଳା ଅତିଥି ଭାବେ ମଂଚାସୀନ ଥିଲେ । ସଂଯୋଜନା କରିଥିଲେ କବି ଲଳିତ କାନୁନଗୋ, ଦୀପ୍ତିରାଣୀ ସିଂହ ଓ ଗୀତାଶ୍ରୀ ପ୍ରିୟମ୍ବଦା । ଧନ୍ୟବାଦ ଅର୍ପଣ କରିଥିଲେ କବି ଜି. କ୍ରିଷ୍ଣା ରେଡ୍ଡୀ ।
ଉଦ୍ଯାପନୀ ସମାରୋହକୁ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ କବି ଡ. ହୁସେନ୍ ରବି ଗାନ୍ଧୀ ଉଦ୍ଘାଟନ କରିଥିବା ବେଳେ ବିଶିଷ୍ଟ ଲେଖିକା ମମତା ଦାଶ ମୁଖ୍ୟ ଅତିଥି ଓ ସମାଜସେବୀ ଡା. ହେମସାଗର ସାହା ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ ।
ସଂସଦର ସଭାପତି ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀ ସଭାପତିତ୍ୱ କରିଥିଲେ । ଗୀତାଶ୍ରୀ ପ୍ରିୟମ୍ବଦା ମଂଚ ପରିଚାଳନା କରିଥିବା ବେଳେ ସଂସଦର ସାଧାରଣ ସଂପାଦକ ରମେଶ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ସଂସଦର ମୁଖପତ୍ର ‘ସାରସ୍ୱତ ସୌମ୍ୟା’ ଉନ୍ମୋଚନ କରାଯିବା ସହ ୨୦୧୭ ଓ ୨୦୧୮ ମସିହା ନିମନ୍ତେ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଥିଲା ।
୨୦୧୭ ମସିହା ନିମନ୍ତେ ଭୁବନେଶ୍ୱରରେ ଅବସ୍ଥାପିତ ବିଶିଷ୍ଟ ଲେଖକ ଶୁଭେନ୍ଦୁ ମୁଣ୍ଡଙ୍କୁ ‘କଳାହାଣ୍ଡି ସାରସ୍ୱତ ସମ୍ମାନ’, ବଲାଙ୍ଗିରର ପ୍ରହ୍ଲାଦ ଶତପଥୀଙ୍କୁ କବିତା, କଟକର ହିରଣ୍ମୟୀ ମିଶ୍ରଙ୍କୁ ଗଳ୍ପ ଓ ସମ୍ବଲପୁରର ପଞ୍ଚାନନ ମିଶ୍ରଙ୍କୁ ପ୍ରବନ୍ଧ କ୍ଷେତ୍ରରେ ‘ଚେତାବନୀ ପ୍ରଜ୍ଞା ସମ୍ମାନ’, ଭବାନୀପାଟଣାର ପ୍ରଫେସର୍ ଗୋପବନ୍ଧୁ ବେହେରାଙ୍କୁ ‘ଚେତାବନୀ ଶିକ୍ଷା ସମ୍ମାନ’, ଧର୍ମଗଡ଼ର ଶ୍ୟାମସୁନ୍ଦର ଜାଲଙ୍କୁ ‘ଚେତାବନୀ ସେବା ସମ୍ମାନ’, ଜୁନାଗଡ଼ ଚିଚୈଗୁଡ଼ାର ସୁଧୀର ମେହେରଙ୍କୁ ‘ଜ୍ୟୋତି ମିଶ୍ର ଯୁବ ପ୍ରତିଭା ସମ୍ମାନ’, ମ.ରାମପୁରର ହେମନ୍ତ ସାହୁଙ୍କୁ ‘ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ’ ତଥା କଟକର ସୁନାମଣି ରାଉତଙ୍କୁ ‘ପାର୍ଥ ବିଶି କିଶୋର ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା ।
ସେହିପରି ୨୦୧୮ ମସିହା ନିମନ୍ତେ ବ୍ରହ୍ମପୁରର ବିଶିଷ୍ଟ କବି ବିପିନ୍ ନାୟକଙ୍କୁ ‘କଳାହାଣ୍ଡି ସାରସ୍ୱତ ସମ୍ମାନ’, ବରଗଡ଼ର ଦିବ୍ୟ କିଶୋର ଦେବତାଙ୍କୁ କବିତା, ଭବାନୀପାଟଣାର ବିଜୟ ପ୍ରଧାନଙ୍କୁ ଗଳ୍ପ ଏବଂ କଟକର ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ପ୍ରବନ୍ଧ ଓ ଅନୁବାଦ କ୍ଷେତ୍ରରେ ‘ଚେତାବନୀ ପ୍ରଜ୍ଞା ସମ୍ମାନ’, କେସିଙ୍ଗାର ଅପନା ଚୌଧୁରୀଙ୍କୁ ‘ଚେତାବନୀ ଶିକ୍ଷା ସମ୍ମାନ’ ଓ ପ୍ରମୋଦ ଦାସଙ୍କୁ ‘ଚେତାବନୀ ସେବା ସମ୍ମାନ’, ଅନୁଗୁଳର ପ୍ରତୀକ୍ଷା ଜେନାଙ୍କୁ ‘ଜ୍ୟୋତି ମିଶ୍ର ଯୁବ ପ୍ରତିଭା ସମ୍ମାନ’, ସାହିତ୍ୟ କଥାର ସହ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ‘ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ’ ତଥା ପୁରୀର ବୀରେନ୍ଦ୍ର ମହାନ୍ତିଙ୍କୁ ‘ପାର୍ଥ ବିଶି କିଶୋର ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା ।
ଏଥିସହ ଲୋକସଂସ୍କୃତି ଗବେଷକ ଡ. ଅଜିତ କୁମାର ବେହେରା, କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା ଓ ଜୁନିଅର୍ ଫେଲୋସିପ୍ ପ୍ରାପ୍ତ ଘୁମୁରା ଶିଳ୍ପୀ କମ୍ବୁପାଣି ବାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶେଷରେ ସଂସଦର କୋଷାଧ୍ୟକ୍ଷ ଯାଦବେନ୍ଦ୍ର ସାହା ଧନ୍ୟବାଦ ଅର୍ପଣ କରିଥିଲେ । କବି ଯତୀନ୍ କୁମାର ପ୍ରଧାନ, ନଳିନୀକାନ୍ତ ଦାଶ, ଗୋବିନ୍ଦ ବାଗ, ରମାକାନ୍ତ ସିଂ ସାହାଣୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।